ଆଦର୍ଶ ପଞ୍ଚାୟତରେ ପାନୀୟ ଜଳ ପାଣି ସମସ୍ୟା, ସମାଧାନ ଦାବୀରେ ବସ୍ତିବାସିନ୍ଦାଙ୍କ ରାଜପଥ ଅବରୋଧ

ହରଭଙ୍ଗା: ସ୍ୱାଧିନତାର ବହୁବର୍ଷ ପରେ ବି ପିଇବା ପାଣି ଭଳି ମୌଳିକ ସୁବିଧା ଆଜି ବି ଅନେକ ଗାଁ ଲୋକଙ୍କ ପାଇଁ ଅପହଞ୍ଚ ରହିଛି। ଗ୍ରୀଷ୍ମଦିନେ ପିଇବା ପାଣି ସମାସ୍ୟା ଭୋଗୁଥିବା ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ଧଳପୁର ଭଳି ଆଦର୍ଶ ପଂଚାୟତର ୭ନଂଓାର୍ଡର ବସ୍ତିବାସିନ୍ଦା ପାଣି ପାଇଁ ରାଜ୍ୟ ରାଜପଥ ଅବରୋଧ କରିବା ଭଳି ଆଉ ଏକ ଅଭାବନୀୟ ଚିତ୍ର ସରକାରଙ୍କ ଆଦର୍ଶ ଗ୍ରାମ ପଞ୍ଚାୟତ ନାରାକୁ ପଦାରେ ପକାଇଛି।

ପ୍ରକାଶ ଯେ ଏହି ପଞ୍ଚାୟତ ଅର୍ନ୍ତଗତ ୭ନଂ ଓାର୍ଡର ବେତେରା ସାହିରେ ପାଖାପାଖି ଶହେ ପରିବାରରେ ୩ଶହ ଲୋକ ବସବାସକରନ୍ତି।ବସ୍ତିବାସିନ୍ଦାଙ୍କ ପାଇଁ ସାହିରେ ୩ଟି ନଳକୂପ ରହିଛି।ସେଥିରୁ ଗୋଟିଏ ନଳକୂପ ଦୀର୍ଘଦିନହେଲା ଖରାପ ହୋଇପଡିଥିବାରୁ ଖରାଦିନେ ପିଇବା ପାଣି ପାଇଁ ସାହିଲୋକେ ନାହିଁନଥିବା ହଇରାଣ ଭୋଗୁଛନ୍ତି।ସଚଳଥିବା ଦୁଇଟି ନଳକୂପରୁ ନାଲି ପାଣି ବାହାରୁଥିବାରୁ ଏହା ଲୋକଙ୍କ ପାଇଁ ପିଇବା ଉପଯୋଗୀ ହେଉନାହିଁ। ଫଳରେ ଆଜି ସକାଳେ ଉତ୍ୟକ୍ତ ବସ୍ତିବାସିନ୍ଦା ପିଇବା ପାଣି ସମସ୍ୟା ସମାଧାନ ଦାବୀରେ ଗରା, ବାଲଟି, ଡେକଚି ଧରି ଟାୟାର ଜାଳି ଧଳପୁର-ପୁରୁଣାକଟକ ପୂର୍ତବିଭାଗ ରାସ୍ତା ଅବରୋଧ କରିଥିଲେ।ଖବରପାଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ଘଟଣାସ୍ଥଳରେ ପଂହଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ମାତ୍ର ସେମାନେ ନଳକୂପଗୁଡିକରୁ ନାଲି ପାଣି ବାହାରୁଥିବାରୁ ପାଇପ ଜଳ ଯୋଗାଣ ପାଇଁ ଜିଦଧରି ବସିଥିଲେ। ବସ୍ତିଲୋକଙ୍କ ପିଇବା ପାଣି ସମସ୍ୟା ଦୂର ପାଇଁ ପାଇପ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଡିଓ ପ୍ରତିଶ୍ରୁତି ଦେବା ପରେ ସେମାନେ ରାସ୍ତା ଅବରୋଧରୁ ହଟିଥିଲେ।ଆଈନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ହରଭଙ୍ଗା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା।

Comments are closed.