ଦେଶୀ ଚୋରାମଦ ରନ୍ଧନ ମାନଚିତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରିଛି ଆଠଗଡ

ଏହାର ମୂଳୋତ୍ପାଟନ କେବେ?

ଗୁରୁଡିଝାଟିଆ : ଘନଘନ ଚଢାଉ ହେଉଛି। ହଜାର ହଜାର ଲିଟର ପୋଚ ନଷ୍ଟ ହେଉଛି। ଦେଶୀଚୋରାମଦ ରନ୍ଧନ ସାମଗ୍ରୀ ମଧ୍ୟ ଭଙ୍ଗାରୁଜା କରାଯାଉଛି। କେବଳ ଏହା ଆଜିକାଲି ନୁହେଁ। ଦୀର୍ଘବର୍ଷ ଧରି ଚାଲୁ ରହିଛି। ଦୁଇମାସ ଭିତରେ ଜିଲ୍ଲା ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ସ୍ଥାନୀୟ ପୁଲିସ ଚଢାଉକୁ ତୀବ୍ରତର କରିଛନ୍ତି। କାହିଁ ତ ଫଳ ସେତେ ଆଖିଦୃଷ୍ଟିଆ ନୁହେଁ। ଯଦି ହୋଇଥାନ୍ତା ଭୟରେ ଆଠଗଡର ବିଭିନ୍ନ ସ୍ଥାନରେ ରନ୍ଧା ହେଉଥିବା ଦେଶୀମଦର ମୂଳୋତ୍ପାଟନ ହୋଇପାରୁନାହିଁ କାହିଁକି? ପ୍ରଭାବହୀନ ଚଢାଉ ଓ ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନରେ ଲକ୍ଷ୍ୟହୀନତା ପାଇଁ ଏବେବି ଆଠଗଡ ଚୋରାମଦ ରନ୍ଧନ ପାଇଁ ମାନଚିତ୍ରରେ ପ୍ରମୁଖ ସ୍ଥାନ ଅଧିକାର କରିଛି। କୋରଙ୍ଗା, ଡାଳୁଆ, ଭିରୁଡା ପ୍ରଭୃତି ଜଙ୍ଗଲିଆ ସ୍ଥାନମାନଙ୍କରେ କେତେକ ମୁଷ୍ଟିମେୟ ଚୋରାମଦ ବ୍ୟବସାୟୀ ୪ ଦିଗକୁ ଦୃଷ୍ଟି ଦେଇ କଳବଳ କୌଶଳକୁ ପ୍ରୟୋଗ କରି ନିଜର କାର୍ଯ୍ୟକୁ ସମ୍ପାଦନ କରିବାରେ ସଫଳ ହେଉଛନ୍ତି। ଖୁଣ୍ଟଣୀ ଥାନା ଅନ୍ତର୍ଗତ ଡାଳୁଆ ଚୋରା ଦେଶୀମଦ ରନ୍ଧନର ଏନ୍ତୁଡିଶାଳ। ସ୍ଥାନୀୟ ପୁଲିସ ଓ ଅବକାରୀ ବିଭାଗ ପ୍ରାୟ ୧ମାସ କାଳ ମଦ ରନ୍ଧନ ଭାଟିଗୁଡିକ ଯେତେ ଭାଙ୍ଗୁଥିଲେ, ସେତେ ନୂଆ ଭାଟି ପାଇବାକୁ ପାଉଥିଲେ। ଯାହାଫଳରେ କି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଜଙ୍ଗଲ ଭିତରେ, ଝରଣାକୂଳରେ ଚାଲିଥିଲା ଚୋରାମଦ ରନ୍ଧନର ସାମ୍ରାଜ୍ୟ ।ଏହା ଆଜିକାଲି ନୁହେଁ ଦୀର୍ଘବର୍ଷ ଧରି ରନ୍ଧା ଯାଉଥିଲେ ମଧ୍ୟ ସ୍ଥାନୀୟ ପୁଲିସ ଓ ଅବକାରୀ ଜାଣିପାରୁନଥିଲେ ନା’ ସବୁ ଜାଣି ନଜାଣିଲା ଭଳି ଅଭିନୟ କରୁଥିଲେ! ସଲାସୁତରାରେ ଚାଲୁଥିଲା ଦେଶୀମଦ ରନ୍ଧନ ।