ପୁଣ୍ୟତିଥି ଅବସରରେ, ନବଉତ୍କଳର ନିର୍ମାତା ହରେକୃଷ୍ଣ ମହତାବ

ଡକ୍ଟର ହରେକୃଷ୍ଣ ମହତାବ ଓଡ଼ିଆ ଜାତିର ଇତିହାସରେ ଏକାଧାରରେ ସାହିତ୍ୟିକ, ଐତିହାସିକ, ସାମ୍ବାଦିକ, ଅପ୍ରତିଦ୍ୱନ୍ଦ୍ୱୀ ରାଜନେତା  ଭାବରେ ଚିରସ୍ମରଣୀୟ। ଓଡ଼ିଶା ପ୍ରତି ତାଙ୍କର ସାମଗ୍ରିକ ଅବଦାନର ତୁଳନା ନାହିଁ। ନବ ଉତ୍କଳର ବିନ୍ଧାଣୀ ଭାବେ ସେ ଅନନ୍ୟ। ସାରା ଦେଶରେ ଉତ୍କଳକେଶରୀ ଭାବେ ସେ ଖ୍ୟାତ।

ଡକ୍ଟର ମହତାବ ୧୮୯୯ ନଭେମ୍ବର ୨୧ ତାରିଖ ବର୍ତ୍ତମାନର ଭଦ୍ରକ ଜିଲା ଅନ୍ତର୍ଗତ ଅଗରପଡ଼ାଠାରେ କୃଷ୍ଣଚରଣ ଦାସ ଓ ତୋଫା ବିବିଙ୍କର କୋଳମଣ୍ଡନ କରିଥିଲେ। ତାଙ୍କୁ ୨୦ ବର୍ଷ ବୟସ ହୋଇଥିବାବେଳେ ସେ ନିଜକୁ ଗାନ୍ଧିଜୀଙ୍କ ଆହ୍ୱାନରେ ଦେଶର ସ୍ୱାଧୀନତା ସଂଗ୍ରାମରେ ସାମିଲ କରିଥିଲେ। ସେ ପ୍ରଥମେ କଲିକତାରେ ଅନୁଷ୍ଠିତ ହୋଇଥିବା କଂଗ୍ରେସର ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେଇଥିଲେ। ସେଠାରେ ସେ ଲାଲା ଲଜପତ ରାୟ, ମୋତିଲାଲ ନେହରୁ ଓ ଗାନ୍ଧିଜୀଙ୍କୁ ଦେଖିବାର ସୁଯୋଗ ପାଇଥିଲେ ଏବଂ ଦେଶକୁ ବିଦେଶୀ ଶାସନରୁ ମୁକ୍ତ କରିବା ପ୍ରଚେଷ୍ଟାରେ ନିଜେ ଯୋଗଦେବେ ବୋଲି ମନସ୍ଥ କରି କଂଗ୍ରେସରେ ଯୋଗଦେଲେ। ନିଜ ପରିବାର, ଆତ୍ମୀୟସ୍ୱଜନ ଓ ଜମିଦାରୀ ସବୁ ତୁଚ୍ଛ କରି ୧୯୨୦ରୁ ୧୯୪୫ ମସିହା ପର୍ଯ୍ୟନ୍ତ କଂଗ୍ରେସର ଡାକରାରେ ସଂଘର୍ଷ ଓ ସଂଗ୍ରାମ ଭିତରେ ନିଜକୁ ସାମିଲ କରି ରଖିଲେ ଏବଂ ସର୍ବଭାରତୀୟ ସ୍ତରରେ ଜଣେ ଅସାମାନ୍ୟ ନେତାର ମାନ୍ୟତା ଲାଭ କଲେ।

