ତାମିଲନାଡୁରେ ଭୀଷଣ ବର୍ଷା ସମ୍ଭାବନା; ରାଜ୍ୟର ୯ଟି ଜିଲାରେ ଦୁଇଦିନ ପାଇଁ ଛୁଟି ଘୋଷଣା

ଚେନ୍ନଇ: ତାମିଲନାଡୁର ବିଭିନ୍ନ ଭାଗରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଚଳିତ ସପ୍ତାହରେ ଭୀଷଣ ବର୍ଷାରେ ଚେନ୍ନଇ ମହାନଗର ଉବୁଟୁବୁ ହେଉଥିବାବେଳେ ପାଣିପାଗ ବିଭାଗର ସତର୍କ ସୂଚନାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ରାଜ୍ୟର ୯ଟି ଜିଲାରେ ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଚକ୍ରବାତ ଯୋଗୁଁ ମଙ୍ଗଳବାର ସକାଳେ ଉକ୍ତ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହା ଘନୀଭୂତ ହୋଇ ଅବପାତର ରୂପ ବେନା ସହିତ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ଚଳିତ ନଭେମ୍ବର ମାସ ୧୧ ତାରିଖ ଭୋର ସମୟରେ ତାମିଲନାଡୁର ଉତ୍ତର ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ତାହାର ପ୍ରଭାବରେ ବୁଧବାର ଏବଂ ଗୁରୁବାର ଦିନ ତାମିଲନାଡୁର ବିଭିନ୍ନ ସ୍ଥାନ ସମେତ ପଡୋଶୀ ପୁଡୁଚେରୀ ଏବଂ କରାଇକାଲ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷକରି କୁଡାଲୋର, ଭିଲୁପୁରମ, ପୁଡୁକୋଟ୍ଟି, ଶିବଗଙ୍ଗା, ରାମନାଥପୁରମ ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏବଂ କରାଇକାଲ ଅଞ୍ଚଳରେ ଅତି ପ୍ରବଳ ବର୍ଷା ହୋଇପାରେ । ଏଥିସହିତ ଚେନ୍ନଇ, ତିରୁନେଲଭେଲି, କନ୍ୟାକୁମାରୀ, ଥେନକାସି, ବିରୁଧୁନଗର, ମଦୁରାଇ, ଆରିୟାଲୁର, ପେରାମ୍ବାଲୁର, କାଞ୍ଚିପୁରମ, ତିରୁଭାଲୁର ଏବଂ ଚେଙ୍ଗଲପାଟୁ ଆଦି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେତେକ ସ୍ଥାନରେ ଭୂସ୍ଖଳନ ସହିତ ବର୍ଷାଜଳ ଜମି ରହିବା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୯ଟି ଜିଲାରେ ବୁଧବାର ଓ ଗୁରୁବାର ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।

Comments are closed.