ସେହିଭଳି ଏବେ ସପ୍ତାହ ଧରି କୋରଙ୍ଗାରେ ଅବକାରୀ ଚଢାଉ ଜାରି ରହିଛି। ନଷ୍ଟ ହେଉଛି ହଜାର ହଜାର ଲିଟର ପୋଚ ।କାହିଁ ତ ଚୋରାମଦ ରାନ୍ଧୁଥିବା ଅଭିଯୁକ୍ତମାନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ।ସାଧାରଣରେ ଚଢାଉ ଏକ ନାଟକ ବୋଲି କହିବାକୁ ଲୋକମାନେ ପଛାଉନାହାନ୍ତି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆଠଗଡ ମାନଚିତ୍ରରୁ ସବୁଦିନ ପାଇଁ ଚୋରାଦେଶୀମଦ ରନ୍ଧନ ବନ୍ଦ ହୋଇଯାଆନ୍ତା। ସେଥିପ୍ରତି ସୁଚିନ୍ତିତ ଯୋଜନା ପ୍ରଣୟନ କଲେ ଅସୁବିଧା ରହିଛି କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି। କ’ଣ ପାଇଁ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଏବଂ ସ୍ଥାନୀୟ ପୁଲିସ ସମ୍ମିଳିତ ଭାବରେ ଆଠଗଡକୁ ଚୋରା ଦେଶୀମଦ ରନ୍ଧନକୁ ରୋକିବା ପାଇଁ ଜିରୋ ମିଶନର ପଦକ୍ଷେପ ନେଉନାହାନ୍ତି। ଏଥିରେ ବାଧକ ସୃଷ୍ଟି କରୁଛି କିଏ? ଚୋରା ଦେଶୀମଦ ରନ୍ଧା ହେବା ଫଳରେ ଦୈନିକ ଏକାଧିକ ଗାଡିରେ ଆଠଗଡ ଅଞ୍ଚଳରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ମଦ ଚୋରା ଚାଲାଣ ହେଉଛି। ଯାହାଦ୍ୱାରା କି ସରକାରଙ୍କ ରାଜସ୍ୱହାନୀ ହେଉଛି। ଏହାବାଦ୍ ମଦ ରନ୍ଧନ ହେଉଥିବା ପାର୍ଶ୍ବବର୍ତ୍ତି ଗାଁମାନଙ୍କର ଦିନ ମଜୁରିଆ ବିଶେଷତଃ ଅନୁସୂଚିତ ଜାତି ଓ ଜନଜାତିର ଯୁବଗୋଷ୍ଠୀ ନିଶାସକ୍ତ ହୋଇ ଅକାଳରେ ଝଡିପଡୁଥିବାବେଳେ ସେମାନଙ୍କ ପରିବାର ମଧ୍ୟ ଉଜୁଡି ଯାଉଛି। ତେଣୁ ଏବେ ପ୍ରଶ୍ନଉଠୁଛି ଆଠଗଡ ମାନଚିତ୍ରରୁ ଦେଶୀମଦ ରନ୍ଧନ ଚିତ୍ର କେବେ ଦୂର ହେବ? ଏସଂକ୍ରାନ୍ତରେ ଆଠଗଡ ଅବକାରୀ ଇନ୍ସପେକ୍ଟର ସଞ୍ଜିତ ବାର୍ଲାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅବକାରୀ ଚଢାଉ ଜୋରଦାର ଜାରି ରହିଛି। ଡାଳୁଆରୁ ଚୋରା ଦେଶୀମଦ ରନ୍ଧ ବନ୍ଦ ହେବା ଉପରେ। ଆଠଗଡ ଓ ତିଗିରିଆ ଅଞ୍ଚଳରୁ ମଧ୍ୟ ଚୋରା ଦେଶୀମଦ ମୂଳୋତ୍ପାଟନ ହେବ ବୋଲି ସମାଜକୁ ପ୍ରକାଶ କରିଛନ୍ତି।

Comments are closed.