୧୯୪୬ ଏପ୍ରିଲ ୪ ଓ ୫ରେ ହୋଇଥିବା ନିର୍ବାଚନରେ ସେ ଓଡ଼ିଶା କଂଗ୍ରେସକୁ ଜୟଯୁକ୍ତ କରାଇ ରାଜ୍ୟର ପ୍ରଧାନମନ୍ତ୍ରୀ ଆସନ (୧୯୪୬ ଏପ୍ରିଲରୁ ୧୯୫୦ ମେ) ଅଳଙ୍କୃତ କରିଥିଲେ। ପୁନର୍ବାର ସେ ୧୯୫୬ରୁ ୧୯୬୦ ମସିହା ଯାଏ ଓଡ଼ିଶାର ପ୍ରଧାନମନ୍ତ୍ରୀ ରହି ରାଜ୍ୟକୁ ସମୃଦ୍ଧ, ସୁନ୍ଦର ଓ ଆଧୁନିକ କରି ଗଢ଼ିବା ପାଇଁ ବହୁ ଯୋଜନା କରି ତାକୁ କାର୍ଯ୍ୟକାରୀ କରିବାରେ ଅନେକାଂଶରେ ସମର୍ଥ ହୋଇଥିଲେ। ହୀରାକୁଦ ବନ୍ଧ ଯୋଜନା ତାଙ୍କର ମାନସପୁତ୍ର। ୧୯୪୫ ନଭେମ୍ବର ୮ ତାରିଖରେ କଟକଠାରେ ସେ ସମୟର କେନ୍ଦ୍ର ପୂର୍ତ୍ତ ଓ ଶ୍ରମ ମନ୍ତ୍ରୀ ବି.ଆର୍‍. ଆମ୍ବେଦକର ଏକ ସମ୍ମିଳନୀରେ ମହାନଦୀ ନଦୀବନ୍ଧ ଯୋଜନା ହୀରାକୁଦଠାରେ ହେବ ବୋଲି ଘୋଷଣା କଲେ ଏବଂ ୧୯୪୬ ମସିହା ମାର୍ଚ୍ଚ ୧୫ ତାରିଖରେ ଓଡ଼ିଶାର ତତ୍କାଳୀନ ଗଭର୍ଣ୍ଣର ସାର୍‍ ହଥର୍ଣ୍ଣ ଲୁଇସ୍‍ଙ୍କ ଦ୍ୱାରା ଏହାର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଥିଲା। ଡକ୍ଟର ମହତାବଙ୍କର ଉଦ୍ୟମରେ ଭୁବନେଶ୍ୱର ନୂତନ ରାଜଧାନୀରେ ପରିଣତ ହୋଇଛି। ରାଉରକେଲାଠାରେ ସ୍ୱାଧୀନ ଭାରତର ପ୍ରଥମ ସରକାରୀ ଉଦ୍ୟୋଗ ଇସ୍ପାତ କାରଖାନାର ପ୍ରତିଷ୍ଠା ନିଷ୍ପତ୍ତି ପଛରେ ଡକ୍ଟର ମହତାବଙ୍କ ଅବଦାନ ଅବିସ୍ମରଣୀୟ।

ଡକ୍ଟର ମହତାବ ଦଳମତ ନିର୍ବିଶେଷରେ କଳା, ସଙ୍ଗୀତ ଓ କ୍ରୀଡ଼ା ଆଦିକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଉଥିଲେ।

ବାବୁଲାଲ ଯୋଶୀଙ୍କ ସାହଚର୍ଯ୍ୟରେ  ଏବଂ ମହତାବଙ୍କ ନେତୃତ୍ବରେ  କଟକରେ କଳାବିକାଶ କେନ୍ଦ୍ର ସ୍ଥାପନ ହୋଇପାରିଛି।  ମହତାବଙ୍କ କ୍ରୀଡ଼ା ଜଗତ ପ୍ରତି ମଧ୍ୟ ଅବଦାନର ତୁଳନା ନାହିଁ। ୧୯୫୦ ମସିହା ମଧ୍ୟଭାଗରେ ସେ ବାରବାଟୀ ଷ୍ଟାଡିୟମ୍‍ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଏବଂ ଭୈରବ ମହାନ୍ତିଙ୍କ ସହଯୋଗରେ ଆଜି ତାହା ବିଶ୍ବର ଏକ ଅଗ୍ରଣୀ ଷ୍ଟାଡିୟମର ମାନ୍ୟତା ପାଇଛି।

