ଆଠଗଡ ବନଖଣ୍ଡରେ ଆରମ୍ଭ ହେଲା ହାତୀସାଥି ବାହିନୀ

ହାତୀ-ମଣିଷ ଲଢେଇକୁ ରୋକିବ

ଗୁରୁଡିଝାଟିଆ: ଓଡିଶାରେ ହାତୀ-ମଣିଷ ଲଢେଇ କ୍ଷେତ୍ରରେ ଆଠଗଡ ବନଖଣ୍ଡ ପ୍ରମୁଖ ନାମ ବହନ କରିଥାଏ। ଅନୁଧ୍ୟାନକଲେ ବେଶ ବାରି ହୋଇପଡେ ହାତୀ-ମଣିଷ ଲଢେଇ ଏହି ବନଖଣ୍ଡରେ ତିବ୍ରତର। କେତେବେଳେ ହାତୀଦ୍ୱାରା ମଣିଷ ନିହତହେଉଛି ତ ଆଉକେତେବେଳେ ଫସଲ ହରାଇ ସର୍ବସ୍ୱାନ୍ତ ହୋଇଥିବା ମଣିଷ ହାତୀକୁ ମାରିବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାଏ। ହାତୀ-ମଣିଷ ଲଢେଇକୁ ରୋକିବା ପାଇଁ ଓଡିଶାରେ ପ୍ରଥମ କରି ଆଠଗଡ ବନଖଣ୍ଡରେ ଆରମ୍ଭ ହୋଇଛି ହାତୀସାଥି ବାହିନୀ। ଏହି ହାତୀସାଥି ବାହିନୀରେ ବିଭିନ୍ନ ବର୍ଗର ଜନସାଧାରଣ ସଦସ୍ୟ ରହିଛନ୍ତି। ଶିକ୍ଷାବିତ୍‍, ସମାଜସେବୀ, ପରିବେଶବିତ୍‍, ବିଦ୍ୟାର୍ଥୀ ଓ ବିଶେଷତଃ ମହିଳାମାନେ ବି ଏଥିରେ ସାମିଲ ହୋଇଛନ୍ତି। ପ୍ରତ୍ୟେକ ସ୍ତରରେ ବନ ବିଭାଗ ସହିତ ସମନ୍ୱୟ ରଖି ଜନସାଧାରଣଙ୍କୁ ସଚେତନ କରାଇବା ସହିତ ହାତୀ-ମଣିଷ ଲଢେଇକୁ ରୋକିବା କ୍ଷେତ୍ରରେ ପଦକ୍ଷେପ ନେବେ। ଏଥିପାଇଁ ବ୍ୟାପକ ସଚେତନତା, ଫସଲହାନୀ କରିଥିବା କୃଷକୁ ତୁରନ୍ତ କ୍ଷୟକ୍ଷତି ମିଳିବା ଓ ଏକ ସୁନ୍ଦର ସବୁଜ ବନାନୀ ଗଢିତୋଳିବା ଲକ୍ଷ୍ୟ ନେଇ ହାତୀସାଥି ବାହିନୀ କାର୍ଯ୍ୟ କରିବ। ମୁଖ୍ୟତଃ ହାତୀ-ମଣିଷ ଲଢେଇକୁ ରୋକିବା ପାଇଁ ଏକ ସଚେତନତାର ବାର୍ତ୍ତା କୁ ବିଭିନ୍ନ ଗ୍ରାମରେ ଏକ ବିପ୍ଳବ ଭଳି ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଏନେଇ ଆଜି ଓରନ୍ଦା ଗ୍ରାମବାସୀ ଓ ବନସଂରକ୍ଷଣ ସମିତି ଦ୍ୱାରା ଗଢି ଉଠିଥିବା ଜଗନ୍ନାଥ ଲିମ୍ବ ବାଟିକା ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମୀତା ଲେଙ୍କା ଉପସ୍ଥିତ ରହି ହାତୀସାଥି ବାହିନୀ ରେ ସବୁ ବର୍ଗର ଜନସାଧାରଣଙ୍କ ଉପସ୍ଥିତି ଓ ସଦସ୍ୟତା, ସେମାନଙ୍କ ପରିବେଶପ୍ରୀତି ଓ ହାତୀ-ମଣିଷ ଲଢେଇ ରୋକିବା ପାଇଁ ସଂକଳ୍ପବଦ୍ଧତାକୁ ଦେଖି ଅଭିଭୂତ ହୋଇଯାଇଥିଲେ। ଏ କ୍ଷେତ୍ରରେ ଜନସାଧାରଣଙ୍କ ସମସ୍ତ ମତାମତକୁ ବିଶେଷତଃ ହାତୀସାଥି ବାହିନୀ ସଦସ୍ୟଙ୍କ ମତାମତ ଉପରେ ସମସ୍ତ ପ୍ରକାର ସକରାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ସମସ୍ତେ ମିଳିମିଶି ଜଙ୍ଗଲ ସଂପଦର ଅଭିବୃଦ୍ଦି ସହିତ ହାତୀ-ମଣିଷ ଲଢେଇ ଦିଗରେ ସମସ୍ତ ଙ୍କ ସହଭାଗିତା ଏକାନ୍ତ ଆବଶ୍ୟକ ବୋଲି