MEllora 950×100

ଅଭୟାରଣ୍ୟ କଟକଣାରେ ବିତୁଛି ଅନ୍ଧାରୀ ଜୀବନ 

ମୌଳିକ ସୁବିଧାରୁ ବଂଚିତ ମାରଡାବାସୀ

ହରଭଙ୍ଗା : ମଣିଷ ଆଧୁନିକ ଯୁଗରେ ପାଦଥାପିବା ସହିତ ଆକାଶରେ ଉଡିବାଠାରୁ ପାଣିଭିତରେ ରାସ୍ତା ତିଆରି କରିବା ଭଳି ଆଧୁନିକ ଜ୍ଞାନକୌଶଳ ଆବିଷ୍କାର ମଧ୍ୟ କରିସାରିଲାଣି। ଏସବୁ ସତ୍ୱେ ଆଜି ମଧ୍ୟ ଏଭଳି ଅନେକ ଦୁର୍ଗମ ଅଂଚଳ ରହିଛି ଯେଉଁଠି ଲୋକେ ଭତା,ଚାଉଳ ପାଇଁ ବାଘ,ଭାଲୁ ଭଳି ହିଂସ୍ରଜନ୍ତୁ ସହିତ ଲଢିବାକୁ ପଡୁଛି। ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ,ରାସ୍ତା ,ବିଜୁଳି ଏମାନଙ୍କ ପାଇଁ ସାତସପନ ରହିଛି।
ଏଭଳି ଏକ ଗାଁ ରହିଛି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ କୁଶଙ୍ଗ ପଂଚାୟତର ମାରଡା ଗ୍ରାମ।ଜିଲ୍ଲା ସଦରମହକୁମାଠାରୁ ୮୦କିଲୋମିଟର ଦୂର ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ରହିଛି ଏହି ଆଦିବାସୀ ବହୁଳ ଗାଁ। ଟିକରପଡା ଅପରପାଶ୍ୱର୍ ମହାନଦୀ କୂଳରେ ଅବସ୍ଥିତ ମାରଡା ଗାଁ ଚାରିପଟେ ଘେରିରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଘଂଚ ଜଙ୍ଗଲ ସାତକୋଶିଆ ଅଭୟାରଣ୍ୟ। ପଂଚାୟତ ସଦରମହକୁମାଠାରୁ କୋଡିଏ କିଲୋମିଟର ଦୂର ୧୧ନଂ ଓାର୍ଡ ଅର୍ନ୍ତଗତ ଏହି ଗ୍ରାମରେ ୨୫ଟି ଆଦିବାସୀ ପରିବାରରେ ୯୩ଜଣ ଲୋକ ବସବାସ କରୁଛନ୍ତି।। କାହିଁ କେଉଁ ଆଦିମ କାଳରୁ ଏମାନେ ମହାନଦୀ ତଟରେ ରହିଥିବା ମଣିଭଦ୍ରା ପାହାଡ ପାଦଦେଶରେ ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ବସତି ସ୍ଥାପନ କରି ଚାଷବାସକରି ଏଠାରେ ବସବାସ କରିଆସୁଛନ୍ତି।
ଧାନ ,ହଳଦୀ,ଅଦା ଏମାନଙ୍କ ମୁଖ୍ୟଜୀବିକା ହୋଇଥିଲେ ସୁଦ୍ଧା ଯାତାୟତ ସାଙ୍ଗକୁ ବଜାର ସୁବିଧା ନଥିବାରୁ ଶାଗ,ମାଛ ଦରରେ ବୁଲା ମହାଜନଙ୍କୁ ଦେଇ ବର୍ଷସାରା ସେଥିରୁ ତେଲ,ଲୁଣ କିଣି ଗୁଜୁରାଣ ମେଂଟାଇଥାନ୍ତି।। ସର୍ବନିମ୍ନ ମୌଳିକ ସୁବିଧାରୁ ବଂଚିତ ମାରଡାବାସୀ ଆଜି ମଧ୍ୟ ଅଭୟାରଣ୍ୟ କଟକଣାରେ ଛନ୍ଦିହୋଇ ଅନ୍ଧାରି ଜୀବନ ବିତଉଥିବା ଜଣାପଡିଛି।
ଅନ୍ୟପଟେ ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଅଧିନରେ ରହିଥିବା କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ରେଞର ସାତକୋଶିଆ ଅଭୟାରଣ୍ୟର କୋର ଏରିଆରେ ମାରଡା ଗ୍ରାମ ଅବସ୍ଥିତ ।୨୦୦୭ ମସିହାରେ ସାତକୋଶିଆକୁ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ ଭାବେ ଘୋଷଣା ପରେ ଅଭୟାରଣ୍ୟର ୯୬୩.୮୭ବର୍ଗ କିଲୋମିଟର ଏରିଆରୁ ୫୨୩.୬୧ ବର୍ଗକିଲୋମିଟର ଏରିଆକୁ କୋର ଏରିଆ ବା ରେଷ୍ଟିକେଟ ଏରିଆ ଭାବେ ଚିହ୍ନଟ କରାଯାଇଛି। ଏହାର କିଛି ଅଂଚଳ ମହାନଦୀ ହାତୀ ସଂରକ୍ଷିତ ଅଂଚଳଭାବେ ମଧ୍ୟ ଚିହ୍ନଟ ହୋଇଛି।
ଅନୁଗୁଳୁ,କଟକ,ନୟାଗଡ ଏବଂ ବୌଦ୍ଧ ଜିଲ୍ଲାର କିଛି ଅଂଚଳ ସହିତ କେତେଗୁଡିଏ ଗ୍ରାମ ଏହି ଅଭୟାରଣ୍ୟ ମଧ୍ୟରେ ରହିଛି। ବ୍ୟାଘ୍ର ସଂରକ୍ଷଣ,ହାତୀ ସଂରକ୍ଷଣ ଘୋଷଣା ପରେ ବନ୍ୟପ୍ରାଣିଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଏବଂ ସେମାନଙ୍କ ସଂଖ୍ୟା ବୃଦ୍ଧି ଉପରେ ଗୁରୁତ୍ୱୋରୋପ କରାଯିବା ସହିତ ଅଭୟାରଣ୍ୟର କୋର ଏରିଆରେ ଗତ କିଛିବର୍ଷ ହେଲା ଯାନବାହାନ ଚଳାଚଳ ଯାତାୟତ ସାଙ୍ଗକୁ ଶଦ୍ଦପ୍ରଦୁଷଣ ଭଳି ଅନେକ କଟକଣା ଲାଗୁକରାଯାଇଛି। ଫଳରେ ଅଭୟାରଣ୍ୟ ବିଭାଗର ବିନା ଅନୁମତିରେ କୌଣସି ଉନ୍ନୟନ କାର୍ଯ୍ୟ ଅଭୟାରଣ୍ୟ ଅଂଚଳରେ ବାରଣ କରାଯିବା ସହିତ ଚାଲି ଚାଲି ଯିବାଆସିବାରେ ମଧ୍ୟ କଟକଣା ଲାଗିଛି। ଏଭଳି ପ୍ରତିବନ୍ଧକ ଯୋଗୁଁ କୋର ଏରିଆରେ ଥିବା ଗ୍ରାମଗୁଡିକରେ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ପକାଯିବା ସହିତ ବିକାଶ ଉପରେ ନାଲିଗାର ଟଣାହୋଇଛି।

