ହରଭଙ୍ଗାରେ ବନ୍ୟା ବିତ୍ପାତ; ପାଣି ଘେରରେ ୬୫ଟି ଗାଁ

ହରଭଙ୍ଗା: ପ୍ରବଳ ବର୍ଷାରେ ବେହାଲ ହୋଇଛି ବୌଦ୍ଧ ଜିଲ୍ଲା । ବୌଦ୍ଧ ଜିଲ୍ଳାର ହରଭଙ୍ଗା ବ୍ଲକରେ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି । ବନ୍ୟା ପାଣି ଯୋଗୁ ମୋଟ୍‌ ୬୫ଟି ଗାଁ ପ୍ରଭାବିତ ହୋଇଛି । ବିଶେଷକରି ହରଭଙ୍ଗା, କୁଶଙ୍ଗ, ଧଳପୁର, ରାମଗଡ, ଶଙ୍କୁଲେଇ, ବୀରନରସିଂହପୁର, ସାମ୍ପୋଚ୍‌ସରସରା ଏବଂ ରାଧାନଗର ଭଳି ୯ଟି ପଞ୍ଚାୟତର ମହାନଦୀ ପାଣି ଯୋଗୁ ପ୍ରଭାବିତ ​ହୋଇଛନ୍ତି । ଡିଆଁଘାଟ, କୋଡାଶିଙ୍ଗା, ଭେଜିଗୁଡା, ସୁରୁଣ୍ଡି, ପାଣିଘରା, ରାଉତପଡା, ଖଣ୍ଡଧଳପୁର, ହାଟଗାଁ, କୃଷ୍ଣମୋହନପୁର, ମାରଡା, ତିରଡ, ମହୁଲଧର, କୁଶାସିଙ୍ଗା, ତେନ୍ତୁଳିପଦର, ଝରାସାହି ଭଳି ୨୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ।

ପାଣିଘେରରେ ଥିବା କୋଡାଶିଙ୍ଗା ଗାଁର ୬୫ ପରିବାରର ୨ଶହ ଲୋକଙ୍କୁ ଓଡ୍ରାଫ୍‌ ଟିମ୍‌ ସହାୟତାରେ ସ୍ଥାନାନ୍ତରିତ କରାଯାଇଛି । ବନ୍ୟା ପାଣିରେ ଫସିରହିଥିବା ୩ଜଣ ମେଗା ଜଳସେଚନ ପ୍ରକଳ୍ପର କର୍ମଚାରୀଙ୍କୁ ହରଭଙ୍ଗା ଅଗ୍ନିଶମ ବାହିନୀ ଆଜି ଉଦ୍ଧାର କରିଛି । ସେହିପରି ଲୋକଙ୍କ ପାଇଁ ରନ୍ଧା ଖାଦ୍ୟର ବ୍ୟବସ୍ଥା କଳରିଛି ପ୍ରଶାସନ । ହରଭଙ୍ଗାର ବିଭିନ୍ନ ଅଞ୍ଚଳରେ ପାଣି ପଶିବା ଯୋଗୁ ଅନେକ ଲୋକ ବାସଚ୍ୟୁତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ।

ଅନ୍ୟପଟେ କୁଶଙ୍ଗ ବନ୍ୟପ୍ରାଣୀ ଅଭୟାରଣ୍ୟ ଭିତରେଥିବା ମାରଡା ଗାଁ ବାହ୍ୟଜଗତରୁ ୬ଦିନ ହେଲା ବିଚ୍ଛିନ୍ନ ରହିଛି । ସେଠାକୁ ରିଲିଫ ସାମଗ୍ରୀ ପଂହଚିପାରୁନଥିବାରୁ ସେଠାକାର ୩୦ଟି ଆଦିବାସୀ ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ଅନେକ ଲୋକଙ୍କୁ ଏବେ ବି ମଧ୍ୟ ଉଦ୍ଧାର କରାଯାଉଛି । ଅନ୍ୟପଟେ ବର୍ତ୍ତମାନ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ମହାନଦୀରେ ଏକ ବଡଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତୁରନ୍ତ ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ରିଲିଫ୍‌ ଇତ୍ୟାଦି ଯୋଗାଇଦେବାକୁ ଦାବି ହେଉଛି ।

Comments are closed.