ହାକରା ସମ୍ବାଦପତ୍ରର ସ୍ୱନକ୍ଷତ୍ର ଦିବସ ପାଳିତ

ଗୁରୁଡିଝାଟିଆ : ସମ୍ବାଦପତ୍ର ସାଧାରଣ ଜନତାଙ୍କ ଭାଷା , ଭାବ ଓ ସମାସ୍ୟାକୁ ନିରପେକ୍ଷ ଭାବରେ ସରକାରଙ୍କ ନିକଟରେ ପହଞ୍ଚାଇବା ସହିତ ଅନାଲୋଚିତ ଦିଗକୁ ଲେଖନୀ ଚାଳନା କରି ତଥ୍ୟ ଉନ୍ମୋଚନ କରି ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ମୌଳିକ କାମ। ଏ ସବୁକ୍ଷେତ୍ରରେ ସାପ୍ତାହିକ ଖବରକାଗଜ “ହାକରା” ନିଖୁଣ ଭାବରେ ନିଜର କାର୍ଯ୍ୟ ସଂପାଦନ କରି ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହେବା ବାସ୍ତବିକ ହାକରାକୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ଗୁରୁଡିଝାଟିଆ ଠାରେ ଆୟୋଜିତ ହାକରାର ୧୩ତମ ସ୍ୱନକ୍ଷତ୍ର ଦିବସରେ ସ୍ୱତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏହି ମତ ପ୍ରକାଶ କରିବା ସହିତ ହାକରାର ଉତ୍ତରୋତର ଉନ୍ନତି ପାଇଁ ଶୁଭକାମନା କରିଥିଲେ।

ବରିଷ୍ଠ ଆୟୁର୍ବେଦିକ ଚିକିତ୍ସକ ଡାକ୍ତର ଦିନବନ୍ଧୁ ମହାରଣା ହାକରାର ସ୍ୱନକ୍ଷେତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କହିଥିଲେ, ହାକରା ସମ୍ବାଦପତ୍ର ସଠିକ୍ ଖବର ପରିପ୍ରକାଶ କରିବା ସହିତ ସାଧାରଣ ଜନତାଙ୍କୁ ଅନେକ ଉପାଦେୟ ତଥ୍ୟ ପରିପ୍ରକାଶ କରିବା ସହ ସ୍ଥାନୀୟ ଅଞ୍ଚଳର ସଂସ୍କୃତି ,ପରମ୍ପରା ଓ ହଜିଯାଉଥିବା କଥାକୁ ଲୋକଲୋଚନକୁ ଆଣିପାରୁଛି ଯାହାକି ତାହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ ବୋଲି କହିଥିଲେ। ହାକରାର ପ୍ରକାଶକ ସୁରେନ୍ଦ୍ର ପାତ୍ର ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଆଇନିଜୀବୀ ଦିପ୍ତୀ ପ୍ରସାଦ ପଟ୍ଟନାୟକ, ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ ଓ ହାକରାର ମୁଖ୍ୟ ସଂପାଦକ ସାମ୍ବାଦିକ ବସନ୍ତ କୁମାର ସାହାଣୀ, ଶିକ୍ଷାବିତ୍ ବିମ୍ବାଧର ନାୟକ, ସୁରେଶ କୁମାର ମିଶ୍ର, ଡାକ୍ତର ହରିହର ସାହୁ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଜନସାଧାରଣଙ୍କ ନିକଟରେ ହାକରାର ଭୂମିକା ଓ ପ୍ରଭାବ ସଂପର୍କରେ ଆଲୋକପାତ କରିଥିଲେ।

ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶିକ୍ଷାବିତ୍ ପ୍ରଭାତ ନଳିନୀ ପାତ୍ର, ସମାଜସେବୀ ବିଶ୍ୱନାଥ ଦାସ, ବରିଷ୍ଠ ଚିକିତ୍ସକ ରମେଶ ସିଂ, ସାମ୍ବାଦିକ ସନାତନ ରାୟ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ସମାଜସେବୀ ଦିଲ୍ଲିପ କୁମାର ଛତାର, ସରପଞ୍ଚ ଦୀପକ କୁମାର ଆଚାର୍ଯ୍ୟ, ପ୍ରଫେସର ବିଷ୍ଣୁ ଚରଣ ସାହୁ, ବିବେକାନନ୍ଦ ବେହେରା, ଜୟନ୍ତୀବାଳା ପରିଡା, ଶିକ୍ଷକ ପ୍ରହ୍ଲାଦ ବିଶ୍ୱାଳ ଓ ପ୍ରଶନ୍ନ କୁମାର ଲେଙ୍କା ପ୍ରମୁଖଙ୍କୁ ଅନୁଷ୍ଠାନ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବରେ ସ୍ତମ୍ଭକାର ରଶ୍ମୀରଞ୍ଜନ ସାହାଣୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସର୍ବଭାରତୀୟ ଶିକ୍ଷକନେତା ପ୍ରତାପ କିଶୋର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟିକ ସୁରେଶ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ଗୁରୁଡିଝାଟିଆ ଓ ନବେଢା ଅଞ୍ଚଳର ବହୁ ବରିଷ୍ଠ ବୁଦ୍ଧିଜିବୀ ଯୋଗ ଦେଇଥିଲେ।

Comments are closed.