ଶୀତରେ ଥରୁଛି ଓଡ଼ିଶା : ୨୫ ପର୍ଯ୍ୟନ୍ତ ଅସମ୍ଭାଳ ଜାଡ଼

ଭୁବନେଶ୍ବର : ଉତ୍ତର ଭାରତରୁ ଥଣ୍ଡା ପବନ ପ୍ରବାହ ଅବ୍ୟାହତ ଥିବାବେଳେ ରାଜ୍ୟବ୍ୟପୀ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। କ୍ରମାଗତ ଭାବେ ତିନିଦିନ ଧରି ଦକ୍ଷିଣ, ଉତ୍ତର, ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ଖସିବାରେ ଲାଗିଛି। ବିଶେଷ କରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୋଳ , ଝାରସୁଗୁଡ଼ାଠାରୁ ଆରମ୍ଭ କରି କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଓ କୋରାପୁଟରେ ପାରଦ ସ୍ବାଭାବିକଠାରୁ ୫ରୁ ୬ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଉପକୂଳ ଓଡ଼ିଶାରେ ମଧ୍ୟ ସର୍ବନମ୍ନ ତାପମାତ୍ରା ୪ରୁ ୫ ଡ଼ିଗ୍ରୀ ପର୍ଯ୍ୟନ୍ତ କମିଛି। ହଠାତ ଜାଡ଼ ମାଡ଼ିଆସିବା ଫଳରେ ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ଏବେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ଦାରିଙ୍ଗବାଡ଼ି, ଫୁଲବାଣୀ ଓ ଦକ୍ଷିଣ ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ପାରଦ ମାତ୍ରାଧିକ ଖସିବା ଫଳରେ ସ୍ବାଭାବିକ ଜୀବନଯାତ୍ରା ବ୍ୟାହତ ହୋଇଛି।

ଗତ ଦୁଇଦିନ ଧରି ଫୁଲବାଣୀରେ କ୍ରମାଗତ ଭାବେ ସର୍ବନିମ୍ନ ତାପମାତ୍ରା ରାଜ୍ୟରୁ ସବୁଠୁ କମ ୪ଡ଼ିଗ୍ରୀ ସେଲସିୟସ ରହିଥିିବା ବେଳେ ଅନ୍ୟନ୍ୟ ଅଞ୍ଚଳରେ ଶୀତ ପ୍ରକୋପ ଦିନକୁ ଦିନ ଅସମ୍ଭାଳ ହେଉଛି। ପାଣିପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ଲହରୀ ଲାଗିରହିବ। ରାଜ୍ୟର ବିଭିନ୍ନ ପାଣିପାଗ ଷ୍ଟେସନରୁ ମିଳିଥିବା ରିପୋର୍ଟ ଅନୁସାରେ ରାଜ୍ୟର ୧୩ଟି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀରୁ କମ ରହିଛି। ଦାରିଙ୍ଗବାଡିରେ ୫.୫, ଅନୁଗୋଳରେ ୬, କୋରାପୁଟରେ ୬.୬, ଭବାନୀପାଟଣାରେ ୭.୨, ଝାରସୁଗୁଡା ଏବଂ ସୁନ୍ଦରଗଡରେ ୭.୫, ବାରିପଦାରେ ୮.୫, କେନ୍ଦୁଝର ଏବଂ ଟିଟିଲାଗଡରେ ୯, ବଲାଙ୍ଗୀରରେ ୮.୮, ସୋନପୁରରେ ୯.୫ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଛି। ରାଜ୍ୟର ୨୮ଟି ଷ୍ଟେସନ ମଧ୍ୟରୁ ୨୬ଟିରେ ସର୍ବନିମ୍ନ ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଛି। ବାଲେଶ୍ବରରେ ୧୧.୮, ଚାନ୍ଦବାଲିରେ ୧୧.୭, ପାରାଦ୍ବୀପରେ ୧୩.୪, ଗୋପାଳପୁରରେ ୧୩.୩, ପୁରୀରେ ୧୪.୮, ସମ୍ବଲପୁରରେ ୧୦.୨, ହୀରାକୁଦରେ ୧୧.୧, ତାଳଚେରରେ ୧୦.୧, ମାଲକାନଗିରିରେ ୧୦.୫, ନୟାଗଡରେ ୧୧.୭ ଏବଂ ରାୟଗଡାରେ ତାପମାତ୍ରା ୧୩.୫ ଡିଗ୍ରୀ ସେଲସିୟସ୍‌ ଥିବା ରେକର୍ଡ କରାଯାଇଛି।

