ଲଗାଣ ବର୍ଷାର ପ୍ରଭାବ: ଖାଲଖମାରେ ଭର୍ତ୍ତି ରାସ୍ତା, ମରାମତି ପାଇଁ ଦାବି

ଗୁରୁଡିଝାଟିଆ: ଲଘୁଚାପ ଜନିତ ଲଗାଣ ବର୍ଷାଯୋଗୁଁ ପୁରୁଣା କଟକ-ସମ୍ବଲପୁର ରାସ୍ତାର ପାଇକରାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାର ବିଭିନ୍ନସସ୍ଥାନରେ ଏକାଧିକ ଖାଲ ସୃଷ୍ଟି ହୋଇ ପାଣି ଜମିରହିଛି। ଯାହାକି ଗାଡିଚାଳକଙ୍କ ପାଇଁ ବିପଦ ଆଣିଦେଇଛି। ରାସ୍ତାର ସ୍ଥିତି ଏପରି ବେହାଲ ଯେ ପଥଚାରୀମାନେ ମଧ୍ୟ ଖାଲରେ ଝୁଣ୍ଟି ଆହତ ହେଉଛନ୍ତି।
ରାଜ୍ୟ ସରକାର ଗମନାଗମନର ସୁବିଧା ପାଇଁ ଅନେକ ରାସ୍ତା ନିର୍ମାଣ କରୁଛନ୍ତି ଓ ମରାମତି ମଧ୍ୟ କରୁଛନ୍ତି। ଏଥିପାଇଁ ଜନସାଧାରଣଙ୍କ ଠାରୁ ବିଭିନ୍ନ ସୁତ୍ରରେ କର ଆଦାୟ ମଧ୍ୟ କରାଯାଉଛି। ଗାଡିଚାଳକମାନେ ରାସ୍ତାରେ ଗାଡିଚଳାଚଳ ପାଇଁ କର ଦେଉଛନ୍ତି। ହେଲେ କଣ ପାଇଁ ଦୀର୍ଘଦିନ ଧରି ରାସ୍ତା ଓ କୋଠାବାଡି ବିଭାଗ ରାସ୍ତା ମରାମତି କାର୍ଯ୍ୟ କରୁନାହାନ୍ତି ତାହା ବୁଝାପଡୁନାହିଁ। ଦୁର୍ଘଟଣାରେ ଜନସାଧାରଣଙ୍କ ଜୀବନ ନେବାରେ କର୍ତ୍ତୃପକ୍ଷ ପରୋକ୍ଷରେ ଦାୟୀ ବୋଲି ଜନସାଧାରଣ କହିବାକୁ ପଛାଉନାହାନ୍ତି। ମହାନଦୀରେ ମଧୁସେତୁ ହେବା ପେରେ ଶହଶହ ସଂଖ୍ୟାରେ ଯାନବାହନ ଚଳାଚଳ କରୁଛି। ବହୁ ଭାରୀଯାନ ସହିତ ଦ୍ରୁତଗାମୀ ବସ କଟକରୁ ପଶ୍ଚିମ ଓଡିଶାକୁ ଯାତାୟାତ କରୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଶ୍ଚିମ ଓଡିଶାରରୁ କୌଣସି ରୋଗୀ ଅଧିକ ଗୁରୁତର ହୋଇପଡିଲେ ଆମ୍ବୁଲାନ୍ସଚାଳକମାନେ ସ୍ୱଳ୍ପଦୂରତା ଦୃଷ୍ଟିରୁ ଏହି ରାସ୍ତାକୁ ବାଛି ନେଇ କଟକ ବଡମେଡିକାଲକୁ ଆସିଥାନ୍ତି। ପ୍ରଶାସନ ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ପଦକ୍ଷେପ ଗ୍ରହଣ କରିବା ନିମେନ୍ତ ସାଧାରଣରେ ଦୃଢ ଦାବି ହୋଇଛି।

Comments are closed.