ଶାରୀରିକ ଦୂରତା ପାଳନ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଗୁରୁତ୍ୱ

ସମାଜ ପୋର୍ଟାଲ ଡେସ୍କ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍‍ – ୧୯ ସଂକ୍ରମଣ ବ୍ୟାପିବାକୁ ରୋକିବା ପାଇଁ ହାତକୁ ପରିଷ୍କାର ରଖିବା ଓ ଶାରୀରିକ ଦୂରତା ବଜାୟ ରଖିବା ଭଳି ନିୟମଗୁଡ଼ିକର କଡ଼ାକଡ଼ି ପାଳନ କରିବାକୁ ଲୋକମାନଙ୍କୁ ପୁନର୍ବାର ଅନୁରୋଧ କରିଛି। କିଛି ଟ୍ୱିଟ କରି ମନ୍ତ୍ରଣାଳୟ କହିଛି, ଲୋକମାନେ ସର୍ବଦା ଶାରୀରିକ ଦୂରତା ବଜାୟ ରଖିବା ଦରକାର ଓ ବାରମ୍ବାର ସେମାନଙ୍କର ହାତ ସାବୁନରେ ଧୋଇବା ଆବଶ୍ୟକ। ସାବୁନ ନ ଥିବା ସ୍ଥଳେ ହାତକୁ ସାନିଟାଇଜରରେ ଭଲଭାବେ ମାଲିସ୍‍ କରିବା ଉଚିତ୍‍।

ମନ୍ତ୍ରଣାଳୟ କହିଛି, ସର୍ବସାଧାରଣ ସ୍ଥାନଗୁଡ଼ିକରେ ଛେପ, ଖଙ୍କାର କିମ୍ବା ପାନ ପିକ ବା ଗୁଟକା ପକାଇବା ଏକ ଦଣ୍ଡନିୟ ଅପରାଧ ହୋଇଛି। ଛେପ-ଖଙ୍କାର ପକାଇବା ଦ୍ୱାରା ଭୂତାଣୁ ସଂକ୍ରମଣର ବିପଦ ବଢ଼ିଯାଇଥାଏ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଲୋକମାନଙ୍କୁ ମାସ୍କ୍‍ ପିନ୍ଧିବା କିମ୍ବା ମୁହଁକୁ ରୁମାଲ କିମ୍ବା କପଡ଼ା ଦ୍ୱାରା ଆବୃତ୍ତ ରଖିବାକୁ ପରାମର୍ଶ ଦେଇଛି। ଏହାଦ୍ୱାରା ସଂକ୍ରମଣ ଶୃଙ୍ଖଳକୁ ଭଙ୍ଗ କରାଯାଇ ପାରିବ। ଯଦି କୌଣସି ଲୋକଙ୍କ ଶରୀରରେ ସଂକ୍ରମଣର ଲକ୍ଷଣ ଦେଖାଦିଏ ତେବେ ଏ ବିଷୟରେ ନିଶ୍ଚିତ ହେବା ପରେ ସେହି ବ୍ୟକ୍ତିଙ୍କୁ ପରୀକ୍ଷା କରାଇ ନେବା ଲାଗି ଉତ୍ସାହିତ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ସର୍ବସାଧାରଣଙ୍କୁ କୁହାଯାଇଛି।

ସଂକ୍ରମିତ ଲୋକମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଗଲେ ଏହା ସେମାନଙ୍କୁ ସହାୟତା ଲୋଡ଼ିବାରୁ ନିରୁତ୍ସାହିତ କରିବ ଓ ଫଳ ସ୍ୱରୂପ ସେମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଜଟିଳ ହୋଇପଡ଼ିବ। ସେ ଦୃଷ୍ଟିରୁ କୌଣସି ସଂକ୍ରମିତ ଲୋକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ଉଚିତ୍‍ ନୁହେଁ। ପ୍ରତ୍ୟେକଙ୍କ ସୁରକ୍ଷାକୁ ନିଶ୍ଚିତ କରିବାକୁ ହେଲେ ଦୁଇ ଗଜର ଦୂରତା ବଜାୟ ରଖିବା ଅତ୍ୟନ୍ତ ଜରୁରୀ। ଲୋକମାନେ ହାତ ସଫା ନ କରି ମୁହଁ ଓ ନାକରେ ହାତ ଲଗାଇବା ଉଚିତ୍‍ ନୁହେଁ। ଏହାଛଡ଼ା ତମାଖୁ ଚୋବାଇବା ଏହାର ଛେପ ପକାଇବା ଭୂତାଣୁ ସଂକ୍ରମଣ ବ୍ୟାପିବା ପାଇଁ ସହଜ ହେବ ଓ ସର୍ବସାଧାରଣଙ୍କ ସ୍ୱାସ୍ଥ୍ୟ ରକ୍ଷା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ। କୌଣସି ବ୍ୟକ୍ତିଙ୍କଠାରେ ଜ୍ୱର, କାଶ ଓ ଶ୍ୱାସକ୍ରିୟାରେ ଅସୁବିଧା ଭଳି ଲକ୍ଷଣ ଦେଖାଦେଲେ ସେମାନେ ତୁରନ୍ତ ସର୍ବଭାରତୀୟ ହେଲ୍ପଲାଇନ୍‍ ନମ୍ବର ୧୦୭୫କୁ ଯୋଗାଯୋଗ କରିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

Comments are closed.