ଦେବଗଡ ଅଞ୍ଚଳରେ ହାତୀ ଉପଦ୍ରବ, ବ୍ୟାପକ ଫସଲ ନଷ୍ଟ

ହରଭଙ୍ଗା: ବୌଦ୍ଧ ବନାଞ୍ଚଳ ଅଧିନସ୍ଥ ହରଭଙ୍ଗା ବ୍ଲକର ଦେବଗଡ ଅଞ୍ଚଳରେ ଗତ ଦୁଇଦିନଧରି ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ଅମଳ ସମୟରେ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହେବାକୁ ବସିଥିବାବେଳେ ବଣୁଆ ହାତୀଙ୍କ ଉପଦ୍ରବ ଚାଷୀଙ୍କ କଟା ଘାରେ ଚୂନ ସଦୃଶ ହୋଇଛି। ଫଳରେ ଏହି ଅଞ୍ଚଳର ଅନେକ ଚାଷୀ ବର୍ଷକର ଆହାର ହରାଇବା ଏକ ପ୍ରକାର ନିଶ୍ଚିତ ବୋଲି ସୂଚନା ମିଳିଛି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବୌଦ୍ଧ ରେଞ୍ଜର ଦେବଗଡ ଅଞ୍ଚଳରେ ୭ଗୋଟି ବଣୁଆ ହାତୀ ଧାନ ଫସଲ ଉପଦ୍ରବ କରୁଥିବା ଜଣାପଡିଛି।


ଉଭୟ ଚାଷୀ ଓ ବନ ବିଭାଗ ପକ୍ଷରୁ ଗ୍ୟାସ ବୋମା ସାହାଯ୍ୟରେ ଅହରାତ୍ର ହାତୀପଲକୁ ଘଉଡାଇବା ଉଦ୍ୟମ ଜାରି ରହିଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ୩୦ ଜଣ କର୍ମଚାରୀ ନିୟୋଜିତ ହୋଇଥିବା ମଧ୍ୟ ସୂଚନା ମିଳିଛି। ହାତୀ ଘଉଡାଇବା ସମୟରେ କୌଣସି ଧନଜୀବନ ଯେପରି କ୍ଷତି ନଘଟେ ସେ ଉପରେ ବୌଦ୍ଧ ଡିଏଫଓ ଗୁରୁତ୍ୱାରୋପ କରୁଛନ୍ତି। ହାତୀ ଉପଦ୍ରବରେ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଅନୁକମ୍ପା ରାଶି ପ୍ରଦାନ ନେଇ େଓବସାଇଟରେ ଅପଲୋଡ ପରେ ଆବଶ୍ୟକୀୟ କ୍ଷତିପୂରଣ ଯୋଗାଇଦିଆଯିବ ବୋଲି ବୌଦ୍ଧ ଡିଏଫଓ ଦେବପ୍ରିୟ କମ୍ପ ସୂଚନା ଦେଇଛନ୍ତି। ହାତୀ ଉପଦ୍ରବରେ ପାଖାପାଖି ୨୦ରୁ ୩୦ଜଣ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡିଛି।

Comments are closed.