ଜଣେ ସାହିତ୍ୟିକ ତଥା ସାମ୍ବାଦିକ ଭାବେ ମଧ୍ୟ ତାଙ୍କର ପ୍ରସିଦ୍ଧି ରହିଛି। ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ରେ ତାହାର ଏକ ନମୁନା। ‘ଗାଁ ମଜଲିସ୍‍’ ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ପାଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ଅଳଙ୍କୃତ କରି ଓଡି଼ଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି। ଓଡି଼ଆ ଭାଷାରେ ତାଙ୍କଦ୍ୱାରା ରଚିତ ବିଭିନ୍ନ ପୁସ୍ତକ ମଧ୍ୟରୁ ‘ଦଶବର୍ଷର ଓଡ଼ିଶା’, ‘ଗାନ୍ଧିଜୀ ଓ ଓଡ଼ିଶା’, ‘ସ୍ୱର୍ଗରେ ଇମରଜେନ୍‍ସିି’, ‘ଶେଷ ଅଶ୍ରୁ’, ‘ପଲାସି ଅବସାନେ’, ‘ଚାରିଚକ୍ଷୁ’, ‘ଟାଉଟର’, ‘ପ୍ରତିଭା’, ‘ସାଧନାର ପଥେ’, ‘ବିଷୁବ ଅଭିନନ୍ଦନ’, ‘ତୃତୀୟ ପର୍ବ’, ‘୧୯୭୫ ଆନନ୍ଦ ସନ୍ଧାନେ’, ‘ଯୁଗ ସଂକେତ’, ‘ସାହିତ୍ୟ ଆଲୋଚନା’, ‘ଗାଁ ମଜଲିସ’, ‘ଅବ୍ୟାପାର’, ‘ଆରବ ସାଗରରୁ ଚିଲିକା’ ପ୍ରଭୃତି ଅନ୍ୟତମ।

ସମାଜ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ କିଛି କମ୍‍ ନୁହେଁ। ବିଶେଷକରି ହରିଜନମାନଙ୍କର ମନ୍ଦିର ପ୍ରବେଶ ଓ ଦେବୀପୀଠଗୁଡ଼ିକରୁ ବଳି ପ୍ରଥା ଉଠାଇବାରେ ସେ ବଳିଷ୍ଠ ଉଦ୍ୟମ କରିଥିଲେ। ଡକ୍ଟର ମହତାବ ଓଡି଼ଆମାନଙ୍କ ସ୍ୱାଭିମାନ ପ୍ରତିଷ୍ଠା ଦିଗରେ ସର୍ବଦା ଉଦ୍ୟମ ଜାରି ରଖିଥିଲେ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନକୁ ସେ ଜାତୀୟ ସ୍ମାରକୀରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ନେତାଜୀଙ୍କ ଓଡି଼ଆ ବଜାରରେ ଥିବା ଜନ୍ମପୀଠକୁ ସେ ‘ସେବା ସଦନ’ ନାମ ଦେଇଥିଲେ ଓ ଗୋଟିଏ ଟ୍ରଷ୍ଟ ଗଠନ କରି ଏହାର ସୁପରିଚାଳନା ପାଇଁ ବନ୍ଦୋବସ୍ତ କରିଥିଲେ। ତାଙ୍କ ତ୍ୟାଗ, ସାଧନା ଓ ସିଦ୍ଧିକୁ ସ୍ବୀକୃତି ଦେଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟ, ସାଗର ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ଡି.ଲିଟ୍‍ ଉପାଧି ପ୍ରଦାନ କରାଯାଇଅଛି। ଆଜି ଡକ୍ଟର ମହତାବଙ୍କ ତିରୋଧାନ ଦିବସରେ ତାଙ୍କୁ କେନ୍ଦ୍ର ସରକାର ‘ଭାରତରତ୍ନ’ ଉପାଧି ପ୍ରଦାନ କରି ରାଜ୍ୟବାସୀ ବହୁଦିନର ଦାବି ପୂରଣ କରିବାକୁ ନିବେଦନ କରୁଛନ୍ତି।

 

Comments are closed.