ସାରା ଓଡ଼ିଶାକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ: ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୨୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ଓଡ଼ିଶାକୁ ଛୁଇଁଛି ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ରାଜ୍ୟର ୨୧ ଜିଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ୮ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସୁନ୍ଦରଗଡ଼, ଝାସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

 

ରାଜ୍ୟର ଅନ୍ୟ ୧୩ ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ନେଇ ସ୍ବତନ୍ତ୍ର ରିଲିଫ କମିଶନର(ଏସ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ସଜାଗ କରାଯାଇଛି। ତଳିଆ ଅଞ୍ଚଳରେ ପାଣି ଜମିବା ଓ ପାହାଡ଼ିଆ ଅଞ୍ଚଳରେ ଭୁସ୍ଖଳନ ଆଶଙ୍କା ରହିଛି। ତେଣୁ ଜିଲା ପ୍ରଶାସନକୁ ଏପରି ସମ୍ଭାବ୍ୟ ବିପର୍ଯ୍ୟୟ ମୁକାବିଲା ପାଇଁ ଏସ୍‌ଆରସି ପକ୍ଷରୁ ନିର୍ଦେଶ ଜାରି କରାଯାଇଛି।
ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୧୬ ତାରିଖ ପରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

Comments are closed.