ଦେବୋତ୍ତର ଓ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ପ୍ରାଚୀନ ଦୁର୍ଗାଦେବୀଙ୍କ ପୀଠ

“ସାରା ଭାରତ ବର୍ଷରେ ବିଭିନ୍ନ ଦୁର୍ଗାଦେବୀଙ୍କ ପୀଠ ହେଉ କି ଅସ୍ଥାୟୀ ପୂଜା ମଣ୍ଡପ ହେଉ, ମହିଷାସୁରକୁ ଦେବୀ ବାମ ପାଦ ତଳେ ପକାଇ ବଧ କରିଥିଲା ବେଳେ ଏଠି ତାହାର ବିପରୀତ ଦୃଶ୍ୟ ଦକ୍ଷିଣ ପାଦ ତଳେ ଦେବୀ ମହିଷାସୁରକୁ ବଧ କରିଥିବା ଦେଖିବାକୁ ମିଳେ, ଯାହାକି ଏକ ବିରଳ ବିଗ୍ରହ ଓ ପୀଠର ସ୍ୱାତନ୍ତ୍ର୍ୟତାକୁ ପ୍ରାଚୀନ କାଳରୁ ପ୍ରତିପାଦିତ କରିଆସିଛି।”

 

ତିଗିରିଆର ଆରାଧ୍ୟା ଶକ୍ତିପୀଠ ପ୍ରାଚୀନ ଡାହାଳିଆ ସମ୍ପ୍ରଦାୟଙ୍କ ପ୍ରତିଷ୍ଠିତ ଦୁର୍ଗାଦେବୀଙ୍କ ପୀଠ ଅବହେଳିତ ହୋଇପଡ଼ିଛି । ଦେବୋତ୍ତର ବିଭାଗର ଉଦାସୀନତା କାରଣରୁ ପୀଠ ଉନ୍ନୟନ ଫିକା ପଡ଼ିଥିଲା ବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗର ଦୃଷ୍ଟି ଆଢ଼ୁଆଳରେ ରହି ଏହାର ସ୍ୱାତନ୍ତ୍ର୍ୟ ତଥା ଗୁରୁତ୍ୱ ହ୍ରାସ ପାଇ ଚାଲିଛି। ମନ୍ଦିରରେ ପୂଜିତ ପରମ ବୈଷ୍ଣବୀ ମା ଦୁର୍ଗାଦେବୀଙ୍କ ସୁଉଚ୍ଚ ପୂର୍ଣ୍ଣାବୟବ ଦଶଭୂଜା ବିଗ୍ରହର ସ୍ୱାତନ୍ତ୍ର୍ୟ ରହିଛି । ଏହି ପ୍ରାଚୀନ ଦୁର୍ମୂଲ୍ୟ ପ୍ରସ୍ତର ବିଗ୍ରହ ଖାଲି ଆକର୍ଷଣୀୟ ଓ କମନୀୟ ନୁହେଁ ବରଂ ଦର୍ଶନ କରୁଥିବା ପ୍ରତିଟି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ବାସ୍ତବରେ ଭୁବନମୋହିନୀ ପରି ଅନୁଭୂତ ହୋଇଥାଏ । ସାରା ଭାରତ ବର୍ଷରେ ବିଭିନ୍ନ ଦୁର୍ଗା ଦେବୀଙ୍କ ପୀଠ ହେଉ କି ଅସ୍ଥାୟୀ ପୂଜା ମଣ୍ଡପ ହେଉ, ମହିଷାସୁରକୁ ଦେବୀ ବାମ ପାଦ ତଳେ ପକାଇ ବଧ କରିଥିଲା ବେଳେ ଏଠି ତାହାର ବିପରୀତ ଦୃଶ୍ୟ ଦକ୍ଷିଣ ପାଦ ତଳେ ଦେବୀ ମହିଷାସୁରକୁ ବଧ କରିଥିବା ଦେଖିବାକୁ ମିଳେ, ଯାହାକି ଏକ ବିରଳ ବିଗ୍ରହ ଓ ପୀଠର ସ୍ୱାତନ୍ତ୍ର୍ୟତାକୁ ପ୍ରାଚୀନ କାଳରୁ ପ୍ରତିପାଦିତ କରିଆସିଛି । ବିଗ୍ରହରେ ଏମିତି ଅନେକ ସ୍ୱାତନ୍ତ୍ର୍ୟତା ରହିଛି ଯାହାକୁ ଲକ୍ଷକରି ବହୁ ସାଧୁସନ୍ଥ ଏଠି ଦୁର୍ଗାଦେବୀଙ୍କୁ ପରମବୈଷ୍ଣବୀ ଭାବେ ଆରଧନା କରିଥାନ୍ତି।
