ଶାଢୀ ପାଇଁ ନବବଧୂକୁ ହତ୍ୟା ଅଭିଯୋଗ, ସ୍ୱାମୀ,ଶାଶୁ ଗିରଫ

ହରଭଙ୍ଗା: ଗତ ଜୁନ୍ ୨୧ରେ ବାହାଘର ସରିଥିଲା।ଗୋଡରୁ ଅଳତା , ହାତରୁ ମେହେନ୍ଦି ଲିଭିନଥିଲା। ସାଂସାରିକ ଜୀବନର ସୁଖଦୁଃଖ ଜାଣିବା ପୂର୍ବରୁ ଶାଢୀ ଖଣ୍ଡିଏ ପାଇଁ ଅତ୍ୟନ୍ତ ଅମାନୁଷିକଭାବେ ଶାଶୁଘରଲୋକ ନବବଧୂକୁ ହତ୍ୟାକରିଥିବା ନେଇ ହରଭଙ୍ଗା ଥାନାରେ ଅଭିଯୋଗ ହୋଇଛି। ଏଭଳି ଅମାନୁଷିକ ଘଟଣା ଘଟିଛି ବୌଦ୍ଧଜିଲା ହରଭଙ୍ଗା ଥାନା ଅର୍ନ୍ତଗତ ଗେରେଡିସାହିରେ। ଏହି ଘଟଣାରେ ପୁଲିସ ସ୍ୱାମୀ, ଶାଶୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ଜୁନ୍ ୨୧ ତାରିଖରେ ହରଭଙ୍ଗା ଥାନା ଅର୍ନ୍ତଗତ ଗେରେଡିସାହିର ସୁମନ୍ତ ସାହୁଙ୍କ ପୁଅ ପ୍ରଭାତ ସାହୁ କନ୍ଧମାଳ ଜିଲା ବଲସକୁମ୍ପା ବଢେଇଗୁଡା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝିଅ ମଧୁସ୍ମିତା ସାହୁ(୧୯)କୁ ବିବାହ କରିଥିଲେ। ବିବାହ ପରେ ଶାଢୀଦେବା ନେବା କଥାକୁ କେନ୍ଦ୍ରକରି ଶାଶୁ ସୁବାସିନୀ ସାହୁ ବୋହୁ ମଧୁସ୍ମିତାକୁ ନିର୍ଯ୍ୟାତନା ଦେଉଥିଲେ। ଗତ ୨୯ ତାରିଖ ଦିନ ଏହି କଥାକୁ କେନ୍ଦ୍ରକରି ମଧୁସ୍ମିତା ସହିତ ଝଗଡା କରିଥିଲେ। ସେଦିନ ଶାଶୁଘର ଲୋକେ ମିଶି ତାଙ୍କ ଝିଅ ମଧୁସ୍ମିତାଙ୍କ ମାରିଦେଇଥିବା ତାଙ୍କ ପିତା ପ୍ରଶାନ୍ତ ସାହୁ ହରଭଙ୍ଗା ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ୫୨/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ଜଣେ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରିଥିଲା। ଏହାପରେ ମୃତଦେହ ବ୍ୟବଛେଦ ପାଇଁ ବୌଦ୍ଧ ପଠାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରିଛି। ଏହି ଘଟଣାରେ ଅଭିଯୁକ୍ତ ସ୍ୱାମୀ ପ୍ରଭାତ ସାହୁ ଏବଂ ଶାଶୁ ସୁବାସିନୀ ସାହୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.