ବରପୁତ୍ରଙ୍କ ସ୍ମୃତିରକ୍ଷା ପାଇଁ କୃତଜ୍ଞତା, ବଦଳିଲା ବିଦ୍ୟାଳୟର ନାଁ

ଗୁରୁଡିଝାଟିଆ: ବରପୁତ୍ରଙ୍କ ସ୍ମୃତିକୁ ଉଦଜୀବିତ ପାଇଁ ଗୁରୁଡିଝାଟିଆ ଅଞ୍ଚଳ ବାସୀ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଗୋଟିଏ ପରିସରରେ ଥିବା କବିଚନ୍ଦ୍ର ଭୂବନେଶ୍ୱର ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ଗୁରୁଡିଝାଟିଆ ଉଚ୍ଚ ବିଦ୍ୟାଳୟ ମିଶ୍ରଣ ପରେ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ନାମରେ ନାମିତ ହୋଇଛି। ଗୁରୁଡିଝାଟିଆ ଅଞ୍ଚଳ ବାସୀ, ଗୁରୁଡିଝାଟିଆ, କୋତର ଓ ବିଦ୍ୟାଳୟ ଶିକ୍ଷା କମିଟି ବିଦ୍ୟାଳୟ ମିଶ୍ରଣ ପରେ ଆନ୍ତର୍ଜାତୀୟ ଖ୍ୟାତିସଂପନ୍ନ ସଂକୃତ ପଣ୍ଡିତ ତଥା ସତ୍ୟବାଦୀ ବକୁଳ ବନବିଦ୍ୟାଳୟର ସଂସ୍କୃତ ବିଶାରଦ କବିଚନ୍ଦ୍ର ଭୂବନେଶ୍ୱରଙ୍କ ନାମରେ ଉଚ୍ଚ ବିଦ୍ୟାଳୟ ନାମକରଣ ନିମନ୍ତେ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଲିଖିତ ଭାବରେ ଜଣାଇଥିଲେ।

ମନ୍ତ୍ରୀ ଶ୍ରୀ ଦାଶ ଅଞ୍ଚଳବାସୀଙ୍କ ଭାବନାକୁ ସମ୍ମାନ ଦେଇ ବରପୁତ୍ର କବିଚନ୍ଦ୍ର ଭୂବନେଶ୍ୱର ଙ୍କ ନାମରେ ଉଚ୍ଚ ବିଦ୍ୟାଳୟର ନାମ କରିବା ପାଇଁ ସରକାରୀସ୍ତରରେ ସ୍ୱୀକୃତି ପ୍ରଦାନ କରି ବରପୂୁତ୍ରଙ୍କ ସ୍ମୃତିରକ୍ଷା କରିଥିବାରୁ ଗୁରୁଡିଝାଟିଆ ଅଞ୍ଚଳବାସୀ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ଅନ୍ତରଭରା କୃତଜ୍ଞତା ଜ୍ଞାପନ କରିଛନ୍ତି। ଏଥିସହିତ ବିଭାଗୀୟ ସଚିବ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷାଅଧିକାରୀ ,ସିଆରସିସି ଓ ପ୍ରଧାନଶିକ୍ଷକଙ୍କୁ ଅଞ୍ଚଳବାସୀ ଅନନ୍ତର ସହିତ ସାଧୁବାଦ ଜଣାଇଛନ୍ତି। ଉଲ୍ଲେଖଯୋଗ୍ୟ କବିଚନ୍ଦ୍ର ଭୂବନେଶ୍ୱର ରଥ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ସଂସ୍କୃତ ବିଦ୍ୱାନ ଭାବରେ ବେଶ ପରିଚିତ। ବିଦେଶରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଣ୍ଡିତ ରଥଙ୍କ ସାହିତ୍ୟକୃତି ପାଠ୍ୟପୁସ୍ତକ ଭାବରେ ପଢାଯାଉଥିବା ଜଣାଯାଏ। ରୁଙ୍କୁଣି ପ୍ରଣୟ ଓ ଲକ୍ଷ୍ମଣା ପ୍ରଣୟ ଦୁଇଟି ସଂସ୍କୃତ ମହାକାବ୍ୟ ସହିତ ଅନେକ ସଂସ୍କୃତ ପୁସ୍ତକ ରଚନା କରି ସାହିତ୍ୟ ଭଣ୍ଡାରକୁ ରୁଦ୍ଧିମନ୍ତ କରିଥିବା ପଣ୍ଡିତ ରଥ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ନିମନ୍ତ୍ରଣ ପାଇ ସତ୍ୟବାଦୀ ବକୁଳ ବନବିଦ୍ୟାଳୟରେ ସଂସ୍କୃତ ପଣ୍ଡିତ ଭାବରେ ଅଧ୍ୟାପନା କରୁଥିଲେ।

Comments are closed.