ମୁକୁଳାପଡିଛି ବୀରନରସିଂହପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର : ଠିକାଦାର ସନ୍ତୁଷ୍ଟି ପାଇଁ ହୋଇଛି ନିର୍ମାଣ ,ତିନିବର୍ଷ ପରେ ବି ମିଳୁନି ପଶୁସେବା

ହରଭଙ୍ଗା : ସରକାର ଚାଷୀଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଗୋ-ପାଳନ ଠାରୁ ଆରମ୍ଭ କରି ମାଛଚାଷ,କୁକୁଡା ଚାଷ,ଛେଳି ଚାଷ,ମଇଁଷି ଚାଷ ପାଇଁ ପ୍ରତ୍ସୋହନ ଯୋଗାଇଦେଉଛନ୍ତି । ଅନ୍ୟପଟେ ଏମାନଙ୍କ ଚିକିତ୍ସା ତଥା ସୁରକ୍ଷା ପାଇଁ ଖୋଲାଯାଇଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ର,ପ୍ରାଣୀ ସହାୟ କେନ୍ଦ୍ର ଗୁଡିକରେ ଆବଶ୍ୟକୀୟ କର୍ମଚାରୀ ସାଙ୍ଗକୁ ପଶୁ ଡାକ୍ତର,ପଶୁଧନ ନୀରିକ୍ଷକ ଭଳି ପଦବୀ ସବୁ ଦୀର୍ଘବର୍ଷ ହେଲା ଖାଲିପଡିଥିବାରୁ ହରଭଙ୍ଗା ବ୍ଲକର ବୀରନରସିଂହପୁର ଭଳି ବହୁସ୍ଥାନରେ ପ୍ରାଣୀ ଚିକିତ୍ସା କେନ୍ଦ୍ର ସବୁ ମୁକୁଳା ପଡିଥିବା ଦେଖିବାକୁ ମିଳିଛି ।ଯାହାଫଳରେ ଏହି ଅଂଚଳର ଲୋକେ ପ୍ରାଣୀ ସମ୍ପଦ ଚାଷ ଉପରୁ ମୁହଁଫେରାଇବାକୁ ବାଧ୍ୟ ହେଉଛନ୍ତି ।

ପ୍ରକାଶ ଯେ ବ୍ଲକର ଆଦିବାସୀ ଅଧ୍ୟୁଷିତ ବୀରନରସିଂହପୁର ପଂଚାୟତର ଲୋକଙ୍କ ଗାଈ,ଗୋରୁ,ଛେଳି,ମେଣ୍ଢା,ପୋଢ,ମଇଁଷି ଚିକିତ୍ସା ଏବଂ ସୁରକ୍ଷା ପାଇଁ ଗତ ୨୦୧୭ରୁ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ ସରିଛି।ନିର୍ମାଣ ତିନିବର୍ଷ ପରେ ବି ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହୋଇନପାରିବାରୁ ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ପଶୁ ସେବା ପାଇବାରୁ ବଂଚିତ ହେଉଛନ୍ତି।ଫଳରେ ଠିକାଦାର ସନ୍ତୁଷ୍ଟି ପାଇଁ ଘର ନିର୍ମାଣ ସରିଥିବା କୁହାଯାଉଛି।ଅନ୍ୟପଟେ ଲୋକେ ପଶୁସେବାରୁ ବଂଚିତ ହୋଇ ବାଧ୍ୟ ହୋଇ ବେସରକାରୀ ପଶୁ ଚିକିତ୍ସକ ପାଖରେ ପଶୁ ଚିକିତ୍ସା କରି ଗରିବ ଲୋକେ ଆର୍ଥୀକ କ୍ଷତି ସହୁଥିବା ଦେଖୀବାକୁ ମିଳିଛି। ଏହା ସହିତ ଗାଈ,ଗୋରୁ,ପୋଢ,ମଇଁଷି,ଛେଳି ,ମେଣ୍ଢା ଭଳି ଗୃହ ପାଳିତ ପଶୁ ସବୁ ସଠିକ ସମୟରେ ଉପଯୁକ୍ତ ଚିକିତ୍ସା ନପାଇ ମୃତ୍ୟୁ ମୁଖରେ ପଡୁଛନ୍ତି ଏବଂ ଲୋକେ ପଶୁ ପାଳନରୁ ମଧ୍ୟ ମୁହଁଫେରାଉଛନ୍ତି ।

ଅନ୍ୟପଟେ ନିର୍ମାଣ ହୋଇଥିବା ନୂତନ ପ୍ରାଣୀ ଚିକିତ୍ସାକେନ୍ଦ୍ର ଦୀର୍ଘବର୍ଷହେଲା ମୁକୁଳା ଯୋଗୁଁ ଏହା ବର୍ତମାନ ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି।ତୁରନ୍ତ ଏଥିପ୍ରତି ବିଭାଗୀୟ ଉଚ୍ଚକତୃପକ୍ଷ ଦୃଷ୍ଟିଦେବା ସହ ପ୍ରାଣୀ ଚିକିତ୍ସା କେନ୍ଦ୍ର ଚାଲୁ କରିବାକୁ ପଂଚାୟତର ଜନସାଧାରଣଙ୍କ ପକ୍ଷରୁ ଦାବୀ ହେଉଛି।ସୂଚନା ଥାଉ କି ବ୍ଲକର କୁଶଙ୍ଗ ପ୍ରାଣୀ ଚିକିତ୍ସା କେନ୍ଦ୍ର ମଧ୍ୟ ତିନିବର୍ଷ ତଳେ ନିର୍ମାଣ ସରିଛି।ମାତ୍ର କର୍ମଚାରୀ ଅଭାବରୁ ସେହି କେନ୍ଦ୍ରଟି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ।ଏଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି।

Comments are closed.