ଭାଇଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା

ସମାଜ ଲାଇଭ ବ୍ୟୁରୋ(ରାଜେଶ ଚନ୍ଦ୍ର ବେହେରା) : ବଲିଉଡ଼ର ଭାଇଜାନ “ସଲମାନ ଖାନ” ଶୁକ୍ରବାର ୫୪ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଭାଇଜାନଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ସଲମାନ ୧୯୬୫ମସିହା ଡ଼ିସେମ୍ବର ୨୭ତାରିଖ‌ରେ ମଧ୍ୟପ୍ରଦେଶର ଇନ୍ଦୋର ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଅବଦୁଲ ରଶିଦ ସଲିମ ସଲମାନ ଖାନ। ବର୍ତ୍ତମାନ ସେ ମହାରାଷ୍ଟ୍ରର ମୁମ୍ବଇରେ ରହୁଛନ୍ତି। ଆଜି ସେ ବଲିଉଡ଼ ଜଗତରେ ନିଜ ପ୍ରଶଂସକ ମାନଙ୍କ ମଧ୍ୟରେ ସଲ୍ଲୁ, ସଲ୍ଲୁ ମିୟାଁ ଓ ଭାଇଜାନ୍ ନାମରେ ଅଧିକ ଜଣାଶୁଣା | ବର୍ତ୍ତମାନ ସମୟରେ ସଲମାନ ଏକାଧାରାରେ ଜଣେ ଅଭିନେତା, ପ୍ରଯୋଜକ, ଗାୟକ ଏବଂ ଜଣେ ସୁପର୍‌ଷ୍ଟାର୍‌।

ସେ ୧୯୮୮ରେ ‘ବିୱି ହୋ ତୋ ଐସି‘ ଚଳଚ୍ଚିତ୍ରରୁ ନିଜର ବଲିଉଡ଼ ଯତ୍ରୋ ଆରମ୍ଭ କରିଥିଲେ। ପରେ ୧୯୮୯ରେ ସୁରଜ ବଡଜାତ୍ୟାଙ୍କ ନିର୍ଦେଶିତ ଚଳଚ୍ଚିତ୍ର ମୈନେ ପ୍ୟାର କିୟା ଚଳଚ୍ଚିତ୍ର କରିଥିଲେ। ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରକୁ ପ୍ରମୁଖ ମୋଡ଼ ଦେଇଥିଲା। ତା ପରେ ‘ହମ୍ ଆପକେ ହୈଁ କୌନ୍‘(୧୯୯୪), ‘କରନ୍ ଅର୍ଜୁନ୍‘ (୧୯୯୫), ‘ବିୱି ନଂ ୧‘ (୧୯୯୯), ‘ହମ୍ ସାଥ୍ ସାଥ୍ ହୈଁ‘ (୧୯୯୯) ପରି ସୁପରହିଟ୍ ସିନେମା ଦେଇ ସେ ସୁପରଷ୍ଟାର ପାଲଟି ଯାଇଥିଲେ। ‘କୁଛ୍ କୁଛ୍ ହୋତା ହୈ‘ ଲାଗି ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତାର ଫିଲ୍ମଫେୟାର ପୁରସ୍କାର ମଧ୍ୟ ମିଳିଥିଲା।

ମଝିରେ କିଛି ବର୍ଷ ପାଇଁ ମାନ୍ଦା ପଡ଼ିଯାଇଥିବା ସଲମାନ ପୁଣି ୨୦୦୯ମସିହାରେ ୱାଣ୍ଟେଡ ସିନେମା ମାଧ୍ୟମରେ ବ୍ୟାକ୍ କରିଥିଲେ। ଯାହା ସୁପରହିଟ ମଧ୍ୟ ହୋଇଥିଲା। ଏହି ଚଳଚ୍ଚିତ୍ର ମାଧ୍ୟମରେ ସେ ନିଜର ପୂର୍ବ ଖ୍ୟାତି ଫେରିପାଇଥିଲେ। ପରେ ୨୦୧୦ରେ ସେ ‘ଦବଙ୍ଗ‘, ‘ବଡ଼ିଗାର୍ଡ଼‘ (୨୦୧୧), ‘ଏକ୍ ଥା ଟାଇଗର୍‘ (୨୦୧୨), ‘କିକ୍‘ (୨୦୧୪) , ‘ବଜରଙ୍ଗୀ ଭାଇଜାନ୍‘ (୨୦୧୫) ,‘ପ୍ରେମ୍ ରତନ୍ ଧନ୍ ପାୟୋ‘ (୨୦୧୫) , ‘ସୁଲତାନ୍‘ (୨୦୧୬) ପରି ସୁପରହିଟ୍ ସିନେମା ଦେଇସାରିଲେଣି। ନିକଟରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଦବଙ୍ଗର ତୃତୀୟ ଭାଗ ଦବଙ୍ଗ-୩ ମୁକ୍ତିଲାଭ କରିଛି। ଏହି ସିନେମାକୁ ଦର୍ଶକମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି। ସିନେମା ଜଗତକୁ ତାଙ୍କର ଅବଦାନ ଲାଗି ତାଙ୍କୁ ମନୋରଞ୍ଜନରେ ରାଜୀବ ଗାନ୍ଧୀ ପୁରସ୍କାର ମଧ୍ୟ ମିଳିଛି।

ଅଭିନେତା ହେବା ଛଡ଼ା ସେ ମଧ୍ୟ ଜଣେ ମାନବତାବାଦୀ ଓ ପରୋପକାରୀ ବ୍ୟକ୍ତି। ତାଙ୍କ ସଙ୍ଗଠନ “ବିଇଙ୍ଗ ହ୍ୟୁମାନ” ମାଧ୍ୟମରେ ସେ ଅନେକ ଗରିବ ବ୍ୟକ୍ତିଙ୍କୁ ସାହାଯ୍ୟ କରିଆସିଛନ୍ତି।

Comments are closed.