ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା : ଉତ୍ତରାଖଣ୍ଡ ପାଇଁ ରେଡ ଆଲର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ସେହିପରି ପାଣିପାଗ ବିଭାଗ ଉତ୍ତରାଖଣ୍ଡ ପାଇଁ ରେଡ ଆଲର୍ଟ ଜାରି କରିଛି।

ଦିଲ୍ଲୀରେ ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଜାରି ଥିଲା। ବର୍ଷା ଓ ପବନ ଯୋଗୁଁ ଦିଲ୍ଲୀର ତାପମାତ୍ରା ହ୍ରାସ ଘଟିଛି ଓ ରାଜ୍ୟର ବାୟୁରମାନରେ ଉନ୍ନତି ପରିଲକ୍ଷିତ ହୋଇଛି । ପାଣିପାଗ ବିଭାଗ କହିଛି, ଗତକାଲିଠାରୁ ଇତି ମଧ୍ୟରେ ଦିଲ୍ଲୀରେ ୩୩.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଓ ସର୍ବନିମ୍ନ ତାପମାତ୍ରା ୧୨.୮ଡିଗ୍ରୀ ସେଲ୍‍ସିୟସ୍‍କୁ ଖସି ଆସିଛି।
ହିମାଚଳ ପ୍ରଦେଶରେ ବର୍ଷା ଓ ତୁଷାରପାତ ଯୋଗୁଁ  ଭୀଷଣ ଶୀତଲହରୀ ଅନୁଭୂତ ହେଉଛି। ରାଜ୍ୟର ଅଧିକାଂଶ ସ୍ଥାନରେ ଗତ ଦୁଇ ଦିନ ଧରି ବର୍ଷା ଓ ତୁଷାରପାତ ଲାଗି ରହିଛି। ଲାହୁଲ-ସ୍ପିତି, କିନ୍ନଉର, କୁଲ୍ଲୁ ଓ ସିମଳା ଆଦି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିବା ବେଳେ ରାଜ୍ୟର ଅନ୍ୟାନ୍ୟ ଭାଗରେ ବର୍ଷା ହୋଇଛି । ଲଦାଖର କାର୍ଗିଲ୍‍ ଜିଲ୍ଲାରେ ମଧ୍ୟ ସାନି ତୁଷାରପାତ ହୋଇଛି । ଜୋଜିଲା ଓ କାର୍ଗିଲ୍‍ଠାରେ ଭୀଷଣ ତୁଷାରପାତ ଯୋଗୁଁ ଜନସ୍କର ରାଜପଥକୁ ଯାନବାହନ ଚଳାଚଳ ପାଇଁ ବନ୍ଦ ରଖାଯାଇଛି।

Comments are closed.