ଖୋଲୁନି ହରଭଙ୍ଗା ତହସିଲ ଜମିଦୁର୍ନୀତି ଗୁମର: ତାଲିକାରେ ବଡ ବଡିଆଙ୍କ ନାଁ, ନିର୍ଦ୍ଦେଶ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ 

ହରଭଙ୍ଗା: ସମୟ ପରେ ସମୟ ଗଡିଚାଲିଛି ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲରେ ହୋଇଥିବା ଜମି ଦୁର୍ନୀତି ଗୁମର ଫିଟିପାରୁନି। ୨୦୧୪ ମସିହାରେ ଘଙ୍ଗପାଟଣା ଜମି ଦୁର୍ନୀତିର ପୁନରାବୃତି ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାର ହରଭଙ୍ଗା ତହସିଲରେ ବିନା କାଗଜପତ୍ରରେ ଶହ ଶହ ଏକର ସରକାରୀ ଜମି ବଡବଡିଆ ଲୋକଙ୍କୁ ବଂଟନ ହୋଇଥିବା ଜଣାପଡିଛି। ଏହି ବଂଟନ ତାଲିକାରେ ରାଜନେତାଠାରୁ ଆରମ୍ଭ କରି ଶିଳ୍ପପତିମାନଙ୍କ ନାମ ରହିଥିବା ମଧ୍ୟ ଜଣାପଡିଛି।

ପ୍ରକାଶ ଯେ, ଗତ ୧ ଜୁଲାଇ ୨୦୦୯ରେ ହରଭଙ୍ଗାର ଚାରିଛକଠାରେ ନୂତନ ତହସିଲ କାର୍ଯ୍ୟାଳୟ ଖୋଲିଥିଲା। ସେହି ସମୟରେ ଏହି ତହସିଲର ଅତିରିକ୍ତ ଦାୟି୍ତ୍ୱରେ ଥିବା ବୌଦ୍ଧର ପୂର୍ବତନ ତହସିଲଦାର ସୀପ୍ରା ସେଠୀଙ୍କ ସମୟରେ ବେନିୟମଭାବେ ବହୁ ଲୋକଙ୍କୁ ବିନା କଗଜପତ୍ରରେ ସରକାରୀ ଜମି ବଂଟନ କରାଯାଇଥିବା ଜଣାପଡିଥିଲା। ତାଙ୍କ ପରେ ପରେ ଏହି ତହସିଲର ଦ୍ୱିତୀୟ ତହସିଲଦାରଭାବେ ଦାୟିତ୍ୱଗ୍ରହଣ କରିଥିବା ପୂର୍ବତନ ତହସିଲଦାର ନବୀନ ଚନ୍ଦ୍ର ନାଏକଙ୍କ ସମୟରେ ଜଣେ ଅବସରପ୍ରାପ୍ତ ଆର.ଆଇଙ୍କ କଳେଙ୍କାରୀ ମସ୍ତିଷ୍କରେ ବେନିୟମଭାବେ ବହୁ ସରକାରୀ ଜମି ବଂଟନ କରାଯାଇଥିବା ମଧ୍ୟ ଜଣାପଡିଥିଲା। ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଖୋଲିବାର ପାଂଚବର୍ଷ ମଧ୍ୟରେ ଅର୍ଥାତ୍ ୨୦୦୯ରୁ୨୦୧୩ ମଧ୍ୟରେ ବେନିୟମଭାବେ ଲୋକଙ୍କୁ ଶାଗ, ମାଛ ଭଳି ପାଖାପାଖି ଦଶହଜାର ଏକର ସରକାରୀ ଜମି ବଂଟନ କରାଯାଇଥିବା ଜଣାପଡିଛି। ଗରିବ ଜମିହୀନ, ଭୂମିହୀନମାନଙ୍କୁ ସହଜରେ ସରକାରୀ ଜମି ଖଣ୍ଡିଏ ମିଳୁ ନ ଥିବା ବେଳେ ଏହି ଦାୟିତ୍ୱରେ ଥିବା ତହସିଲଦାର ନିଜ ମନମାନୀରେ ସରକାରୀ ନିୟମକୁ ଜଳାଞଳୀ ଦେଇ ଜଣେ ଜଣେ ଲୋକଙ୍କୁ ଦୁଇ ଏକର, ତିନି ଏକର ସରକାରୀ ଜମି ବଂଟନ କରିଥିବା ସାଂଘାତିକ ଦୁର୍ନୀତି ପଦାକୁ ଆସିବା ପରେ ଜିଲ୍ଲାରେ ଆଲୋଡନ ସୃଷ୍ଟିହୋଇଥିଲା। ଜମି ଦୁର୍ନୀତି ଘଟଣାରେ ଗତ ୨୦୧୭ରେ ପୂର୍ବତନ ତହସିଲଦାର ସିପ୍ରାସେଠୀଙ୍କୁ ସରକାର ଚାକିରୀରୁ ନିଲମ୍ବନ ପରେ ଦୁର୍ନିତୀରେ ଲିପ୍ତଥିବା ଅନ୍ୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। ତହସିଲର ବିଭିନ୍ନ ମୌଜାରେ ସରକାରୀ ଖାତାରୁ ଶହ ଶହ ଏକର ସରକାରୀ ଜମି ବଂଟନ ହୋଇଥିବା ଜଣାପଡିବାପରେ ପ୍ରଥମ ଦଫାରେ ୪୨୩.୬ଏକର ସରକାରୀ ଜମି ଫେରାଇ ଆଣିବାକୁ ଜିଲ୍ଲାପାଳ ହରଭଙ୍ଗା ତହସିଲଦାରଙ୍କୁ ମଧ୍ୟ ତାଲିକା ପ୍ରଦାନ କରିଥିଲେ। ଏହି ତାଲିକାରେ ଦୁଇ ଏକରରୁ ଅଧିକ ସରକାରୀ ଜମି ହାତେଇଥିବା ବଡବଡିଆଙ୍କ ନାମ ରହିଛି।

