ପିସି ମାଗିବା ଭିଡିଓ ଭାଇରାଲ ପରେ ପ୍ରଧାନ ଶିକ୍ଷୟତ୍ରୀ ନିଲମ୍ବିତ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଡୁମୁଣିଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଇ. ସରୋଜିନୀ ଜଣେ ବ୍ୟବସାୟୀଙ୍କୁ ଖୁଲମ ଖୁଲା ପିସି ମାଗିଥିବାର ଭିଡିଓ ଭାଇରାଲ ହେବା ପରେ ଆଜି ତାଙ୍କୁ ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ପିସି କାରବାରର ଏହି ଭିଡିଓ ଭାଇରାଲ ସହ ଖବର ପ୍ରସାରଣ ପରେ ବ୍ଲକ ଶିକ୍ଷା ବିଭାଗ ତରଫରୁ ତଦନ୍ତ କରାଯାଇଛି। ତେବେ ଆଜି ସ୍କୁଲ ପରିଚାଳନା କମିଟି ସଭାପତି ମହେଶ୍ୱର ମାଝୀ ପ୍ରଧାନ ଶିକ୍ଷୟତ୍ରୀ ଇ. ସରୋଜିନୀ ଓ ତାଙ୍କ ପୁଅ ଏ. ସାଇ ରାଜୁଙ୍କ ବିରୁଦ୍ଧରେ ଜାତିଆଣ ଆକ୍ଷେପ ସହ ଅଶ୍ରବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମଦୁଆ ବୋଲି ଆକ୍ଷେପ ନେଇ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଫଳରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ସମସ୍ୟା ପୁଣି ବଢିଯାଇଛି।

ମଙ୍ଗଳବାର ଡୁମୁନିଗୁଡ଼ାର ଶତାଧିକ ପୁରୁଷ ମହିଳା ସ୍କୁଲ ସଭାପତିଙ୍କୁ ସପକ୍ଷରେ ବାହାରି ଡାବୁଗାଁ ଥାନାରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ଏହା ସହ ଶିକ୍ଷା ବିଭାଗ ତରଫରୁ ଡୁମୁଣିଗୁଡ଼ା ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ଦ୍ଵିତୀୟ କିସ୍ତିର ମଧ୍ୟାନ୍ନ ଭୋଜନ ଚାଉଳ ହେରଫେର କରିଥିବା ନେଇ ମଧ୍ୟ ଏକ ଦାବିପତ୍ର ଡାବୁଗାଁ ବିଇଓ ପ୍ରଶାନ୍ତ କୁମାର ହୋତାଙ୍କୁ ପ୍ରଦାନ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ଯେଉଁ ପରିମାଣର ମଧ୍ୟାହ୍ନ ଭୋଜନ ଚାଉଳ ଦେବା କଥା ତାହାଠାରୁ ଯଥେଷ୍ଟ କମ୍ ଦେଇଥିବା ନେଇ ଅଭିଯୋଗ କରିଛନ୍ତି ଏବଂ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଗ୍ରାମବାସୀ ବିଇଓଙ୍କୁ ଦାବି କରିଛନ୍ତି।

ସୂଚନା ଥାଉ କି ଡୁମୁଣିଗୁଡ଼ା ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଡାବୁଗାଁର ବ୍ୟବସାୟୀ ଗୋବିନ୍ଦ ଅଗ୍ରୱାଲଙ୍କ ଠାରୁ ସ୍କୁଲ ସଭାପତିଙ୍କ ସହମତିରେ ୧୮୦ ସ୍କୁଲ ପିଲାଙ୍କୁ ୟୁନିଫର୍ମ ଯୋଗାଇ ଦେବା ନେଇ ଚୁକ୍ତି କରିଥିଲେ। କିନ୍ତୁ ଦେଢ଼ ମାସରୁ ଉର୍ଦ୍ଧ୍ବ ସମୟ ପରେ ମଧ୍ୟ ୟୁନିଫର୍ମ ବାବଦକୁ ୧ ଲକ୍ଷ ୮ ହଜାର ଟଙ୍କା ପ୍ରଧାନ ଶିକ୍ଷୟତ୍ରୀ ପ୍ରଦାନ ନ କରିବାରୁ ସମ୍ପୃକ୍ତ ବ୍ୟବସାୟୀ ସ୍କୁଲ ପରିଚାଳନା କମିଟିକୁ ଟଙ୍କା ଦେବା ପାଇଁ ଫୋନ୍ କରିଥିଲେ। ଗତ ସପ୍ତାହରେ ଡାବୁଗାଁର ବ୍ୟବସାୟୀ ଗୋବିନ୍ଦ ଅଗ୍ରୱାଲଙ୍କ ଦୋକାନରେ ପ୍ରଧାନ ଶିକ୍ଷୟତ୍ରୀ ଇ. ସରୋଜିନୀ ପହଞ୍ଚି ଦୋକାନୀଙ୍କୁ ୧୫ ହଜାର ଟଙ୍କା କାର୍ଯ୍ୟାଳୟ କର୍ମଚାରୀ ଓ ଆକାଉଣ୍ଟାଣ୍ଟଙ୍କୁ ଦେଲେ ହିଁ ୟୁନିଫର୍ମ ଟଙ୍କା ଦିଆଯିବ ବୋଲି କହିଥିଲେ ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Comments are closed.