ସମ୍ବଲପୁର-କୁମାରୀ ସରକାରୀ ବସ୍‍ ସେବା ଠପ୍‍, ଯାତ୍ରୀ ହନ୍ତସନ୍ତ

ବୁର୍ଲା ମେଡିକାଲ ସୁବିଧାରୁ ବଞ୍ଚିତ ହରଭଙ୍ଗା ବ୍ଲକର ଜନସାଧାରଣ

ହରଭଙ୍ଗା : ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଦୁର୍ଗମ ଅଂଚଳ କୁଶଙ୍ଗ ପଞ୍ଚାୟତ କୁମାରୀ ଠାରୁ ସମ୍ବଲପୁର ଯାଉଥିବା ଓ.ଏସ.ଆର.ଟିସି ଭଳି ଏକମାତ୍ର ସରକାରୀ ବସ୍‍ ସେବା ଦୀର୍ଘ ଦଶମାସ ହେଲା ବନ୍ଦ ଯୋଗୁଁ ବ୍ଲକର ହଜାର ହଜାର ଜନସାଧାରଣ ବୁର୍ଲା ମେଡିକାଲ ସୁବିଧା ପାଇବାରୁ ବଞ୍ଚିତ ରହିଛନ୍ତି ।ପ୍ରକାଶ ଯେ ବ୍ଲକର ଜନସାଧାରଣଙ୍କ ଯାତାୟତ ତଥା ମେଡିକାଲସୁବିଧା ପାଇଁ କୁମାରୀଠାରୁ ସମ୍ବଲପୁର ଏକ ସରକାରୀ ବସ ସେବା ଯୋଗାଇବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଦାବୀ ହୋଇଆସୁଥିଲା ।

ଏହାକୁ ଦୃଷ୍ଟିରେ ରଖି ଓ.ଏସ.ଆର.ଟି.ସି ପକ୍ଷରୁ ଏକ ସରକାରୀ ବସ୍‍ ଦୀର୍ଘ ଦୁଇ ବର୍ଷହେଲା ସମ୍ବଲପୁରରୁ ବୌଦ୍ଧ-ଚାରିଛକ-ହରଭଙ୍ଗା ଦେଇ କୁମାରୀ ପର୍ଯ୍ୟନ୍ତ ଯିବାଆସିବା କରୁଥିଲା ।ଫଳରେ ଦୁର୍ଗମ ଅଂଚଳରେ ବସବାସ କରୁଥିବା ଗରିବ ଲୋକେ ସ୍ୱଳ୍ପ ବସ୍‍ ଭଡାରେ ସମ୍ବଲପୁର ଅଂଚଳକୁ ପଂହଚିବା ସହିତ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ସୁବିଧାରେ ପଂହଚି ପାରୁଥିଲେ ।କରୋନା ଯୋଗୁଁ ଦୀର୍ଘ ୭ମାସହେଲା ବସ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।ଦୀର୍ଘ ଏକ ମାସହେଲା ବସ ଚଳାଚଳ ସ୍ୱାଭାବିକ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ସମ୍ବଲପୁର-କୁମାରୀ ଓ.ଏସ.ଆର.ଟି.ସି ବସ ଚଳାଚଳ ବନ୍ଦ ରହିଛି । ଯାହା ଫଳରେ ବ୍ଲକର ହଜାର ହଜାର ଜନସାଧାରଣ ବୁର୍ଲା ମେଡିକାଲ ଚିକିତ୍ସା ପାଇଁ ପହଞ୍ଚିନପାରି ହଇରାଣ ଭୋଗୁଛନ୍ତି ।ବୌଦ୍ଧ ଜିଲାର ଆଦିବାସୀ ବହୁଳ ହରଭଙ୍ଗା ବ୍ଲକର ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ବିଭାଗୀୟ କତୃପକ୍ଷ ତୁରନ୍ତ ବସ ଚଳାଚଳ ସୁବିଧା ଯୋଗାଇବା ପାଇଁ ଅଚଳର ବୁଦ୍ଧିଜୀବି ଭୀକାରି ଚରଣ ବାଈ,ଚିତରଂଜନ ଦାସ,ପ୍ରଣବ କୁମାର ସିଂ,ଦୂତିବାହାନ କମ୍ପ,,ଅବକାଶ ସାହୁ , ପ୍ରମୁଖ ଦାବୀ କରିଛନ୍ତି ।

Comments are closed.