ଭାରତୀୟ ଦଳରୁ ବାଦ୍‌ପଡ଼ିବା ପ୍ରସଙ୍ଗ: ଧୋନି, ବିସିସିଆଇ ଅଧିକାରୀଙ୍କୁ ଦୋଷଦେଲେ ଭଜି

ନୂଆଦିଲ୍ଲୀ: ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେବାର କିଛିଦିନ ପରେ ବିବାଦୀୟ ବୟାନ୍ ଦେଇଛନ୍ତି ପୂର୍ବତନ ଭାରତୀୟ ଅଫ୍‌ସ୍ପିନର ହରଭଜନ ସିଂହ। ଭଲ ପ୍ରଦର୍ଶନ ସତ୍ତ୍ବେ ଭାରତୀୟ ଦଳରୁ ବାଦ୍‌ପଡ଼ିବା ଲାଗି ତତ୍କାଳୀନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ବିସିସିଆଇର କିଛି ଅଧିକାରୀଙ୍କୁ ଦୋଷ ଦେଇଛନ୍ତି ଭଜି। ହରଭଜନ ମୋଟ ୩୬୭ଟି ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୭୧୧ଟି ୱିକେଟ ନେଇଛନ୍ତି। ସେ ୨୮ ଥର ଏକ ଇନିଂସରେ ୫ଟି ଏବଂ ୫ ଥର ଏକ ମ୍ୟାଚ୍‌ରେ ୧୦ଟି ୱିକେଟ ନେଇଛନ୍ତି। ହେଲେ ତାଙ୍କ କ୍ରିକେଟ ଜୀବନର ଶେଷଭାଗରେ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନଥିଲା।

ଗଣମାଧ୍ୟମକୁ ହରଭଜନ କହିଛନ୍ତି, ଭାଗ୍ୟ ସର୍ବଦା ମୋ ସହ ରହିଥିଲା। ହେଲେ କିଛି ବାହ୍ୟ କାରଣ ମୋ ବିରୋଧରେ ଥିଲେ। ଏହାର କାରଣ ହେଉଛି ମୁଁ ଯେପରି ବୋଲିଂ କରୁଥିଲି ଏବଂ ଆଗକୁ ବଢ଼ୁଥିଲି। ୩୧ ବର୍ଷ ବୟସରେ ୪୦୦ ଟେଷ୍ଟ ୱିକେଟ ନେଇ ସାରିଥିଲି। ଆଉ ୪-୫ ବର୍ଷ ଖେଳି ପାରିଥାଆନ୍ତି। ଯେପରି ବୋଲିଂ କରୁଥିଲି; ଆଉ ୧୦୦ରୁ ୧୫୦ ଟେଷ୍ଟ ୱିକେଟ ନେଇ ପାରିଥାଆନ୍ତି। ମହେନ୍ଦ୍ର ସିଂହ ଧୋନି ଅଧିନାୟକ ଥିଲେ ଏବଂ ବୋଧହୁଏ ଏହା ସେ ଚାହୁଁନଥିଲେ। ପୁଣି କିଛି ବିସିସିଆଇ ଅଧିକାରୀ ଏଥିରେ ସମ୍ପୃକ୍ତ ଥିଲେ। ସେମାନେ ମୋତେ ଚାହୁଁନଥିଲେ ଏବଂ ଅଧିନାୟକ ସେମାନଙ୍କୁ ସମର୍ଥନ କରୁଥିଲେ। ଅଧିନାୟକ, ପ୍ରଶିକ୍ଷକ ଓ ଦଳଠାରୁ ସର୍ବଦା ବିସିସିିଆଇ ଅଧିକାରୀ ବଡ଼ ଥିଲେ। ଧୋନିଙ୍କୁ ବିସିସିଆଇର ବହୁତ ସମର୍ଥନ ଥିଲା। ହେଲେ ଅନ୍ୟ ଖେଳାଳିଙ୍କୁ ସେପରି ସମର୍ଥନ ନଥିଲା। ଅନ୍ୟଥା ସେମାନେ ମଧ୍ୟ ଅଧିକ ମ୍ୟାଚ୍‌ ଖେଳି ପାରିଥାଆନ୍ତେ। ସମସ୍ତ ଖେଳାଳି ଭାରତୀୟ ଜର୍ସି ପିନ୍ଧି ଅବସର ନେବାକୁ ଚାହାନ୍ତି। ହେଲେ ତୁମେ ଯାହା ଆଶ ରଖିଥାଅ; ତାହା ଘଟିନଥାଏ। ରାହୁଲ ଦ୍ରାବିଡ଼, ଭିଭିଏସ୍ ଲକ୍ଷ୍ମଣ, ବୀରେନ୍ଦ୍ର ସେହ୍ବାଗଙ୍କୁ ଏହି ସୁଯୋଗ ମିଳିନଥିଲା। ବଡ଼ ଖେଳାଳି ସମ୍ମାନର ହକ୍‌ଦାର ନିଶ୍ଚୟ।

Comments are closed.