ମହାନଦୀ କୂଳରେ ପୀଠ ଚାରିପାଖରେ ପ୍ରାଚୀନ ସଭ୍ୟତା ଥିବାର ନିଦର୍ଶନ ମିଳେ। ଅନେକ ସମୟରେ ମାଟିତଳୁ ମିଳୁଥିବା ଚଉରା, ବିଭିନ୍ନ ଗୃହ ଉପକରଣ, ପୁରୁଣା ମାଟି ନନ୍ଦର କୂପ ଅଞ୍ଚଳବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଛି । ପ୍ରାଚୀନ ଦ୍ରାବିଡ଼ ତଥା ଡାହାଳିଆ ସମ୍ପ୍ରଦାୟର ସଭ୍ୟତା ବୋଲି ସ୍ଥାନୀୟ ଜନସାଧାରଣଙ୍କ ଠାରୁ କେବଳ ଶୁଣିବାକୁ ମିଳେ। ଏଠି ଦୁର୍ଗାଙ୍କ ବିଜେ ବିଗ୍ରହ ମଧ୍ୟ ଅତି ପୁରାତନ ଏବଂ ସେହି ପ୍ରାଚୀନ ସଭ୍ୟତାର ବୋଲି ଅନୁମାନ କରାଯାଏ। ଏସବୁ ନେଇ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ କରିନାହାଁନ୍ତି। ଏତେସବୁ ମଧ୍ୟରେ ରାଜୁଡ଼ା ଅମଳରେ ନିର୍ମିତ ମନ୍ଦିରର ରକ୍ଷଣାବେକ୍ଷଣ ଲାଗି ଅର୍ଥାଭାବ କାରଣରୁ ମନ୍ଦିରରେ ରଙ୍ଗ ଲେପନ ଠାରୁ ଆରମ୍ଭ କରି ବିଭିନ୍ନ ପାରିପାର୍ଶ୍ବିକ ଉନ୍ନୟନ ସାଧନ ସମ୍ଭବ ହୋଇପାରିନି। ମନ୍ଦିରରେ ବିଭିନ୍ନ ଅନାବନା ଗଛ ଉଠି ଚାଲିଥିବା ବେଳେ ଏହାର ସ୍ଥାୟିତ୍ୱକୁ କ୍ଷତି ପହଁଞ୍ଚାଇଛି । ମନ୍ଦିର ସିମେଣ୍ଟ ପଲସ୍ତରା ଫାଟି ଖସିବା ଆରମ୍ଭ କଲାଣି । ପୀଠର ଆକର୍ଷଣ କ୍ରମେ ହ୍ରାସ ପାଇ ଚାଲିଛି। ପୀଠଟିର ଅନେକ ମୌଳିକ ସମସ୍ୟା ରହିଥିଲେ ମଧ୍ୟ ବର୍ଷ ତମାମ ବିଭିନ୍ନ ପର୍ବ ପର୍ବାଣୀ, ଯାନିଯାତ୍ରା ଓ ବ୍ରତ ଉପାସନା ଲାଗି ବ୍ୟସ୍ତ ବହୁଳ ହୋଇପଡ଼ିଥାଏ । ଦୁର୍ଗା ଦେବୀଙ୍କର ଯାହାକିଛି ଭୂସମ୍ପତି ରହିଛି ତାହା କେବଳ ମନ୍ଦିର ସେବାୟତମାନେ ପୂଜାପାଳି କରିବା ଲାଗି ଉଦ୍ଧିଷ୍ଟ ରହିଥିବା ଜଣାଯାଇଛି।
