କରୋନା ଟୀକାକୁ ନେଇ କେନ୍ଦ୍ର ସରକାରଙ୍କ ସ୍ପଷ୍ଟୀକରଣ, ଦେଶର ସମସ୍ତ ନାଗରିକଙ୍କୁ ମିଳିବନି କରୋନା ଟୀକା

ନୂଆଦିଲ୍ଲୀ : କରୋନା ଭାଇରସ ମଧ୍ୟରେ କେବେ ଲୋକଙ୍କୁ ଟୀକା ମିଳିବ, ତା’କୁ ସମସ୍ତେ ଚାତକ ଭଳି ଚାହିଁବସିଛନ୍ତି। କେବେ ଆସିବ କରୋନା ଟୀକା ? କାହାକୁ ମିଳିବ ଭ୍ୟାକସିନ୍ ? ଟୀକା ଖବରକୁ ନେଇ ସମସ୍ତଙ୍କ ମନରେ ରହିଛି ଉତ୍ସୁକତା। ଏସବୁ ଭିତରେ ଆଜି କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। କରୋନା ଟୀକା ଭାରତରେ ପହଞ୍ଚିଲେ ମଧ୍ୟ ଏହା ଦେଶର ପ୍ରତିଟି ନାଗରିକଙ୍କୁ ଦିଆଯିବ ନାହିଁ। ଦେଶର ସବୁ ନାଗରିକଙ୍କୁ କରୋନା ଟୀକା ଦିଆଯିବ ବୋଲି କେନ୍ଦ୍ର ସରକାର କେବେ ବି କହି ନାହାନ୍ତି। ତେଣୁ ସାରା ଦେଶବାସୀଙ୍କୁ ଟିକାକରଣ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟ କରିଛନ୍ତି।


ସେ କହିଛନ୍ତି ଯେ ଭାରତରେ ଭ୍ୟାକ୍ସିନ ପ୍ରସ୍ତୁତର ଉଦ୍ଦେଶ୍ୟକୁ ପ୍ରଥମେ ବୁଝିବାକୁ ପଡ଼ିବ । ସଭିଁଙ୍କୁ ଭ୍ୟାକ୍ସିନ ଦେବା କଥା ସରକାର କେବେ କହିନାହାନ୍ତି କିମ୍ୱା ଏହା କେନ୍ଦ୍ର ସରକାରଙ୍କର ଲକ୍ଷ୍ୟ ମଧ୍ୟ ନୁହେଁ । ମୁଖ୍ୟତଃ କରୋନା ଶୃଙ୍ଖଳକୁ ଭାଙ୍ଗିବା ପାଇଁ କେନ୍ଦ୍ର ସରକାର ଭ୍ୟାକ୍ସିନ ପ୍ରସ୍ତୁତ କରୁଛନ୍ତି । ଭ୍ୟାକ୍ସିନ ଆସିବା ପରେ ମଧ୍ୟ ସମସ୍ତଙ୍କୁ ଭ୍ୟାକ୍ସିନ ଦିଆଯିବ ନାହିଁ । ଟୀକା ସେହି ମାନଙ୍କୁ ଦିଆଯିବ ଯାହା ଦ୍ବାରା କରୋନା ସଂକ୍ରମଣର ଚେନ୍ ଭଙ୍ଗାଯାଇପାରିବ । କରୋନା ଚେନ୍ ଭାଙ୍ଗିବା ଆମର ପ୍ରଥମ ଲକ୍ଷ୍ୟ । ଯଦି ଆମେ ସଂକ୍ରମଣ ଆଶଙ୍କା ଥିବା ଲୋକ ବା ନିର୍ଦ୍ଦିଷ୍ଟ ବର୍ଗଙ୍କୁ ଟୀକା ଦେଇପାରିବୁ ଓ ଏହା ଦ୍ବାରା ସଂକ୍ରମଣ ଚେନ୍ ଭାଙ୍ଗିପାରିବୁ ତେବେ ସାରା ଦେଶବାସୀଙ୍କୁ ଟୀକା ଦେବାର କୌଣସି ଆବଶ୍ୟକତା ପଡ଼ିବ ନାହିଁ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସଚିବ କହିଛନ୍ତି,କରୋନା ସଂକ୍ରମଣ ବଢିବା ସହ ଭ୍ୟାକ୍ସିନ ପ୍ରସ୍ତୁତିକୁ ପ୍ରକ୍ରିୟାକୁ ମଧ୍ୟ ଦ୍ରୁତ ଗତିରେ କରିବା ପାଇଁ ପ୍ରୟାସ କରାଯାଇଥିଲା । ଯାହା ଭ୍ୟାକ୍ସିନ ପ୍ରସ୍ତୁତିର ସ୍ୱାଭାବିକ ପଦ୍ଧତି ନୁହେଁ । ସାଧାରଣତଃ ଟୀକା ପ୍ରସ୍ତୁତ ହେବାକୁ ୮ ରୁ ୧୦ ବର୍ଷ ଲାଗେ । ସବୁଠୁ ଶୀଘ୍ର ତିଆରି ହେଉଥିବା ଭ୍ୟାକ୍ସିନକୁ ବିକଶିତ କରିବାକୁ ମଧ୍ୟ ୪ ବର୍ଷ ଲାଗିଯାଏ । ହେଲେ କୋରୋନା ମହାମାରୀର ପ୍ରଭାବକୁ ଦେଖି ଆମେ ଏହାକୁ ସ୍ବଳ୍ପ ସମୟ ମଧ୍ୟରେ କରିବାକୁ ଚେଷ୍ଟା କରୁଛୁ । ଆମେ ୧୬ ରୁ ୧୮ ମାସ ମଧ୍ୟରେ କରୋନା ଟୀକା ପ୍ରସ୍ତୁତ କରିଥିବା କହିଛନ୍ତି ରାଜେଶ ଭୂଷଣ ।


ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଇଣ୍ଡିଆନ କାଉଁସିଲ ଅଫ ମେଡିକାଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ବଳରାମ ଭାର୍ଗବ କହିଛନ୍ତି ଯେ ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି କି ସମଗ୍ର ଦେଶରେ ଟୀକାକରଣ କରାଯିବ ବୋଲି ସରକାର କେବେ କହି ନାହାଁନ୍ତି। ଟୀକାକରଣର ପ୍ରଭାବ ଉପରେ ଟୀକାକରଣ ନିର୍ଭର କରିବ । ସେ କହିଛନ୍ତି ଯେ କୋଭିଡ ସଂକ୍ରମଣର ଚେନ ଭାଙ୍ଗିବା ଆମର ଲକ୍ଷ୍ୟ। ଯଦି ଆମେ ବିପଦରେ ଥିବା ଲୋକଙ୍କୁ ଟୀକା ଦେବାରେ ସଫଳ ଏବଂ ସଂକ୍ରମଣର ଲିଙ୍କ ଭାଙ୍ଗିବାରେ ସକ୍ଷମ, ତେବେ ସମଗ୍ର ଜନସଂଖ୍ୟା ଟୀକାକରଣର କୌଣସି ଆବଶ୍ୟକତା ନାହିଁ ।

Comments are closed.