ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

କଖଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଫୁଟର ପାଣି

ଗୁରୁଡିଝାଟିଆ :  ଲଘୁଚାପ ଜନିତ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଏପରିକି ଘରୁ ବାହାରିବା ଏକ ପ୍ରକାର ଅସମ୍ଭବ ହୋଇପଡୁଛି । ବିଶେଷତଃ ମୂଲ ମଜୁରୀ ଲାଗି ତେଲଲୁଣ ସଂସାର ଚଳାଉଥିବା ଅଭାବୀ ଲୋକର ହାଣ୍ଡି ଉପରେ ଲଗାଣ ବର୍ଷା ଏକ ପ୍ରକାର ଦାଉ ସାଧିଛି । ଗତ ୩ ଦିନ ଧରି ବର୍ଷା ଲାଗିରହିଥିଲେ ମଧ୍ୟ ଆଜି ବର୍ଷାର ପରିମାଣ ସର୍ବାଧିକ ବଢିଯାଇଛି । ଚାଷଜମି ଜଳମଗ୍ନ ,ରାସ୍ତାଘାଟରେ ବର୍ଷାପାଣି ଜମିରହିବା ଫଳରେ ରାସ୍ତାର ପ୍ରକୃତ ସ୍ଥିତି ଜଣାପଡୁନାହିଁ। ଦୁର୍ଘଟଣାମାନ ଘଟିଚାଲିଛି।

ବିଦ୍ୟାଳୟ ପରିସରରେ ବର୍ଷାଜଳରେ ପୁରିଉଠିଛି । କଖଡି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସରରେ ଦୁଇଫୁଟର ପାଣି ଜମିରହିଥିବାରୁ ପିଲାମାନେ ଯାତାୟାତ କରିପାରିନଥିଲେ। ଅନୁରୂପ ଅବସ୍ଥା ଦେଖାଦେଇଛି ଛଅଗାଁ ଉତ୍କଳମଣି ବିଦ୍ୟାପୀଠ ଓ ଖୁଣ୍ଟୁଣୀ ରାଧାନାଥ ବିଦ୍ୟାପୀଠ ପରିସରରେ । ବର୍ଷାଜଳ ନିସ୍କାସନ ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ତୁହାକୁ ତୁହା ବର୍ଷା ପରିସ୍ଥିତିକୁ ବେହାଲ କରିଛି । ସନ୍ଧ୍ୟାହେଲେ ବେଙ୍ଗରଡିରେ କାନ ଫାଟିପଡୁଛି।

Comments are closed.