ଆଉ ଦୁଇ ଦିନ ଢାଳିବ

୨୪ ଘଣ୍ଟାରେ ଅବପାତ,୩ ଜିଲାରେ ଅତି ପ୍ରବଳ, ୮ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଅବ୍ୟାହତ ରହିଛି। ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଆଖପାଖ ଦକ୍ଷିଣପାର୍ଶ୍ବ ଓଡ଼ିଶା ଉପକୂଳ ଅଞ୍ଚଳ ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସୁଦୃଶ୍ୟ ଲଘୁଚାପ ସୋମବାରଠାରୁ ଅବପାତର ରୂପ ନେବା ଆରମ୍ଭ କରିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର ଓ ଛତିଶଗଡ଼ ଆଡ଼କୁ ଗତି କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଏହାର ପ୍ରଭାବରେ ଆଗାମୀ ଦୁଇଦିନ ଧରି ବର୍ଷା ଲାଗି ରହିବ। ଆସନ୍ତାକାଲି ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲାର କେତେକ ସ୍ଥାନରେ ଅତି ପ୍ରବଳ(୨୦ ସେମିରୁ ଅଧିକ) ବର୍ଷା ହୋଇପାରେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ଏହି ୩ଟି ଜିଲା ଲାଗି ଲାଲ୍‌ ସତର୍କତା ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଏହି ଜିଲାରେ ଭୂସ୍ଖଳନ ହେବା ଆଶଙ୍କା କରାଯାଉଛି। ସେହିଭଳି ଆସନ୍ତାକାଲି ଖୋର୍ଦ୍ଧା, ପୁରୀ, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଜିଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏସବୁ ଜିଲା ଲାଗି କମଳା ରଙ୍ଗର ସତର୍କ ସୂଚନା ଜାରି କରାଯାଇଛି। ତେବେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଦ, ଅନୁଗୋଳ, ଢେଙ୍କାନାଳ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲାର କେତେକ ସ୍ଥାନରେ ପ୍ରବଳ (୭ରୁ ୧୧ ସେମି) ବର୍ଷା ସମ୍ଭାବନାକୁ ଦେଖି ହଳଦିଆ ସତର୍କ ସୂଚନା ଜାରି କରାଯାଇଛି।
ତେବେ ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ବରଗଡ଼, ସମ୍ବଲପୁର, ଅନୁଗୋଳ ଓ କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ଓ କେତେକ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ଆକଳନ କରି ଲାଲ ସତର୍କ ସୂଚନା ଜାରି କରାଯାଇଛି। ସେହିଭଳି ସୋନପୁର, ବଲାଙ୍ଗିର, ବୌଦ୍ଦ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡା, ଢେଙ୍କାନାଳ, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଓ ଜଗତସିଂହପୁର ଜିଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନାକୁ ଦେଖି କମଳା ରଙ୍ଗର ସତର୍କ ସୂଚନା ଜାରି କରାଯାଇଛି। ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଗଜପତି, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, ନୟାଗଡ଼, ପୁରୀ ଓ ରାୟଗଡ଼ା ଲାଗି ହଳଦିଆ ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୧ ତାରିଖ ଆଡ଼କୁ ବର୍ଷା କମିବା ସମ୍ଭାବନା ରହିଛି। ତଥାପି ଜଗତସିଂହପୁର, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଦେବଗଡ଼, ଅନୁଗୋଳ, ମୟୁରଭଞ୍ଜ, ବାଲେଶ୍ବର ଓ ବରଗଡ଼ ଜିଲାର କେତେକ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ସୋନପୁର, ବଲାଙ୍ଗିର, ବୌଦ୍ଦ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଜଗତସିଂହପୁରର କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ପାଣିପାଗ କାର୍ଯ୍ୟାଳୟ ସୂଚନାରୁ ପ୍ରକାଶ।
ଗତ ୨୪ ଘଣ୍ଟାରେ ନବବରଙ୍ଗପୁର ଜିଲା ଡାବୁଗାଁ ଠାରେ ସର୍ବାଧିକ ୨୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟରେ ୭ଟି ସ୍ଥାନରେ ଅତିପ୍ରବଳ ବର୍ଷା ହୋଇଥିବା ବେଳେ ୧୬ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

Comments are closed.