ଧସିଲା ପାହାଡ଼ – ୨୦ ଘର ନିଶ୍ଚିହ୍ନ, ୧୫୦ରୁ ଅଧିକ ପଶୁ ମୃତ

ପାରଳାଖେମୁଣ୍ଡି: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପଜନିତ ୩ଦିନ ହେଲା ଗଜପତି ଜିଲାରେ ଲଗାଣ ବର୍ଷା ଯୋଗୁଁ ଗୁମ୍ମା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି ବ୍ଲକର ବଡକଳାକୋଟ ଗ୍ରାମପଞ୍ଚାୟତର କୁଲଙ୍ଗ ଓ ତିତିସିଂଗ୍ରାମ ନିକଟରେ ଥିବା ମୁଖଲିଙ୍ଗ ପର୍ବତରୁ ମାଟି ଅତଡା ଧସିବାରୁ ୨୦ଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇ ନିଶ୍ଚହ୍ନ ହୋଇଯାଇଥିବାବେଳେ ୨୦ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ୧୫୦ରୁ ଊର୍ଦ୍ଧ୍ବ ଗାଈ, ଗୋରୁ ଏବଂ ଛେଳିଙ୍କ ମୃତ୍ୟୁ ଘଟିଛି।

ବଡକଳାକୋଟ ସରପଞ୍ଚ ଅଗଷ୍ଟିସ ଗମାଙ୍ଗ ବ୍ଲକ ପ୍ରଶାସନକୁ ଜଣାଇବା ପରେ ଘଟଣାସ୍ଥଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନଟବର ଗରଡ, ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ, ଉପାଧ୍ୟକ୍ଷ ଗୀତାଞ୍ଜଳି ରଇତ, ଜିଲା ପରିଷଦ ସଭ୍ୟ ହିମାଂଶୁକୁମାର ଲିମା ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଲୋକଙ୍କୁ ନିକଟରେ ଥିବା ଚର୍ଚ୍ଚକୁ ସ୍ଥାନାନ୍ତର କରିଥିଲେ। ପରେ ସେମାନଙ୍କୁ ରନ୍ଧା ଖାଦ୍ୟ ଓ ପିନ୍ଧିବା ବସ୍ତ୍ର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଛି। ଗୁରୁବାର ସକାଳେ ମୁଖଲିଙ୍ଗ ପାହାଡାରୁ ପ୍ରବଳ ବେଗରେ ବର୍ଷାଜଳ ପ୍ରବାହିତ ହେବା ସହ ମାଟି ଅତଡା ଧସେଇ ଗାଁ ଭିତରକୁ ପ୍ରବେଶ କରିଥିଲା। ପ୍ରବଳ ଶବ୍ଦ ହେବାରୁ ଗ୍ରାମବାସୀ ଘରୁ ବାହାରକୁ ଚାଲି ଆସିଥିଲେ। ଯାହାଫଳରେ ଜୀବନ ବଞ୍ଚି ଯାଇଥିଲା। କିନ୍ତୁ ଗାଇ, ଛେଳି ଏବଂ ଘରେ ଥିବା ଆସବାବପତ୍ର ଉଦ୍ଧାର କରିପାରିନଥିଲେ। ଫଳରେ ୧୫୦ରୁ ଊର୍ଦ୍ଧ୍ବ ଗାଈଓ ଛେଳିଙ୍କର ମୃତ୍ୟୁ ଘଟିଥିଲା।

ଗୁରୁବାର ଜିଲାରେ ସର୍ବମୋଟ ୧୨୩.୯୦ମିମି ବର୍ଷା ହୋଇଥିବାବେଳେ ଆଜି ଅପରାହ୍ନ ୫ଟା ସୁଦ୍ଧା ଜିଲାରେ ୧୮୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମୋହନା ବ୍ଲକରେ ୯.୨୦ମିମି, ରାୟଗଡା ବ୍ଲକରେ ୪୫.୬୦ମିମି, ସଦରମହକୁମା ପାରଳାଖେମୁଣ୍ଡିଠାରେ ୩୩ମିମି, କାଶୀନଗର ବ୍ଲକରେ ୯ମିମି, ଆର.ଉଦୟଗିରି ବ୍ଲକରେ ୨୧.୨ମିମି, ଗୁମ୍ମା ବ୍ଲକରେ ୨୫ମିମି, ନୂଆଗଡ ବ୍ଲକରେ ୨୫.୮ମିମି ଏବଂ ଗୋସାଣି ବ୍ଲକରେ ୧୬.୨ମିମି ବର୍ଷା ହୋଇଛି। ଏପଟେ ବର୍ଷା ଯୋଗୁଁ କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧିପାଇ ସତର୍କ ସଂକେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଆଜି ସନ୍ଧ୍ୟା ୬ଟାବେଳେ ଏଠାରେ ୫୩.୬୦ମିଟରେ ଜଳ ପ୍ରବାହିତ ହେଉଛି। ଏଠାରେ ସତର୍କ ସଙ୍କେତ ୫୩.୬୦ମିଟର ଥିବାବେଳେ ବିପଦ ସଙ୍କେତ ୫୪.୬୦ମିଟର ରହିଛି। ବନ୍ୟାଜଳ ନିୟନ୍ତ୍ରଣ ପାଇଁ ବଂଶଧାରା ନଦୀର ତଳମୁଣ୍ଡ ଆନ୍ଧ୍ରପ୍ରଦେଶର ହିରମଣ୍ଡଳମଠାରେ ଥିବା ଗୋଟା ବ୍ୟାରେଜର ସମସ୍ତ ୨୧ଟି ଗେଟକୁ ଉଠାଯାଇଛି। ଗୋଟା ବ୍ୟାରେଜକୁ ପ୍ରତି ସେକେଣ୍ଡରେ ୧୪୫୪୦କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧୪୫୪୦କ୍ୟୁସେକ ଜଳ ନିଷ୍କାସନ ହେଉଛି। ତେବେ ପାହାଡ ଧସିବା ଘଟଣାରେ କୁଳଙ୍ଗ ଅଧିକ କ୍ଷତିଗ୍ରସ୍ତ ହୋଇଛି।

Comments are closed.