ମୃତ ପୁଅକୁ ବାପା କାନ୍ଧରେ ବୋହିବା ଘଟଣା, ପରିବାରଙ୍କୁ ଭେଟିଲେ ବି.ଡି.ଓ

ହରଭଙ୍ଗା: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅଞ୍ଚଳରେ ମଙ୍ଗଳବାର ଦାନମାଝୀ ଘଟଣାର ପୁନରାବୃତି ଦୃଶ୍ୟ ଦେଖୀବାକୁ ମିଳିଥିଲା। ମହାପ୍ରୟାଣ ଗାଡି ନ ମିଳିବାରୁ ମୂଷାଢ ଗ୍ରାମର ଶେଷଦେବ ପ୍ରଧାନ ଭଳି ଜଣେ ଗରିବ ବୃଦ୍ଧ ବାପା ୭ବର୍ଷର ମୃତ ପୁଅକୁ କାନ୍ଧରେ ବୋହି ଘରକୁ ଫେରିବା ଘଟଣା ସରକାରଙ୍କ ମାଳ ମାଳ ଜନହିତକର ଯୋଜନା ଉପରେ ପ୍ରଶ୍ନଚିହ୍ନ ଲଗାଇଛି ।  ଏଭଳି ଏକ ହୃଦୟବିଦାରକ ସମ୍ବେଦନଶୀଳ ଘଟଣାକୁ ନେଇ ସବୁମହଲରେ ଚର୍ଚ୍ଚା ଜୋରଧରିଛି। ଏଭଳି ଘଟଣା ଉପରେ ବୌଦ୍ଧ ସି.ଡି.ଏମ.ଓ ମଧ୍ୟ ଘଟଣାର ତଦନ୍ତ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବୌଦ୍ଧ ଏସପି ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି। କେଉଁ ପରିସ୍ଥିତିରେ ଡାକ୍ତରଖାନାରୁ ଶିଶୁଟିର ମୃତଦେହ ଜଣେ ବୃଦ୍ଧ ବାପା କାନ୍ଧେଇଲେ ତାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି। ଗୁରୁବାର ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା ମୃତ ଶିଶୁର ପରିବାରଙ୍କୁ ଭେଟିବା ସହିତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରିଛନ୍ତି। ଘଟଣା ସଂର୍ପକରେ ପରିବାରଙ୍କ ସହ ଆଲୋଚନା ମଧ୍ୟ କରିଥିବା ବି.ଡି.ଓ କହିଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।

Comments are closed.