ରାତିର ସର୍ବନିମ୍ନ ତାପମାତ୍ରାରେ ଆଗାମୀ ୩ରୁ ୪ଦିନ ପର୍ଯ୍ୟନ୍ତ ପରିବର୍ତ୍ତନ ହେବା ସମ୍ଭାବନା ନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡିକରେ ରାତିର ସ୍ବାଭାବିକ ତାପମାତ୍ରାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍‌ କମ ରହିବ। ଆଭ୍ୟନ୍ତରୀଣ ଜିଲାଗୁଡିକ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଦେଖାଦେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ ଭୁବନେଶ୍ବରରେ ରାତିର ସର୍ବନିମ୍ନ ତାପମାତ୍ରା ୧୧.୭ ଏବଂ କଟକରେ ୧୦.୫ ଡିଗ୍ରୀ ସେଲସିୟସ୍‌ ରେର୍କଡ କରାଯାଇଛି। ଏସବୁ ସହରରେ ଆସନ୍ତା ୩ଦିନ ପର୍ଯ୍ୟନ୍ତ ଥଣ୍ଡା ପ୍ରକୋପ ଲାଗିରହିବ। ଆଗାମୀ ତିନିଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ୱାର୍ଣ୍ଣିଂ ଜାରି କରିଛି। ବୁଧବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅନୁଗୋଳ, ଢେଙ୍କାନାଳ, ଝାରସୁଗୁଡା, ସୁନ୍ଦରଗଡ ଏବଂ କନ୍ଧମାଳ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏସବୁ ଜିଲାଗୁଡିକରେ ରାତ୍ରି ତାପମାତ୍ରା ସ୍ବାଭାବିକ ଠାରୁ ୬.୪ ଡିଗ୍ରୀ ସେଲସିୟସ୍‌ ହ୍ରାସ ପାଇବାର ସମ୍ଭାବନା ରହିଛି। ସେହିପରି ୧୦ ଜିଲାକୁ ଏଲୋୱାର୍ଣ୍ଣିଂ ଜାରି ହୋଇଛି। ଜିଲାଗୁଡିକ ହେଲା ମୟୂରଭଞ୍ଜ, ବରଗଡ, ନବରଙ୍ଗପୁର, କନ୍ଧମାଳ, କୋରାପୁଟ, ସୋନପୁର, ବୌଦ୍ଧ, ବଲାଙ୍ଗୀର, ଦେବଗଡ ଏବଂ କଟକ। ୨୪ ତାରିଖରେ ଅନୁଗୋଳ, ଝାରସୁଗୁଡା ଏବଂ କଳାହାଣ୍ଡି ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, କୋରାପୁଟ, କନ୍ଧମାଳ, ବରଗଡ, ନବରଙ୍ଗପୁର, ଢେଙ୍କାନାଳ ଏବଂ ସୁନ୍ଦରଗଡ ଜିଲାକୁ ଏଲୋୱାର୍ଣ୍ଣିଂ ଜାରି ହୋଇଛି। ୨୫ ତାରିଖ ପରେ ଶୀତର ପ୍ରକୋପ ସାମାନ୍ୟ କମିବାର ସମ୍ଭାବନା ଥିବାରୁ ଅନୁଗୋଳ, ଝାରସୁଗୁଡା, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ସୁନ୍ଦରଗଡ ଏବଂ ବରଗଡ ଜିଲାକୁ ଏଲୋୱାର୍ଣ୍ଣିଂ ଜାରି କରାଯାଇଛି।

ଥଣ୍ଡା ଲହରୀ ଜାରି ରହିଥିବାରୁ ନିଃସହାୟ ଓ ନିରାଶ୍ରୟ ଲୋକଙ୍କୁ ସ୍କୁଲ କୋଠା, କମୁନିଟି କୋଠା ଓ ଅନ୍ୟାନ୍ୟ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ରିଲିଫ କମିଶନର ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ରାତି ସମୟରେ ଦୁଇଚକିଆ ଯାନ, ଖୋଲା ଗାଡ଼ିରେ ଚଳାଚଳ ନକରିବା ପାଇଁ ପରାମର୍ଶ ଦିଆଯାଇଛି।

Comments are closed.