ଆସୁଛି ବଡ଼ ବର୍ଷା, ବଢ଼ିଲା ବନ୍ୟା ଡର

ହୀରାକୁଦ ଖୋଲିଲା ୨୦ ଫାଟକ, ବିପଦ ସଙ୍କେତ ଉପରେ ଜଳକା, ବଢୁଛି ଇବ୍, ଦେବୀ, ବ୍ରାହ୍ମଣୀ, ସୁବର୍ଣ୍ଣରେଖା

ଭୁବନେଶ୍ବର : ରାଜ୍ୟବ୍ୟାପୀ ଲଘୁଚାପଜନିତ ବର୍ଷା ଲାଗି ରହିଛି। ଆଗାମୀ ୨୪ ଘଣ୍ଟାରେ ୧୩ ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗର ପୂର୍ବାନୁମାନ ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି କରିଛି। ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମହାନଦୀର ଉପରମୁଣ୍ଡ ଓ ଏହାର ଆଖପାଖ କ୍ଷେତ୍ରରୁ ପ୍ରବଳ ବର୍ଷାଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଗତକାଲି ୧୦ଟି ଫାଟକ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାବେଳେ ଆଜି ଆଉ ୧୦ଟି ଫାଟକ ଖୋଲାଯାଇଛି। ସନ୍ଧ୍ୟା ସୁଦ୍ଧା ୨୦ଟି(ବାମ-୧୩ ଓ ଦକ୍ଷିଣ-୭) ଫାଟକ ଦେଇ ହୀରାକୁଦ ବନ୍ୟାଜଳ ନିଷ୍କାସିତ ହେଉଛି। ଅପରାହ୍ଣ ୩ଟାରେ ଘଣ୍ଟାପ୍ରତି ୪ ଲକ୍ଷ ୧ ହଜାର ୯୦୪ କ୍ୟୁସେକ୍‌ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରକୁ ପ୍ରବେଶ କରୁଥିବାବେଳେ ସନ୍ଧ୍ୟା ୬ଟା ସୁଦ୍ଧା ଉପରମୁଣ୍ଡରୁ ଜଳପ୍ରବାହ କମି ଘଣ୍ଟାପ୍ରତି ୩ ଲକ୍ଷ ୯୩ ହଜାର ୩୨୩ କ୍ୟୁସେକ୍‌ ପ୍ରବେଶ କରୁଛି। ସେହିଭଳି ୩ ସ୍ପିଲୱେ, ପାୱାର ଚାନେଲ ଓ ଅନ୍ୟାନ୍ୟ ବ୍ୟବସ୍ଥାରେ ୩ଲକ୍ଷ ୪୦ ହଜାର ୮୯୦ କ୍ୟୁସେକ୍‌ ଜଳ ନିଷ୍ପାସିତ ହେଉଛି। ତେବେ କଟକ ମୁଣ୍ଡଳୀ ଦେଇ ଏବେ ୩ ଲକ୍ଷ ୪୭ ହଜାର କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମହାନଦୀର ତଳମୁଣ୍ଡରେ ଏବେ ବନ୍ୟା ଆଶଙ୍କା ନଥିବା କହିଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ(ଇଆଇସି) ବିଜୟ କୁମାର ମିଶ୍ର। ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୬.୧୫ ରହିଛି।
ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲା, ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ମଧ୍ୟମ ବର୍ଷା ଏବଂ ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ କେନ୍ଦ୍ରାପଡ଼ା ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ସୁନ୍ଦରଗଡ଼ ଜିଲା ଟେନ୍‌ସା ଓ ବଣାଇଗଡ଼ରେ ସର୍ବାଧିକ ୧୧ ସେଣ୍ଟିମିଟର ଲେଖାଏଁ ବର୍ଷା ରେକର୍ଡ କରାଯାଇଛି। ସେହିଭଳି କୁଚିଣ୍ଡାରେ ୯ ସେ.ମି, ମାର୍ଶାଘାଇ, ଦେବଗଡ଼ରେ ୭ ସେ.ମି ଲେଖାଁଏ, ହୀରାକୁଦ, ଚମ୍ପୁଆ, ବାଂଶପାଳ, ଲହୁଣୀପଡା, ଗୁରୁଣ୍ଡିଆ, ଝୁମ୍ପୁରା, ବୁର୍ଲା ଆଦି ସ୍ଥାନରେ ୬ ସେ.ମି ଲେଖାଏଁ, ମହାକାଳପଡା, ବାଲିଶଙ୍କରା, ଧନକୌଡା, ପାଲଲହଡା, ନାକଟିଦେଉଳ, ଲାଠିକଟା ଆଦି ସ୍ଥାନରେ ୫ ସେ.ମି ଲେଖାଏଁ ବର୍ଷା ହୋଇଯାଇଛି।
ହୀରାକୁଦ ଜଳ ଏ ଯାଏଁ ମୁଣ୍ଡଳିରେ ପହଞ୍ଚିନାହିଁ। ପାଣି ପହଞ୍ଚିବାକୁ ୩୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଲାଗିଯିବ। ସେତେବେଳକୁ ମୁଣ୍ଡଳି ଜଳସ୍ତର ଖସିଥିବ, ତେଣୁ ସେଭଳି କିଛି ଚିନ୍ତାଜନକ ସ୍ଥିତିନାହିଁ। ଛତିଶଗଡ଼ରେ ବର୍ଷା କମିଥିବାରୁ ଉପର ମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ କମୁଛି। ମହାନଦୀ ପାଣି ସକାଳ ୬ଟାରେ ନରାଜରେ ୨୪.୮୧ ମିଟର ଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ୨୪.୪୮ ମିଟରକୁ ଖସିଛି। ଆଳିପିଙ୍ଗଳରେ ଦେବୀ ନଦୀ ବିପଦ ସଙ୍କେତ ୧୧.୭୬ ମିଟର ଏବଂ ଜଳସ୍ତର ୧୦.୮୫ ମିଟର ରହିଛି। ସକାଳ ୬ଟାରେ ୬.୪୮ ମିଟର ଜଳସ୍ତର ଥିବାବେଳେ ସନ୍ଧ୍ୟା ୬ଟା ବେଳକୁ ୬.୬୬ ମିଟରକୁ ବୃଦ୍ଧି ପାଇଛି, ଅର୍ଥାତ ଦେବୀ ନଦୀ ଫୁଲୁଛି। କୁଶଭଦ୍ରା ନିମାପଡାରେ ବିପଦ ସଙ୍କେତ ୧୦.୭୬ ମିଟର ଏବଂ ଜଳସ୍ତର ୯.୮୫ ମିଟର ରହିଥିଲା। ସକାଳ ୬ଟାରେ ଜଳସ୍ତର ୩.୯୨ ମିଟର ଏବଂ ସନ୍ଧ୍ୟା ୬ଟା ବେଳକୁ ୩.୯୦ ମିଟରକୁ ଖସିଛି। ଇବ୍‌ ସୁନ୍ଦରଗଡ଼ରେ ବିପଦ ସଙ୍କେତ ନିକଟତର ହୋଇଛି। ବିପଦ ସଙ୍କେତ ୨୨୨ ମିଟର ଏବଂ ଜଳସ୍ତର ୨୨୧.୭୦ ମିଟର ରେକର୍ଡ ହୋଇଛି। ବ୍ରାହ୍ମଣୀ ପାନପୋଷରେ ବଢୁଥିବା ବେଳେ ଜେନାପୁରରେ ସନ୍ଧ୍ୟା ୬ଟା ସୁଦ୍ଧା ୧୯.୨୦ ମିଟର ଜଳସ୍ତର ରେକର୍ଡ ହୋଇଛି। ବୈତରଣୀ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ପାଖାପାଖିରେ ପ୍ରବାହିତ ହେଉଛି। ତେବେ ଆନନ୍ଦପୁରରେ ଜଳସ୍ତର କମୁଥିବା ବେଳେ ଆଖୁଆପଦାରେ ମଧ୍ୟାହ୍ନ ୧୨ଟାରୁ କମୁଛି।
