ଗୁଜରାଟ ସରକାରଙ୍କ ନିଷ୍ପତ୍ତି – ଖବରକାଗଜର ସମସ୍ତ ବକେୟା ଦେବେ

ନୂଆଦିଲ୍ଲୀ: ସଂପ୍ରତି କରୋନା ମହାମାରୀକୁ ନେଇ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଛାପା ଗଣମାଧ୍ୟମ ସଂସ୍ଥା ପ୍ରତି ସହଯୋଗର ହାତ ବଢାଇଛନ୍ତି ଗୁଜରାଟ ସରକାର। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣି ଘୋଷଣା କରିଛନ୍ତି ଯେ ଛାପା ଗଣମାଧ୍ୟମ ଓ ଖବରକାଗଜ ସଂସ୍ଥା ଗୁଡିକର ବିଜ୍ଞାପନ ବାବଦ ସମସ୍ତ ବକେୟା ଅର୍ଥକୁ ରାଜ୍ୟ ସରକାର ପୈଠ କରିବେ। କରୋନା ମହାମାରୀ ସମୟରେ ଖବରକାଗଜଗୁଡିକର କାର୍ୟ୍ୟକୁ ମୁଖ୍ୟମନ୍ତ୍ରୀ ରୂପାଣି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଲୋକଙ୍କ ନିକଟରେ କରୋନା ସମ୍ପର୍କିତ ସଠିକ୍ ଓ ବିଶ୍ବାସଯୋଗ୍ୟ ସୂଚନା ପହଞ୍ଚାଇବାରେ ଖବରକାଗଜ ଏକ ବଳିଷ୍ଠ ଉତ୍ସ ହୋଇରହିଛି। ଏହାଦ୍ବାରା ଲୋକମାନେ ମିଥ୍ୟା ଖବର ଓ ଗୁଜବ ଜନିତ କ୍ଷତିରୁ ବର୍ତ୍ତିପାରିଛନ୍ତି। ଖବରକାଗଜର ଏପରି ଦାୟିତ୍ବବୋଧତା ପାଇଁ ୨୦୨୦ ଏପ୍ରିଲ ସୁଦ୍ଧା ପ୍ରକାଶିତ ସମସ୍ତ ବିଜ୍ଞାପନର ଅର୍ଥକୁ ରାଜ୍ୟ ସରକାର ପୈଠ କରିବେ। ଗୁଜରାଟ ସରକାରଙ୍କ ଏପରି ନିଷ୍ପତ୍ତିକୁ ଇଣ୍ଡିଆନ ନ୍ୟୁଜପେପର ସୋସାଇଟି (ଆଇଏନଏସ୍‌)ର ଅଧ୍ୟକ୍ଷ ଶୈଳେଶ ଗୁପ୍ତା ସ୍ବାଗତ କରିିଛନ୍ତି। ଏହା ସହିତ ଆଇଏନଏସ୍ ତରଫରୁ ମୁଖ୍ୟମନ୍ତ୍ରୀ ରୂପାଣିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଶ୍ରୀ ଗୁପ୍ତା କହିଛନ୍ତି ଯେ ଖବରକାଗଜ ସଂସ୍ଥାର ଏପରି ଅସୁବିଧା ସମୟରେ ଗୁଜରାଟ ସରକାରଙ୍କ ସହାୟତା ସ୍ବାଗତଯୋଗ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଠାରୁ ଆଇଏନଏସ ଅନୁରୂପ ନିଷ୍ପତ୍ତି ଆଶା କରୁଛି ବୋଲି ସେ କହିଛନ୍ତି। କରୋନା ମହାମାରୀ ଓ ତତ୍‌ଜନିତ ଲକଡାଉନ ଯୋଗୁଁ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦେଶର ଛାପା ଗଣମାଧ୍ୟମ ସଂସ୍ଥାଗୁଡିକ ପ୍ରାୟ ୪୫୦୦କୋଟି ଟଙ୍କା କ୍ଷତି ସହିଛନ୍ତି।

ଏହି କ୍ଷତିକୁ ଭରଣା କରିବା ଲାଗି ଆଇଏନସ୍ ପକ୍ଷରୁ କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର, ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକୁ ସହାୟତା ଲାଗି ନିବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ଠାରୁ ଆଇଏନଏସ୍ ଖବରକାଗଜ ଶିଳ୍ପ ପାଇଁ ଆର୍ଥିକ ପ୍ୟାକେଜ ଦାବି କରାଯାଇଛି। ସେହିପରି ରାଜ୍ୟ ସରକାର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ନିକଟରେ ବକେୟା ରହିଥିବା ବିଜ୍ଞାପନ ବାବଦ ସମସ୍ତ ବକେୟା ଅର୍ଥ ପୈଠ କରିବାକୁ ନିବେଦନ କରିଛି। କରୋନା ଜନିତ ଲକଡାଉନ ଯୋଗୁଁ ଖବରକାଗଜ ସଂସ୍ଥା ୪୦୦୦ରୁ ୪୫୦୦କୋଟି ଟଙ୍କାର ଆର୍ଥିକ କ୍ଷତି ସହିଛନ୍ତି। ଏହି ପରିସ୍ଥିତି ଯଦି ଆଉ କିଛି ମାସ ଲାଗି ରୁହେ; ତେବେ ଖବରକାଗଜ ସଂସ୍ଥାଗୁଡିକର ସ୍ଥିତି ଦୟନୀୟ ଅବସ୍ଥା ହୋଇପଡିବ। ତେଣୁ କେନ୍ଦ୍ର ସରକାର ଏହି ଶିଳ୍ପସଂସ୍ଥା ପାଇଁ ୧୨ହଜାରରୁ ୧୫ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବା ଦରକାର ବୋଲି ଆଇଏନଏସ ଦାବି କରିଛି। ଏହା ସହିତ ଆଗାମୀ ଦୁଇବର୍ଷ ପାଇଁ ନ୍ୟୁଜ୍ ପ୍ରିଣ୍ଟ ଉପରେ ଧାର୍ୟ୍ୟ ୫% ଆମଦାନୀ ଶୁଳ୍କ ଉଚ୍ଛେଦ କରିବାକୁ ଆଇଏନଏସ ଦାବି କରିଛି। ସେହିପରି ବିଜ୍ଞାପନ ଦର ୫୦% ବୃଦ୍ଧି କରିବା ଓ ଛାପା ଗଣମାଧ୍ୟମ ପାଇଁ ଅନୁମୋଦନ ହେଉଥିବା ବଜେଟ ଅର୍ଥ ୨୦୦% ବୃଦ୍ଧି କରିବାକୁ ଆଇଏନଏସ୍ ସରକାରଙ୍କ ନିକଟରେ ଦାବି କରିଛି। ଦେଶର ୮୦୦ ଖବରକାଗଜକୁ ପ୍ରତିନିଧିତ୍ବ କରୁଥିବା ଆଇଏନଏସ୍ କହିଛି ଯେ ଖବରକାଗଜ ଶିଳ୍ପ ଗୁଡିକରେ ପ୍ରତ୍ୟକ୍ଷ ଭାବେ ୯ରୁ ୧୦ଲକ୍ଷ ଲୋକ କାର୍ୟ୍ୟ କରୁଥିବାବେଳେ ପରୋକ୍ଷରେ ଏହି ଶିଳ୍ପ ସହିତ ୧୮ରୁ ୨୦ଲକ୍ଷ ଲୋକ ଜଡିତ।

Comments are closed.