ବନଖଣ୍ଡ ଅଧିକାରୀ ସୁଶ୍ରୀ ଲେଙ୍କା କହିବା ସହିତ ନବଗଠିତ ହାତୀସାଥି ବାହିନୀ ଏହାର ଜ୍ୱଳନ୍ତ ଉଦାହରଣ ବୋଲି କହିଥିଲେ। ଓରନ୍ଦା ଗ୍ରାମ କମିଟି ତଥା ବନସୁରକ୍ଷା କମିଟିର ସଭାପତି ଇଂ ପ୍ରତାପ ଚନ୍ଦ୍ର ସାମଲ ଜଙ୍ଗଲ ସୃଷ୍ଟି କ୍ଷେତ୍ରରେ ଗାଁର ଭୂମିକା ସର୍ବୋପରି ବନ୍ୟ ସମ୍ପଦ ବିଶେଷତଃ ହାତୀମାନଙ୍କ ପାଇଁ ଗାଁ ଦ୍ୱାରାସୁରକ୍ଷା କରାଯାଇଥିବା ଜଙ୍ଗଲରେ ଦୁଇଦୁଇଟିହାତୀଛୁଆ ଦେବା ଅନ୍ୟ ଜଙ୍ଗଲ ସୁରକ୍ଷା ସମିତି ପାଇଁ ଏକ ଉଦାହରଣବୋଲି ହକିବା ସହ ସମସ୍ତେ ମିଳିମିଶି ବନ୍ୟପ୍ରାଣୀ ତଥା ହାତୀ-ମଣିଷ ଲଢେଇକୁ ରୋକିବା ଦିଗରେ କାର୍ଯ୍ୟ କରିବାକୁ କହିଥିଲେ। ବିଶିଷ୍ଟ ପରିବେଶବିତ୍‍ ତଥା ପିପୁଲ୍ସ ଫର ଆନିମଲ ର ବରିଷ୍ଠ ସଦସ୍ୟ ସଂଜୀବ କୁମାର ଦାସ, ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ମାଗୁଣୀ ବେହେରା, ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତରୀ ନିଶା, ଡେପୁଟି ରେଞ୍ଜର ତ୍ରିଲୋଚନ ବେହେରା, ଅବସରପ୍ରାପ୍ତ ଅର୍ଦ୍ଧସାମରିକ ବାହିନୀ ଅଧିକାରୀ ବଂଶୀଧର ଶତପଥି ଓ ସାମ୍ବାଦିକ ଶ୍ୱେତକାନ୍ତ ବେହେରା ପ୍ରମୁଖ ଅତିଥି ଭାବରେ ଯୋଗଦେଇ ହାତୀସାଥି ବାହିନୀ ହାତୀ-ମଣିଷ ଲଢେଇ ହ୍ରାସ କରିବା ପାଇଁ ବେଶ ଫଳପ୍ରଦ ହେବ। ଏଭଳି ପଦକ୍ଷେପ ଓଡିଶାରେପ୍ରଥମ ବୋଲି କହିଥିଲେ। ଯଦିଓ ଗଜବନ୍ଧୁ ପାଇଲଟ ପ୍ରକଳ୍ପଭାବରେ ଆଠଗଡରେ କାର୍ଯ୍ୟକାରୀ ହେବା ପରେ ଗତ ୨ରୁ ଅଢେଇବର୍ଷ ଭିତରେ ହାତୀ-ମଣିଷ ଲଢେଇ କମି ଯାଇଛି ତଥାପି ହାତୀସାଥି ବାହିନୀ ହାତୀ-ମଣିଷ ଲଢେଇ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିବ।ଏହି ବୈଠକରେ ଶ୍ରୀକର ଜେନା, ଅଶୋକ କୁମାର ଖଟୁଆ, ବିଜୟ କୁମାର ଥାଟୋଇ, ଅଭୟ କୁମାର ସାମଲ, ପ୍ରେମାନନ୍ଦ ବେଉରା, ଗୌତମ ବେହେରା, ମାଗୁଣି ରାଉତ, ପର୍ଶୁରାମ ବେହେରା, ସନାତନ ଦଳାଇ, ତୁଷାର ବେଉରା, ପ୍ରଦୀପ ନାୟକ, ଲକ୍ଷ୍ମୀଧର ସ୍ୱାଇଁ, ନଥିଂ ଇଜ ଇମ୍ପସିବୁଲର ଛାତ୍ର ସିତୁନା ସାହୁ, ଦେବୀ ପ୍ରିୟା ବରାଳ, ମିତାଲି ବରାଳ ସହିତ କଦଳୀବାଡି ବନ ସୁରକ୍ଷା ସମିତି, ତୋଟାପଡା ବନ ସୁରକ୍ଷା ସମିତି ର କର୍ମକର୍ତ୍ତା ଓ ବହୁ ସ୍ୱେଚ୍ଛାସେବୀ ଯୋଗଦେଇ ନିଜର ସୁଚିନ୍ତିତ ମତ ଉପସ୍ଥାପନା କରିବା ସହିତ ହାତୀସାଥି ବାହିନୀରେ ସଦସ୍ୟତା କରି ଏହାକୁ ସଫଳ ରୂପାୟନ ଦେବା ପାଇଁ ବଜ୍ର ଶପଥ ନେଇଥିଲେ।

Comments are closed.