ଦେବୋତ୍ତର ବିଭାଗ ଅଧିନରେ ଏହି ପ୍ରାଚୀନ କୀର୍ତ୍ତିରାଜିଟି ରହିଥିଲେ ହେଁ କେବେବି କୌଣସି ଅନୁଦାନ ପ୍ରଦାନ କରିନଥିବା ମନ୍ଦିରର  ସେବାୟତମାନେ ପ୍ରକାଶ କରିଛନ୍ତି । ସ୍ଥାୟୀ ରୋଷଘର ନଥିବା ବେଳେ ଆଗନ୍ତୁକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପଦ ପ୍ରକ୍ଷାଳନ କିମ୍ବା ପିଇବା ପାଇଁ ସେଭଳି କୌଣସି ସୁବ୍ୟବସ୍ଥା ହୋଇନାହିଁ। ମନ୍ଦିର ସମ୍ମୁଖରେ ଏକମାତ୍ର ନଳକୂପ ରହିଥିଲେ ହେଁ ତାହାର ହ୍ୟାଣ୍ଡଲ ଚଳାଇ ଭକ୍ତ ଓ ଶ୍ରଦ୍ଧାଳୁ ସମସ୍ୟାକୁ ସମାଧାନ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ପୀଠରେ ବର୍ଷ ତମାମ ବିବାହ, ବ୍ରତ ଓ ବିଭିନ୍ନ ସାମାଜିକ କାର୍ଯ୍ୟ ସମ୍ପାଦନ ଲାଗି ବିଭିନ୍ନ ଅଞ୍ଚଳରୁ ଲୋକେ ନିର୍ଭରଶୀଳ ହେଉଛନ୍ତି । ହେଲେ ପୀଠରେ ବିଶ୍ରାମଘରର ବ୍ୟବସ୍ଥା ନାହିଁ। ଖାଲି ସେତିକି ନୁହେଁ ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟର ବିଭିନ୍ନ ସମସ୍ୟା ଓ ନ୍ୟାୟ ନିସାପ ଲାଗି ପ୍ରଶାସନ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ, ରାଜନେତା ଓ ସାଧାରଣ ଲୋକେ ଏହି ପୀଠରେ ବୈଠକ କରିବା ସହିତ ବିଭିନ୍ନ ନିର୍ବାଚନୀ ସମୟରେ ମଧ୍ୟ ନେତାମାନେ ଏହି ଠାରୁ ହିଁ ସେମାନଙ୍କ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥାନ୍ତି । ହେଲେ ପୀଠର ସମସ୍ୟା ଏବେବି ଅସମାହିତ ହୋଇପଡ଼ିଛି । ମନ୍ଦିର ସମ୍ମୁଖରେ ରହିଥିବା ଯଜ୍ଞଶାଳା ଅର୍ଦ୍ଧ ନିର୍ମିତ ଅବସ୍ଥାରେ ପଡ଼ି ରହିଛି।

ଦୁର୍ଗାଦେବୀଙ୍କ ଦୋଳ ପୂର୍ଣ୍ଣିମାର ଘଟ ସ୍ଥାପନ ପର୍ବ, ମହାବିଷୁବ ସଂକ୍ରାନ୍ତିରେ ଝାମୁଁ ଯାତ୍ରା, ଶାରଦୀୟ ଷୋଳପୂଜା ଓ କୁମାର ପୂର୍ଣ୍ଣିମାର କୁମାରୀ ବେଶ ପ୍ରମୁଖ ପର୍ବ ପାଳନରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଘଟିଥାଏ । ଦେବୋତ୍ତର ବିଭାଗ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପୀଠପ୍ରତି ଦୃଷ୍ଟିଦେବାକୁ ସ୍ଥାନୀୟ ବୁଦ୍ଧିଜୀବି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମହଲରେ ଦାବି ହୋଇଛି।

(ରିପୋର୍ଟ – ପ୍ରଭାତ କୁମାର ସ୍ୱାଇଁ)

Comments are closed.