ବିଶେଷକରି ତହସିଲର ଲୋକାପଡା(୪୬ଏକର), ରାୟପୁର(୪୮ଏକର), ଧଳପୁର(୪୭ଏକର), ବୀରନରସିଂହପୁର(୨୬ଏକର), ରାଧାନଗର(୪୭ଏକର), ଖଳିସାହି(୨୩ଏକର), ଜିରାଡ(୨୨ଏକର), ସାର୍ତାଗାଡୁ(୧୨ଏକର), ଖରଭୁଇଁ(୧୯ଏକର), ବାଙ୍କାର୍ଜ୍ଜୁନ(୧୧ଏକର), ଲକ୍ଷ୍ମଣପୁର(୭ଏକର), କୃଷ୍ଣପାଲ୍ଲୀ(୬ଏକର) ଭଳି ଅନେକ ରାଜସ୍ୱ ମୌଜାରେ ଏଭଳି ସରକାରୀ ଜମି ହଡପ କରାଯାଇଥିବା ତାଲିକାରେ ଦେଖିବାକୁ ମିଳିଥିଲା। ଏହି ତାଲିକାରେ ଜମିହୀନ ଭୂମିହୀନ ବଦଳରେ ପ୍ରତିପ୍ରତି, ମୁଷ୍ଟିମେୟ, ସଦା ଦୁର୍ନୀତି ବିରୋଧି ସ୍ଲୋଗାନ ଦେଉଥିବା ଲୋକଙ୍କ ନାମ ରହିଥିବା ମଧ୍ୟ ଜଣାପଡିଛି।ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ତିନିବର୍ଷ ପୂରିବା ସତ୍ୱେ ଏହା ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଫାଇଲକୁ ଚାପିଦିଆଯାଇଛି।ଯାହାଫଳରେ ବେନିୟମଭାବେ ସରକାରୀ ଜମି ହାତେଇଥିବା ଭଦ୍ରବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାରେ ଅହେତୁକ ବିଳମ୍ବକୁ ନେଇ ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସଂର୍ପକରେ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ ଜମି ଦୁର୍ନୀତି ଘଟଣାର ଖୋଳତାଡ ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।ଓଡିଶା ଜବରଦଖଲ ଆଇନ ଏବଂ ଓଡିଶା ସରକାରୀ ଲ୍ୟାଣ୍ଡ ସେଟେଲମ୍ୟାଟଂ ନିୟମରେ ଜମି ବଂଟନ ହୋଇଥିବା କହିଛନ୍ତି। ମାତ୍ର ଜମି ଫେରାଇ ଆଣିବା କ୍ଷମତା ତହସିଲଦାରଙ୍କ ନାହିଁ।ସରକାର ତାଙ୍କୁ କ୍ଷମତା ପ୍ରଦାନ କଲେ ସେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଏଥିପ୍ରତି ରାଜ୍ୟ ରାଜସ୍ୱ କମିଶନର ସତନ୍ତ୍ର ଦୃଷ୍ଟି ଦେବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ଉଠୁଛି।

Comments are closed.