MEllora 950×100

ମାଣ୍ଡିଆ ଚାଷ ପାଇଁ ପିଭିଟି ପ୍ଲଟ ପରିଦର୍ଶନ କଲେ ଜିଲାପାଳ

ହରଭଙ୍ଗା : ଓଡ଼ିଶା ସରକାରଙ୍କ ମିଲେଟ ମିଶନ କାର୍ଯ୍ୟକ୍ରମ ଅନ୍ତର୍ଗତ ମାଣ୍ଡିଆ ଚାଷ ନିମନ୍ତେ ହରଭଙ୍ଗା ବ୍ଲକର କେଳାକଟାରେ ପିଭିଟି ପ୍ଲଟ ପରିଦର୍ଶନ କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ । ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହିତ ମିଲେଟ ମିଶନର ଜିଲ୍ଲା ସଂଯୋଜକ ଦିବ୍ୟଜ୍ୟୋତି ପ୍ରକାଶ କାନ୍ତ, ଜିଲ୍ଲା କୃଷି ଅଧିକାରୀ ନାରାୟଣ ମହାନନ୍ଦ, ହରଭଙ୍ଗା ବ୍ଲକ କୃଷି ଅଧିକାରୀ ସବ୍ୟସାଚୀ ଦାସ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ହରଭଙ୍ଗା ବ୍ଲକର ମଥୁରା ଗ୍ରାମପଞ୍ଚାୟତ ସ୍ଥିତ କେଳାକଟା ଗ୍ରାମରେ ମାଣ୍ଡିଆ କିସମ ଚୟନର କ୍ଷେତ୍ରକୁ ଦେଖି ସହଯୋଗୀ ସଂସ୍ଥା ଲୋକକଳା ବିକାଶ କେନ୍ଦ୍ରର କର୍ମୀଙ୍କୁ ବେଶ୍ ପ୍ରଶଂସା କରିଥିଲେ ଓ ରବି ଋତୁରେ ମାଣ୍ଡିଆ କ୍ଷୁଦ୍ରଶସ୍ୟ ଚାଷକୁ ତ୍ୱରାନ୍ୱିତ କରିବାପାଇଁ କୃଷି ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଆଗକୁ ଜିଲ୍ଲାରେ ପ୍ରତ୍ୟେକ ଗ୍ରାମରେ ଯେପରି ଏହାର ପ୍ରସାର ହେବ ତାହାକୁ ଗୁରୁତ୍ବ ଦେବାକୁ କହିଥିଲେ। ମିଶନ ସଂଯୋଜକ ଦିବ୍ୟଜ୍ୟୋତି ପ୍ରକାଶ ଏ ସମ୍ପର୍କରେ କହିଥିଲେ ଯେ, ପ୍ରତ୍ୟେକ ବ୍ଲକରେ ଏଭଳି ତିନୋଟି ପି ଭି ଟି ପ୍ଲଟ ରହିଛି। ଏଥିରେ ଦଶ ପ୍ରକାର ମାଣ୍ଡିଆ, ବାଟି, ବଡ଼ମଣ୍ଡିଆ, ଦଶରା, କର୍କଟି, ମଞ୍ଜୁଳା, ପାରା, କାଙ୍ଗ୍ରା, ମହାରାଷ୍ଟ୍ର, ସିକା ଓ କେଏମର -୨୦୪ ବିହନକୁ ପରୀକ୍ଷିତ କରାଯାଉଛି। ଯେଉଁ ପ୍ରକାର ବିହନକୁ ସ୍ଥାନୀୟବାସୀ ଚୟନ କରିବେ ତାହା ଦ୍ଵିତୀୟ ବର୍ଷରେ ପୁନଃ ପରୀକ୍ଷିତ ହେବ ଏବଂ ତୃତୀୟ ବର୍ଷଠାରୁ ସମଗ୍ର ପ୍ରଖଣ୍ଡରେ ଚୟନ ହୋଇଥିବା ବିହନକୁ ଚାଷୀମାନଙ୍କୁ ପ୍ରଦାନ କରାଯିବ।

Comments are closed.