ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବୃଦ୍ଧଙ୍କୁ ହତ୍ୟା, ୨ ଅଟକ

ହରଭଙ୍ଗା: ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର୫୭ ନମ୍ବର ଜାତୀୟ ରାଜପଥ ଉପରେଥିବା ଲୁଣିବାହାଲ ବଜାର ଉପରେ ରାକ୍ଷୀପୂର୍ଣ୍ଣିମା ଦିନ ଏକ ବର୍ବରୋଚିତ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବରାଜପୁର ଗ୍ରାମର ଝରିଆ ବାରିକ(୬୦)ଙ୍କୁ ତାଙ୍କ ସର୍ମ୍ପକୀୟ ଭାଇ ସୁବାଷ ବାରିକ ଏବଂ ତାଙ୍କ ପୁତୁରା ଅସିତ ବାରିକ କଇଁଚି ଏବଂ କାଠଫାଳିଆରେ ଦିବାଲୋକରେ ମରଣାନ୍ତକ ଆକ୍ରମଣ କରିଥିଲେ। ହତ୍ୟା କରିଥିବା ଭଳି ଅଭାବନୀୟ ଦୃଶ୍ୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନା ମତେ ଆଜି ରାକ୍ଷୀ ପୂର୍ଣ୍ଣୀମା ଥିବାରୁ ଯୁବରାଜପୁର ଗ୍ରାମର ଝରିଆ ବାରିକ ଗାଈ ଗେଣ୍ଡାଳ ବିକ୍ରି ପାଇଁ ଲୁଣିବାହାଲ ବଜାରକୁ ଆସିଥିଲେ। ଏହି ସମୟରେ ଝରିଆଙ୍କ ସହ ସୁବାଷ ଏବଂ ଅସିତଙ୍କ ଜମିବାଡିକୁ କେନ୍ଦ୍ରକରି ପାଟିତୁଣ୍ଡ କରିବା ସହିତ କଇଁଚି ,କାଠଫାଳିଆରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏହି ଘଟଣାଦେଖି ସ୍ଥାନୀୟ ଲୋକେ ପୁରୁଣାକଟକ ପୁଲିସକୁ ଖବର ଦେଇଥିଲେ।ଖବର ପାଇ ଝରିଆଙ୍କ ପୁତ୍ର ଘଟଣାସ୍ଥଳରେ ପହଞ୍ଚି କିଛି ଲୋକଙ୍କ ସହାୟତାରେ ରକ୍ତଜୁଡୁବୁଡୁ ଅବସ୍ଥାରେ ପଡିଥିବା ବାପାଙ୍କୁ ପୁରୁଣାକଟକ ମେଡିକାଲ ପହଞ୍ଚାଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଝରିଆଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ହତ୍ୟାଘଟଣାରେ ସମ୍ପୃକ୍ତ ଦୁଇ କକା, ପୁତୁରାଙ୍କୁ ସରସରାରୁ ଗିରଫ କରିବାକୁ ସକ୍ଷମ ହୋଇଛି।

 

ଏଭଳି ହତ୍ୟା ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ପୁରୁଣାକଟକ ଥାନାରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିଥିବା ମଧ୍ୟ ଜଣାପଡିଛି। ମୃତ ଝରିଆଙ୍କ ପୁଅ ଏତେଲା ଆଧାରରେ ପୁରୁଣାକଟକ ପୁଲିସ ହତ୍ୟା ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଏହା ସହିତ ମୃତଦେହ ବ୍ୟବଛେଦ ପାଇଁ ବୌଦ୍ଧ ମେଡିକାଲ ପଠାଯାଇଥିବା ପୁରୁଣାକଟକ ଆଈ.ଆଈ.ସି ଜ୍ୟୋସ୍ନା କାଉଁରୀ ସୂଚନା ଦେଇଛନ୍ତି। ଏ ସର୍ମ୍ପକରେ ବୌଦ୍ଧ ଏସ.ଡି.ପି.ଓ ଆନନ୍ଦ ବର୍ଦ୍ଧନ ଗୁରୁଙ୍କୁ ପଚାରିବାରୁ ଜମିବାଡିକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ପୂର୍ବଶତ୍ରୁତା ଲାଗିରହିଥିଲା।ପୂର୍ବରୁ ସେମାନଙ୍କ ମଧ୍ୟରେ ଦୁଇଥର ବାଡାପିଟା ଘଟଣା ଘଟିଥିଲା।ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟା ଘଟଣା ଘଟିଥିବା ସେ ସୂଚନା ଦେଇଛନ୍ତି। ପୁଲିସ ଦୁଇ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।

Comments are closed.