ହରିଆଲି ଉଆଁସ : ଅନ୍ଧବିଶ୍ୱାସର ରାତି

ବ୍ରଜରାଜନଗର :  ଶ୍ରାବଣ ମାସର ଅମାବାସ୍ୟାକୁ ପଶ୍ଚିମ ଓଡ଼ିଶାରେ ହରିଆଲି ଉଁଆସ ଭାବେ ବିଚେତିତ। ପଶ୍ଚିମ ଓଡ଼ିଶା ଆଦିବାସୀ ବହୁଳ ଅଂଚଳ ହୋଇଥିଲେ ମଧ୍ୟ ଏଠାରେ ବିଭିନ୍ନ ଜାତି ବର୍ଗର ଲୋକେ ବସବାସ କରିଥାନ୍ତି। ଜୀବନ ଜୀବିକା ଦୃଷ୍ଟିରୁ ଏହି ଅଂଚଳବାସୀ ମୁଖ୍ୟତଃ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ତେଣୁ ପ୍ରତି ବର୍ଷ ଚାଷ କାର୍ଯ୍ୟକୁ ହସି ଖୁସିରେ ସାରିବା ପରେ ପଶ୍ଚିମ ଓଡ଼ିଶାର ପ୍ରାୟ ସମସ୍ତ ଗ୍ରାମ ଗୁଡ଼ିକରେ ହରିଆଲି ଉଆଁସ ବା ଚିତାଲାଗି ଅମାବାସ୍ୟା ଦିନ ଗ୍ରାମ ଦେବୀଙ୍କୁ ପୂଜାର୍ଚ୍ଚନା ଧୁମଧାମ ସହିତ ପାଳନ କରାଯାଇଥାଏ। ତା ସହିତ ସ୍ଥାନୀୟ ଅଧିବାସୀ ଭଳ ଚାଷର ଅମଳ ସାଙ୍ଗକୁ ଗାଁ ଗୁଡ଼ିକରେ ସୁଖ, ସମୃଦ୍ଧି, ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ତେବେ ହରିଆଲି ଉଁଆସକୁ ଟଣ୍ଡେଇମାନଙ୍କର ରାଏତ୍‍ ବୋଲି ପୁରାତନ କାଳରୁ ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳ ଗୁଡ଼ିକରେ ନାମିତ। ଉକ୍ତ ଅମାବାସ୍ୟାର ରାତ୍ରିକୁ ଗୁଣି ଗାରେଡି, ଡ଼ାହାଣି ବିଦ୍ୟା ତନ୍ତ୍ର ସାଧାନାର ସିଦ୍ଧି ପ୍ରାପ୍ତିର ନିଶାରାତି ବୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି।

ମଣିଷ ସଭ୍ୟତା ଯେତିକି ଆଗକୁ ବଢିଲେ ମଧ୍ୟ ପ୍ରାଚୀନ ପରମ୍ପରା ସମାଜରେ ତାର ସ୍ଥିତି ବଜାୟ ରଖିଛି। ଆଉ ଧର୍ମ ଏବଂ ପ୍ରାଚୀନ ପ୍ରଥାକୁ ଆଡ଼ କରି ଏହା ପଛରେ ଲୁଚି ରହିଛି କୁ-ସଂସ୍କାର ଓ ଅନ୍ଧବିଶ୍ୱାସ। ପଶ୍ଚିମ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଅନେକ ଦେବା ଦେବୀର ଉପାସନା କରାଯାଇଥାଏ। ହେଲେ ଶକ୍ତି ଉପାସନା ଉପରେ ଅତ୍ୟାଧିକ ଗୁରୁତ୍ୱ ଦିଆଯାଉଥିବାରୁ ଅଜ୍ଞାତ ତଥା ଆଲୌକିକ ଶକ୍ତିର ଉପସ୍ଥିତିକୁ ବହୁ ମାତ୍ରାରେ ଲୋକେ ବିଶ୍ୱାସ କରିଥାନ୍ତି। ତେଣୁ ଚିତାଲାଗି ଅମାବାସ୍ୟା ବା ହରିଆଲି ଉଁଆସ ପଶ୍ଚିମ ଓଡ଼ିଶାର ସ୍ଥାନୀୟ ଭାଷା ଅନୁସାରେ ଆଜର୍‍ ରାଏତ୍‍ ନେ ଟଣ୍ଡେଇ ବାହାରସି ବୋଲି ବହୁ ପ୍ରାଚୀନ କାଳରୁ ଲୋକଙ୍କ ବିଶ୍ୱାସ ରହି ଆସିଛି। ତେବେ ନାକାରତ୍ମକ ଶକ୍ତିର କବଳରୁ ରକ୍ଷା ପାଇଁ ପାଇଁ ଗାଁ ଗହଳିରେ ଅନ୍ଧବିଶ୍ୱାସପୁର୍ଣ ଅନେକ ଉପାୟ କରାଯାଇଥାଏ। ଛୋଟ ପରିଲାମାନଙ୍କୁ ଚେଙ୍କ ଦେବାରୁ ଆରମ୍ଭ କରି ଘରେ ଲୁହୁରା ଜାତିର ଲୋକ କଂଟା କିଲ୍ଲିତ କରିବା, ଜଡ଼ା ପତ୍ର ରଖିବା, ଦୁଆର ମୁହଁରେ ଚମଡ଼ା ଜୋତା ଚପଲ ରଖାଯାଇ କଳା ଯାଦୁର ପ୍ରଭାବ ନଷ୍ଟ କରିବାକୁ ଚେଷ୍ଟା କରାଯାଇଥାଏ।