ଆଦିବାସୀ ବହୁଳ ମାରଡା ଗାଁ କୋରଏରିଆରେ ଆସୁଥିବାରୁ ବିଭାଗ ପକ୍ଷରୁ ସେମାନଙ୍କୁ ଅନ୍ୟତ୍ର ବିସ୍ଥାପିତ କରିବା ପାଇଁ ସମସ୍ତ ଚେଷ୍ଟା ଏବଂ ସହାୟତା ପ୍ରତିଶ୍ରୁତି ସତ୍ୱେ ଏମାନେ ଭିଟାମାଟି ଛାଡିବାକୁ ଅରାଜି ହେଉଛନ୍ତି। ଯାହାଫଳରେ ଗୋଟିଏ ପଟେ ଅଭୟାରଣ୍ୟ କଟକଣା ଯୋଗୁଁ ଗାଁରେ ରହିଥିବା ଏକମାତ୍ର ସ୍କୁଲରେ ଛଅବର୍ଷହେଲା ତାଲା ଝୁଲିବା ସହିତ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ମଧ୍ୟ ପୂର୍ଣ୍ଣଛେଦ ପଡିଛି। ବର୍ତମାନ ପଂଚାୟତତରଫରୁ ମିଳୁଥିବା ଭତା,ଚାଉଳ ଏମାନଙ୍କ ଏକମାତ୍ର ସରକାରୀ ସହାୟତା ହୋଇରହିଛି। ଅଭୟାରଣ୍ୟର ଜଙ୍ଗଲୀ ରାସ୍ତାରେ ବାଘ,ଭାଲୁ ଭଳି ହିଂସ୍ରଜନ୍ତୁଙ୍କ ବିପଦ ରହିଥିଲେ ସୁଦ୍ଧା କୋଡିଏ କିଲୋମିଟର ଜଙ୍ଗଲୀ ପାହାଡି ରାସ୍ତାରେ ଚାଲି ଚାଲି ଜୀବନକୁ ବାଜିଲଗାଇ ଭତା,ଚାଉଳ ଏମାନେ ସଂଗ୍ରହ କରିଥାନ୍ତି ।ଉଦଣ୍ଡୀ ନାଳରେ ବର୍ଷା ୪ମାସ ମହାନଦୀରେ ବନ୍ୟା ପାଣି ଯୋଗୁଁ ଗାଁକୁ ଯୋଗାଯୋଗ ବିଛିନ୍ନ ହେବା ସହିତ ସେମାନେ ବିଛିନ୍ନାଚଂଳ ଭାବେ ରହିଥାନ୍ତି।।ବର୍ଷାଦିନେ ଖାଉଟି ସାମଗ୍ରୀ ସଂଗ୍ରହ କରିନପାରି ସେମାନେ ବହୁସମୟରେ ଜଙ୍ଗଲୀ ଫଳ,ମୂଳ ମଶିଆ କନ୍ଦା ଖାଇ ଜୀବନ କାଟିଥାନ୍ତି।ଗର୍ଭବତୀ ଏବଂ ରୋଗୀକୁ ମେଡିକାଲ ନ ନେଇ ଭଗବାନ ଭରସାରେ ପଡିରହିଥାନ୍ତି।।ଗର୍ଭବତୀ ମହିଳାଙ୍କ ପ୍ରସବ ପାଇଁ ସଂର୍ପକୀୟ ଘରେ ଏକମାସ ପୂର୍ବରୁ ଛାଡିବାକୁ ପଡିଥାଏ। ଅଭୟାରଣ୍ୟ କଟକଣାରେ ପେଶି ହୋଇ ଏଭଳୀ ଦୁର୍ବୀସହ ଅନ୍ଧାରୀ ଜୀବନ କାଟୁଥିବା ମାରଡାବାସୀଙ୍କୁ ବିସ୍ଥାପିତ ଥଇଥାନ ପ୍ରତିଶ୍ରୁତି ସତ୍ୱେ ଏବେ ମଧ୍ୟ ସେମାନେ ଟଙ୍କା ଲୋଭରେ ନିଜ ଭିଟାମାଟି ଛାଡି୍ବା ପାଇଁ ଇଛାପ୍ରକାଶ କରୁନଥିବା ଗ୍ରାମର ,ଶତ୍ରୁଘ୍ନ ପ୍ରଧାନ,ଛବି ବେହେରା,ଘନ ବେହେରା ,ତିଳୋତମା ପ୍ରଧାନ,ସରୋଜ ବେହେରା ପ୍ରମୁଖ କହନ୍ତି ।
