‘ହୱା ସିଂହ’ ପୋଷ୍ଟର; ଭିନ୍ନ ଲୁକ୍‌ରେ ସୁରଜ

ମୁମ୍ବଇ: ବଲିଉଡ଼ ଅଭିନେତା ସୁରଜ ପଞ୍ଚୋଲି ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ହୱା ସିଂହ’ର ପ୍ରଥମ ପୋଷ୍ଟର ମଙ୍ଗଳବାର ସାମ୍ନାକୁ ଆସିଛି। ବଲିଉଡ଼ ଭାଇଜାନ୍‍ ସଲମାନ ଖାନ ସାମାଜିକ ଗଣମାଧ୍ୟମରେ ଏହି ପୋଷ୍ଟର ଶେୟାର କରିଛନ୍ତି। ‘ହୱା ସିଂହ’ ହେଉଛି ଦେଶ-ଦୁନିଆର ପ୍ରସିଦ୍ଧ ବକ୍ସର ହୱା ସିଂହଙ୍କ ବାୟୋପିକ୍‍। ହୱା ସିଂହଙ୍କୁ ଭାରତୀୟ ବକ୍ସିଂର ଜନକ ବୋଲି ମଧ୍ୟ କୁହାଯାଏ।


ପୋଷ୍ଟରରେ ସୁରଜଙ୍କ ଲୁକ୍‍ ଖୁବ୍‍ ଆକର୍ଷଣୀୟ ହୋଇଛି। ତାଙ୍କ ମୁହଁ କ୍ଷୀର ଗ୍ଲାସରେ ଢଙ୍କା ହୋଇଛି ଓ ତାଙ୍କ ପାର୍ଶ୍ବରେ ବକ୍ସିଂ ଗ୍ଲୋବ୍ସ ନଜର ଆସିଛି। ସଲମାନ ‘ହୱା ସିଂହ’ରେ ସୁରଜଙ୍କ ଏହି ଲୁକ୍‍ ଶେୟାର କରି ଲେଖିଛନ୍ତି, ‘ହୱା ସହ କଥା ହେବ ସିଂହ’। ଏଠାରେ ଉଲ୍ଲେଖଯୋଗ୍ୟ, ସଲମାନ ହିଁ ସୁରଜଙ୍କୁ ନିଜ ପ୍ରଡକ୍ସନର ପ୍ରଥମ ସିନେମା ‘ହିରୋ’ ଜରିଆରେ ବଲିଉଡ଼ରେ ଲଞ୍ଚ୍‍ କରାଇଥିଲେ। ସାମ୍‍ ଏସ୍‍ ଫର୍ଣ୍ଣାଣ୍ଡିସ୍‍ ଓ କମଲେଶ ସିଂହ କୁଶୱହାଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ପ୍ରକାଶ ନାମ୍ବିଆର ବହନ କରିଛନ୍ତି। ‘ହୱା ସିଂହ’ ଚଳିତ ବର୍ଷ ପରଦାକୁ ଆସିବ।

Comments are closed.