ହାଇଦର ମୃତ୍ୟୁ ଘଟଣା: ୩ ମାସ ପରେ ଆରକ୍ଷୀ ଅଧିକାରୀଙ୍କ ନାଁରେ ପତ୍ନୀଙ୍କ ଏତଲା

ସିମୁଳିଆ: କୁଖ୍ୟାତ ଅପରାଧୀ ହାଇଦର ମୃତ୍ୟୁ ଘଟଣାର ତିନି ମାସ ବିତିବା ପରେ ହଠାତ୍‌ ତା’ ପତ୍ନୀ ବୁଧବାର ସିମୁଳିଆ ଥାନାରେ ପହଞ୍ଚି ଆତ୍ମରକ୍ଷା ପାଇଁ ପ୍ରତି ଆକ୍ରମଣ କରି ଗୁଳି ଚଳାଇଥିବା ସମ୍ପୃକ୍ତ ଆରକ୍ଷୀ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।

ଥାନାରେ ଅଭିଯୋଗ ପରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପରିବାର ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। ଏଯାଏ ସେ ବ୍ୟବଚ୍ଛେଦ ରିପୋର୍ଟ ପାଇ ନ ଥିବାବେଳେ ବ୍ୟବଚ୍ଛେଦ ବେଳର ଭିଡିଓ ପାଇ ନଥିବା କହିଛନ୍ତି। ନିଜକୁ ବେତାଜ ବାଦଶାହ ବୋଲାଉଥିବା ଗ୍ୟାଙ୍ଗଷ୍ଟରକୁ ଗତ ଜୁଲାଇ ୨୪ ତାରିଖରେ ଚୌଦ୍ୱାର କାରାଗାରରୁ ବାରିପଦା ସ୍ଥାନାନ୍ତର କରାଯାଉଥିଲା। ରାସ୍ତାରେ ବାଲେଶ୍ୱର ଜିଲା ଜାତୀୟ ରାଜପଥର ସିମୁଳିଆ ଥାନାଠାରୁ ଶହେ ମିଟର ଦୂର ହନୁମାନ ମନ୍ଦିର ସମ୍ମୁଖ ଏକ ଡାଇଭର୍ସନ ନିକଟରେ ପୁଲିସକୁ ଚକମା ଦେଇ ହାଇଦର ଖସି ଯାଉଥିବା ସମୟରେ ପୁଲିସ ଗୁଳିରେ ଟଳି ପଡିଥିଲା। ଚିକିତ୍ସା ନିମନ୍ତେ ତାକୁ ତୁରନ୍ତ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା। ସେଠାରେ ହାଇଦରର ମୃତ୍ୟୁ ଘଟିଥିଲା।

ଏହି ମୃତ୍ୟୁ ଘଟଣାର ୩ ମାସ ପରେ ଆଜି ଦିନ ୧୧.୪୫ ମିନିଟ ସମୟରେ ତା’ ସ୍ତ୍ରୀ ହାସିନା ବିବି(୫୫) ସିମୁଳିଆରେ ପହଞ୍ଚି କଟକର ସମ୍ପୃକ୍ତ ପୁଲିସ ଅଧିକାରୀ, ଜେଲ କର୍ତ୍ତୃପକ୍ଷଙ୍କୁ ମିଶାଇ ମୋଟ ୧୬ଜଣଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ସୂଚନା ଥାଉକି, ଜୁଲାଇ ୨୫ ତାରିଖରେ ହାଇଦରକୁ ଗୁଳି ହୋଇଥିବା ସ୍ଥାନରୁ ବନ୍ଧୁକ, ୨ଟି ଖୋକା, ଡ୍ରେସ ଓ ଘଟଣାସ୍ଥଳର ମାଟିକୁ ରାଜ୍ୟ ଫରେନସିକ ପରୀକ୍ଷାଗାରକୁ ପଠାଇ ତଦନ୍ତ କରୁଛି।

Comments are closed.