ଆଗଲପୁରରେ କରକାପାତ: ଚାଷକାର୍ଯ୍ୟ ପ୍ରଭାବିତ

ବରପାଲି: ବରପାଲି ବ୍ଲକ ଆଗଳପୁର ଅଞ୍ଚଳରେ ଗୁରୁବାର ରାତିରେ ଝଡବାତ୍ୟା ଓ କରକାପାତ ହେବା ଫଳରେ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ଏଥିସହିତ ଏହାଦ୍ୱାରା ଚାଷକାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ଏହି ଅଞ୍ଚଳର ତେନ୍ତେଲପାଲି, ତେଜଙ୍ଗ ଦଲପତପାଲି ରକ୍ସା ସହିତ ଆଖପାଖ ଗ୍ରାମଗୁଡିକ ଏଥିରେ କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ବର୍ଷା, ପବନ ଓ କରକାପାତ ଯୋଗୁଁ ଲୋକଙ୍କ ଛପର ଘର ଉଡିଯିବା ସହିତ ବଡ ବଡ ଗଛ ଉପୁଡି ରାସ୍ତା ଅବରୋଧ ହେବା ସହିତ ଚାଷଜମିରେ ପଡିଛି। ତେନ୍ତେଲପାଲି ଗ୍ରାମର ସୁବାଶ ନାଏକ, ପଞ୍ଚମ ସେଠ, ରାଘବ ପଧାନ, ଶଶିକାନ୍ତ ବୁଡେକ, ଲଖ୍ୱଣ ରଣା, ମନବୋଧ ପଧାନଙ୍କ ସମେତ ବହୁ ଚାଷୀ କ୍ଷତିଗ୍ରସ୍ତ ହେବାପରେ ସେମାନେ ନଷ୍ଟ ହୋଇଥିବା ଧାନଗଛ ଧରି ସ୍ଥାନୀୟ ତହସିଲଦାର, କୃଷି ବିଭାଗ ଅଧିକାରୀ ଏବଂ ବ୍ଲକ ଅଧ୍ୟକ୍ଷ କିଶୋର ଦଫାଦାରଙ୍କ ନିକଟରେ ସେମାନଙ୍କୁ ସହାୟତା ଦେବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ବ୍ଲକ ଅଧ୍ୟକ୍ଷ ଚାଷୀଙ୍କୁ ସାନ୍ତ୍ୱନା ଦେବା ସହିତ ଏ ସମ୍ପର୍କରେ କୃଷି ବିଭାଗ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତହସିଲଦାର ଅକ୍ଷୟ ବାଗ ଚାଷୀଙ୍କ ଦାବିପତ୍ର ଗ୍ରହଣ କରି ରାଜସ୍ୱ ନିରୀକ୍ଷକଙ୍କୁ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ସଠିକ ବିବରଣୀ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସଂପ୍ରତି କେତେକ ଅଞ୍ଚଳରେ ଧାନ ଅମଳ ଚାଲିଥିବା ଏବଂ ଆଉ କେତେକ ସ୍ଥାନରେ ଜମିରେ ଥିବା ପାଚିଲା ଧାନକୁ ଚାଷୀ ଅମଳ କରିବାକୁ ସଜବାଜ ହେଉଥିବାବେଳେ ଝଡବର୍ଷା ଓ କୁଆପଥର ମାଡରେ ସେମାନେ ଫସଲ ହରାଇଥିବା ଚାଷୀମାନେ କହିଛନ୍ତି। ଏଥିସହିତ ଅଞ୍ଚଳରେ ହୋଇଥିବା ବିଲାତି ବାଇଗଣ, ପିଆଜ, ବାଇଗଣ, ଆମ୍ବ, ଝୁଡଙ୍ଗ ଆଦି ଫସଲ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ଉଚିତ ସହାୟତା ଯୋଗାଇଦେବାକୁ ସ୍ୱାଭିମାନ ମଞ୍ଚ ପକ୍ଷରୁ ଦାବି କରାଯାଇଛି।

Comments are closed.