ବିଶ୍ୱାସ ୧୧ ମାସିକ କାର୍ଯ୍ୟକ୍ରମର ହାତଧୁଆ ଦିବସ ଉଦ୍‍ଯାପିତ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ମେଘା ସ୍ୱାସ୍ଥ୍ୟ ସେକ୍ଟରରେ ବିଶ୍ୱାସ ୧୧ ମାସିକ କାର୍ଯ୍ୟକ୍ରମ ଅନ୍ତର୍ଗତ ହାତଧୁଆ ଦିବସ ପାଳନ ଉଦ୍‍ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ମାସ ଧରି ଉକ୍ତ ସେକ୍ଟର ଅନ୍ତର୍ଗତ ୮ଟି ପଞ୍ଚାୟତର ୩୫ଟି ଗାଁ କଲ୍ୟାଣ ସମିତି ମାଧ୍ୟମରେ ଘରକୁ ଘର ବୁଲି ଲୋକଙ୍କୁ ହାତଧୁଆର ଆବଶ୍ୟକତା ଓ ଉପକାରିତା ସଂପର୍କରେ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସମେତ ସ୍ୱାସ୍ଥ୍ୟକର୍ମୀମାନେ ବୁଝାଇଥିଲେ। ଗୁରୁବାର ରାଧାଗୋବିନ୍ଦପୁର ପଞ୍ଚାୟତର ସୁଧାଂଶୁମୋହନପୁର ଓ ରାଧାବଲ୍ଲଭପୁର ଠାରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍‍ ଅସ୍‍ଲମ୍‍ଙ୍କ ସଂଯୋଜନାରେ ଏ ସଂପର୍କୀୟ ସଚେତନତା କାର୍ୟ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ହାତଧୁଆର ସଠିକ ପ୍ରଣାଳି ଓ ଉପକାରିତା ସଂପର୍କରେ ଅବଗତ କରାଯାଇଥିଲା।

ଜୀବାଣୁ, ଭୂତାଣୁ ଓ କବକ ଇତ୍ୟାଦି ବ୍ୟାପିବାକୁ ରୋକିବା ଓ ଅସୁସ୍ଥତା ଠାରୁ ଦୂରରେ ରହିବା ଲାଗି ସାବୁନ ଦ୍ୱାରା ହାତଧୂଆ ଅଭ୍ୟାସ ଏକ ଅମୋଘ ଅସ୍ତ୍ର ବୋଲି ଶ୍ରୀ ଅସ୍‍ଲମ୍‍ ଲୋକଙ୍କୁ ବୁଝାଇଥିଲେ। ହାତ ମାଧ୍ୟମରେ ଜୀବାଣୁ, କିଟାଣୁ ଓ ଭୂତାଣୁ ଆମ ଖାଦ୍ୟ ଓ ପାନୀୟ ମାଧ୍ୟମରେ ଶରୀରରେ ପ୍ରବେଶ କରି ବିଭିନ୍ନ ରୋଗର କାରଣ ହୋଇଥାନ୍ତି। ବିଶେଷକରି ବର୍ତ୍ତମାନ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ନିୟମିତ ଓ ବାରମ୍ବାର ନିଜ ହାତକୁ ସାବୁନ ବା ତରଳ ସାବୁନ ଦ୍ୱାରା ଭଲକରି ଧୋଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଖାଦ୍ୟପ୍ରସ୍ତୁତ କରିବା ପୂର୍ବରୁ/ପରେ ଖାଇବା ପୂର୍ବରୁ/ପରେ, ଶୌଚ ହେବା ପରେ, ଗୃହପାଳିତ ପଶୁଙ୍କ ସେବା ପରେ ଏବଂ ଅଳିଆ ଆବର୍ଜନା ସଫା କରିବା ପରେ ନିଜ ହାତକୁ ନିଶ୍ଚିତ ଭାବେ ସାବୁନ ଦ୍ୱାରା ଧୋଇବା ଜରୁରୀ ବୋଲି ଲୋକଙ୍କୁ ବୁଝାଯାଇଥିଲା। ଏହି କାର୍ୟ୍ୟକ୍ରମକୁ ସ୍ୱାସ୍ଥ୍ୟକର୍ମୀ ପୁଷ୍ପାଞ୍ଜଳୀ ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଣତି ବେହେରା, ଆଶାକର୍ମୀ ମନୋରମା ସାହୁ, ବନିତା ରାଉତ, ସାମାଜିକ କର୍ମୀ ରମା ସାହୁ ଏବଂ ଗାଁ କଲ୍ୟାଣ ସମିତି ଗୁଡିକର କର୍ମକର୍ତ୍ତା ସହଯୋଗ କରିଥିଲେ।

Comments are closed.