ମାଧପୁର ରେଞ୍ଜରେ ହାତୀ ପଲ,ଚିନ୍ତାରେ ଚାଷୀ

ବନ ବିଭାଗ ସଜାଗ, ହାତୀଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍ କାଟ୍

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ଫରେଷ୍ଟ ରେଞ୍ଜରେ ବଣୁଆ ହାତୀ ପଲକୁ ନେଇ ଉଭୟେ ଚାଷୀ ଏବଂ ବନ ବିଭାଗର ନିଦ ହଜିଯାଇଛି ।ରବିବାର ବିଳମ୍ବିତ ରାତ୍ରୀରେ ଏହି ରେଞ୍ଜର ଆଡେଣିଗଡ ନିକଟସ୍ଥ ହନୁମାନ ମନ୍ଦିର ଦେଇ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲର କୁଚୁପାଜୁ ପଟୁ ୧୭ଟି ବଣୁଆ ହାତୀ ୫୭ନଂ ଜାତୀୟ ରାଜପଥ ଅତିକ୍ରମ କରିଥିବା ଜଣାପଡିଛି । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଗ୍ୟାସ ବମ୍ ବ୍ୟବହାର କରିବା ସହ ସେମାନଙ୍କ ସୁରକ୍ଷା ପାଇଁ ବିଦ୍ୟୁତ୍ କାଟ, ହୁକିଂ ଉପରେ ଗୁରୁତ୍ୱ ଦିଆଯାଉଛି । ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ହାତୀ ଅତିକ୍ରମ କରୁଥିବା ରାସ୍ତାରେ ଚାଷୀମାନେ ରାତିଦିନ ଧାନ ବିଲ ଜଗିରହିଛନ୍ତି । ଅନ୍ୟପଟେ ହାତୀପଲ ଦ୍ୱାରା କଣ୍ଡରା, କାଚପାଜୁ ଅଂଚଳରେ ବହୁ ଚାଷୀଙ୍କ ଧାନ ବିଲରେ ପଶି ପାଚିଲା ଧାନସବୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ଦୀର୍ଘ ୧୫ଦିନ ହେଲା ହାତୀପଲଙ୍କ ଚଲପ୍ରଚଳ ଗତିବିଧିରେ ବନ ବିଭାଗ ନାକେଦମ ହୋଇପଡିଛି । ଅନ୍ୟପଟେ ହାତୀ ପଲ ବାରମ୍ବାର ଜାତୀୟ ରାଜପଥ ଅତିକ୍ରମ କରୁଥିବାରୁ ରାତ୍ରୀକାଳୀନ ବସଗୁଡିକୁ ଏଲର୍ଟ ମଧ୍ୟ କରାଯାଇଥିବା ଜଣାପଡିଛି । ଏ ସର୍ମ୍ପକରେ ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପଙ୍କୁ ପଚାରିବାରୁ ଧାନ ପାଚିଲା ସମୟ ହୋଇଥିବାରୁ ହାତୀଙ୍କ ଚଳପ୍ରଚଳ ବୃଦ୍ଧି ପାଇଛି । ସେମାନଙ୍କ ଗତିବିଧି ଉପରେ ବିଭାଗ ପକ୍ଷରୁ ତୀକ୍ଷ୍ନ ନଜର ରଖା୍‌ାଇଛି ।ହୁକିଂ, ଶୀକାରୀ ମାନଙ୍କ ଗିତିବିଧି ଉପରେ ପେଟ୍ରୋଲିଂ ଟିମ କଡା ନଜର ରଖିଛନ୍ତି । ହାତୀମାନଙ୍କ ଦ୍ୱାରା ଫସଲ କ୍ଷତି ଘଟୁଥିଲେ ସେ ଅଂଚଳର ଚାଷୀ ଅନୁକମ୍ପା ଆଇନ ୱେବସାଇଟରେ କ୍ଷୟକ୍ଷତି ଅପଲୋଡ କଲେ କ୍ଷତିପୂରଣ ମିଳିପାରିବ ବୋଲି ସୂଚନା ଦେଇଛନ୍ତି ।

Comments are closed.