ସେହି ପରି ଚତାଲାଗି ଅମାବାସ୍ୟା ଦିନ ପଶ୍ଚିମ ଓଡ଼ିଶାର ଗ୍ରାମାଂଚଳ ଗୁଡ଼ିକରେ ଗ୍ରାମଦେବୀ ପୂଜା କରାଯାଇଥାଏ। ଏହି ଦିନର ବିଶେଷତ୍ୱ ହେଉଛି ଯେ, ଲୋକେ ଚାଷ କାମ ସାରିବା ପରେ ଭଲ ଚାଷ ଅମଳ ତଥା ଗ୍ରାମରେ ସୁଖ ଶାନ୍ତି ବଜାୟ ରଖିବାକୁ ନେଇ ଗ୍ରାମଦେବୀଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି। ହେଲେ ଚଳିତ ବର୍ଷ ସୋମବାର ଚିତାଲାଗି ଅମାବାସ୍ୟା ପଡ଼ୁଥିଲେ ହେଁ କୋଭିଡ଼ କଟକଣା ଲୋକଙ୍କ ମଧ୍ୟରେ ନିରାଶା ଆଣି ଦେଇଛି। ଯାହା କାରଣରୁ ଚଳିତ ବର୍ଷ ଗ୍ରାମ ଦେବୀ ପୂଜାରେ ଲୋକଙ୍କ ସମାଗମ ଉପରେ ଅଙ୍କୁଶ ଲାଗିବା ସ୍ୱାଭାବିକ। ସେହି ପରି ପୁରାତନ ପ୍ରଥା ଅନୁସାରେ ଗ୍ରାମଦେବୀଙ୍କ ନିକଟରେ ଚିତାଲାଗି ଅମାବାସ୍ୟା ଦିନ ବୋଦା, କୁକୁଡ଼ା, ପାରା ବଳି ଦେଇଥାନ୍ତି। ହେଲେ ଚଳିତ ବର୍ଷ ବିଭିନ୍ନ ଗ୍ରାମବାସୀମାନେ ଏହା ଉପରେ କଟକଣା ଲଗାଇଥିବା ସୂଚନା ମିଳିଛି। ବହୁ ପ୍ରତିକ୍ଷିତ ପଶ୍ଚିମ ଓଡ଼ିଶାର ଏହି ପର୍ବକୁ ନେଇ ସପ୍ତାହେ ପୂର୍ବରୁ ଗ୍ରାମ ଗୁଡ଼ିକ ଚଳ ଚଂଚଳ ହୋଇ ଉଠିଥାଏ। ପ୍ରତିବର୍ଷ ଜାତି ବର୍ଣ ଭେଦଭାବ, ରାଗ ରୋଷକୁ ଛାଡ଼ି ଗ୍ରାମବାସୀମାନେ ବର୍ଷକୁ ଥରେ ଏକତ୍ରତି ହୋଇ ଗ୍ରାମଦେବୀ ନିକଟରେ ପୂଜାର୍ଚ୍ଚନା ଓ ମାନସିକ ରଖିଥାନ୍ତି। ହେଲେ ଏଥର ମହାମାରୀ କରୋନାର ଭୟାବହତା ଯୋଗୁଁ ଚାଷୀ ନିରାଶ ହୋଇଥିବା ପରିଲକ୍ଷିତ ହେଉଛି।

 

Comments are closed.