ଏ ସଂର୍ପକରେ ମତାମତ—–
ଛବିନ୍ଦ୍ର ପ୍ରଧାନ (ଗ୍ରାମବାସୀ)-ବାପ,ଅଜା ଅମଳରୁ ଆମେ ପଚିଶିଟି ଆଦିବାସୀ ପରିବାର ଏଠାରେ ରହୁଛୁ। ଅଭୟାରଣ୍ୟ ନାଁରେ ଆମର ସ୍କୁଲ ବନ୍ଦ କରିଦେଲେ। ନାଳରେ ବନ୍ୟାପାଣି ଯୋଗୁଁ ବର୍ଷା ୪ମାସ ତେଲ,ଲୁଣ ଠାରୁ ଆରମ୍ଭ କରି ଭତା,ଚାଉଳ ଏବଂ ରୋଗୀକୁ ମେଡିକାଲ ନେବା କଷ୍ଟକର। ବର୍ଷା ୪ମାସ ରାସନ ସାମଗ୍ରୀ ଆମକୁ ଆଗୁଆ ଦିଆଯାଉ। ଆମର ସୁବିଧାଲାଗି ନାଳରେ ପୋଲ ନିର୍ମାଣ କରାଯାଉ। ବର୍ଷାଦିନେ କୁମ୍ଭୀର ଭୟରେ ମହାନଦୀରେ ଗାଧୁଆ ପାଧୁଆ ଭୟଲାଗୁଛେ। ତେଣୁ ଗାଁରେ ବନ୍ଧ ଗୋଟେ ଖୋଳାଯାଉ । ବିସ୍ଥାପିତ ପାଇଁ ଯେତେ ଲୋଭ ଦେଖାଇଲେ ମଧ୍ୟ ଆମେ ଭିଟାମାଟିଛାଡିବୁ ନାହିଁ।
ସଂସାର ବର୍ଗୀଆ(କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର)- ଅଭୟାରଣ୍ୟର କୋରଏରିଆ ଭିତରେ ରହିଛି ମାରଡା ଗାଁ। ବ୍ୟାଘ୍ର ସଂରକ୍ଷଣ ଘୋଷଣା ପରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନେକ କଟକଣା ଲାଗୁହୋଇଛି।ଯାହାଫଳରେ ବିନା ଅନୁମତିରେ ଅଭୟାରଣ୍ୟ ମଧ୍ୟରେ ଯାତାୟତ ଅସମ୍ଭବ ସାଙ୍ଗକୁ କୋର ଏରିଆରେ ଥିବା ଗାଁ ଗୁଡିକୁ ବିସ୍ଥାପିତ କରାଯାଇ ଅନ୍ୟତ୍ର ଥଇଥାନ ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ବିସ୍ଥାପିତ ପରିବାରକୁ ପନ୍ଦରଲକ୍ଷ ଟଙ୍କା ସହାୟତା ସହିତ ଘର,ପାଈଖାନା,ସ୍କୁଲ ,ଜମି ଇତ୍ୟାଦି ଦେବାର ବ୍ୟବସ୍ଥା ସତ୍ୱେ ସେମାନେ ଭିଟାମାଟି ଛାଡିଯିବାକୁ ଅରାଜି ହେଉଛନ୍ତି।

Comments are closed.