ସ୍କୁଲ ଭିତରେ ୫ ଛାତ୍ରୀଙ୍କୁ ଦୁଷ୍କର୍ମ, ପ୍ରଧାନ ଶିକ୍ଷକଙ୍କ ନାଁରେ ମାମଲା

ଗୁରୁ-ଶିଷ୍ୟ ସମ୍ପର୍କ ପବିତ୍ର। କିନ୍ତୁ ଆଜିକାଲି ସମୟରେ ଅଧିକାଂଶ କ୍ଷେତ୍ରରେ ଏହାକୁ କଳଙ୍କିତ କରୁଛନ୍ତି କିଛି ଶିକ୍ଷକ। ସେମାନଙ୍କ ପାଇଁ ଏହି ସମ୍ପର୍କରେ ଦାଗ ଲାଗିଯାଉଛି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାରେ। ଏକ ସରକାରୀ ସ୍କୁଲର ପ୍ରଧାନ ଶିକ୍ଷକ ୫ ଜଣ ଛାତ୍ରୀଙ୍କୁ ସ୍କୁଲ ଭିତରେ ବାରମ୍ବାର ଦୁଷ୍କର୍ମ କରିବା ଭଳି ଚାଞ୍ଚଲ୍ୟକର ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ତେଲେଙ୍ଗାନାର ଭଦ୍ରାଦ୍ରି କୋଠାଗୁଡେମ ଜିଲାରେ ଏହି ଘଟଣା ଘଟିଛି। ଘଟଣାଟି ସାମ୍ନାକୁ ଆସିବା ପରେ ପୁଲିସ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ୪୦ ବର୍ଷୀୟ ଏହି ପ୍ରଧାନ ଶିକ୍ଷକ ସ୍କୁଲ ପରିସରରେ ୭ରୁ ୧୧ ବର୍ଷର ୫ ଛାତ୍ରୀଙ୍କୁ ଦୁଷ୍କର୍ମ କରିଛନ୍ତି। ଗତ ଅଗଷ୍ଟରୁ ବାରମ୍ବାର ସେ ଏପରି ଘୃଣ୍ୟ କାର୍ଯ୍ୟ କରିଆସୁଥିଲେ ବୋଲି ପୁଲିସ କହିଛି।
ଏପରି କି ଦୁଷ୍କର୍ମ କରିବା ପୂର୍ବରୁ ସେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଭିଡିଓ ଦେଖାଉଥିଲେ। ଦୁଷ୍କର୍ମ ପରେ ଏ ବିଷୟରେ କାହାକୁ ନ କହିବା ଲାଗି ଧମକ ଦେଉଥିଲେ। କିନ୍ତୁ ନିକଟରେ ୨ୟ ଶ୍ରେଣୀରେ ପଢୁଥିବା ଜଣେ ୭ବର୍ଷୀୟା ଛାତ୍ରୀ ହଠାତ୍ ଅସୁସ୍ଥ ହୋଇଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସେ ତାଙ୍କ ମା’ଙ୍କୁ ସମ୍ପୂର୍ଣ୍ଣ ଘଟଣା କହିଥିଲେ। ଏ ନେଇ ପୁଲିସ ନିକଟରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତରୁ ଜଣାପଡ଼ିଥିଲା ଯେ, ସମ୍ପୃକ୍ତ ପ୍ରଧାନ ଶିକ୍ଷକ ଜଣକ ଏହି ଜଣେ ଛାତ୍ରୀ ନୁହେଁ, ବରଂ ୫ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଆସୁଥିଲେ ବୋଲି ଲକ୍ଷ୍ମୀଦେବପାଲ୍ଲୀ ଥାନା ଏସଆଇ ଅଞ୍ଜୟା କହିଛନ୍ତି।
ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆଇପିସି ଦଫା ୩୭୬ ଏବଂ ପୋକ୍ସୋ ଆଇନ ଅନୁସାରେ ମାମଲା ରୁଜୁ କରିଛି ପୁଲିସ। ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଏଯାଏ ଧରାପଡ଼ି ନାହିଁ।