ବୁଢାବଳଙ୍ଗ ଏନଏଚ-୫ରେ ବିପଦ ସଙ୍କେତର ଏକ ମିଟର ତଳେ ପ୍ରବାହିତ ହେଉଛି। ସକାଳୁ ଜଳସ୍ତର କମୁଛି। ସୁବର୍ଣ୍ଣରେଖା ଜାମଶୋଳାଘାଟ ଏବଂ ରାଜଘାଟରେ ବିପଦ ସଙ୍କେତ ତଳେ ପ୍ରବାହ କରୁଛି; କିନ୍ତୁ ସୁବର୍ଣ୍ଣରେଖା ବେଳକୁ ବେଳ ଫୁଲୁଛି। ବଂଶଧାରା ଗୁଣୁପୁର ଏବଂ କାଶୀନଗରରେ ବିପଦ ସଙ୍କେତ ତଳେ ଥିବାବେଳେ ସକାଳରୁ ବଢି ପାଣି ଖୁସୁଛି। ଋଷିକୂଲ୍ୟା ପୁରୁଷୋତ୍ତମପୁରରେ ବିପଦ ସଙ୍କେତର ଏକ ମିଟର ତଳେ ଥିବାବେଳେ ଧୀରେ ଧୀରେ ଖସୁଛି। ହେଲେ ଜଳକା ବେଳକୁ ବେଳ ଫୁଲୁଛି। ମଥାନୀରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ କ୍ରମାଗତ ଜଳକା ଫୁଲିବାରେ ଲାଗିଛି। ଆସନ୍ତାକାଲିଠାରୁ ପୁଣି ଲଘୁଚାପ ଜନିତ ବଡ ବର୍ଷା ହେବାକୁ ଥିବାରୁ ଆହୁରି ନଦୀ ଫୁଲିବ। ଫଳରେ ତଳିଆ ଅଞ୍ଚଳ ଗୁଡିକରେ ବନ୍ୟା ଜନିତ ବିପଦ ଘନଉଛି।
ଆଗକୁ ହୀରାକୁଦ ପାଣି କଟକରେ ପହଞ୍ଚିବା ପରେ ଜଳପତ୍ତନ ବୃଦ୍ଧି ପାଇବା ଆଶଙ୍କା ରହିଛି। ଏବେ କେବଳ ଜଳକା ନଦୀ ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଊଥିବାବେଳେ ରାଜ୍ୟର ଅନ୍ୟ ସବୁ ନଦୀର ଜଳସ୍ତର ବଢ଼ିଥିଲେ ହେଁ ବିପଦ ସଙ୍କେତ ତଳେ ତଥା ଏହାର ପାଖାପାଖି ପ୍ରବାହିତ ହେଉଛନ୍ତି। ନଦୀ ଗୁଡିକ ଏବେ ଜଳପୂର୍ଣ୍ଣ ଥିବାରୁ ବିଭାଗ ପକ୍ଷରୁ ଅଧିକ ସତର୍କ ଦୃଷ୍ଟି ରଖାଯାଇଛି। ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ସରକାର ପ୍ରସ୍ତୁତ ଥିବା ସେ କହିଛନ୍ତି। ତେବେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାରୁ ଏହା ପ୍ରଭାବରେ ଅଧିକ ବର୍ଷା ସମ୍ଭାବନା ରହିଛି। ଏହା ହୁଏତ ବନ୍ୟା ସ୍ଥିତି ଉପୁଜାଇପାରେ ବୋଲି ସାଧାରଣରେ ଆଶଙ୍କା ବଢିଛି।

Comments are closed.