ଧବଳେଶ୍ୱରରେ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଲୋକାର୍ପିତ

ଗୁରୁଡିଝାଟିଆ: ଧବଳେଶ୍ୱରରେ ୫କୋଟି ଟଙ୍କା ବ୍ୟୟରେ ନିର୍ମିତ ପର୍ଯ୍ୟଟକ ଅଭ୍ୟର୍ଥନା କେନ୍ଦ୍ର ଲୋକାର୍ପିତ ହୋଇଯାଇଛି। ଏହି ନବ ନିର୍ମିତ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ଧବଳେଶ୍ୱର ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଏହା ଦେଶ ବିଦେଶରୁ ଆସୁଥିବା ଶ୍ରଦ୍ଧାଳୁମାନେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଅବସର ବିନୋଦନ, ପୁସ୍ତକ ଅଧ୍ୟୟନ, ସୁସ୍ୱାଦୁ ବ୍ୟଞ୍ଜନ ଓ ମହାନଦୀର ପ୍ରାକୃତିକ ପରିବେଶକୁ ଉପଭୋଗ କରିବାରେ ବେଶ ସହାୟକ ହୋଇପାରିବ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି। ଏହାର ରକ୍ଷଣାବେକ୍ଷଣ ସୁବନ୍ଦୋବସ୍ତ ଓ ସୁପରିଚାଳନା କରିବା ନିମନ୍ତେ ଆଠଗଡ ବ୍ଲକ ପକ୍ଷରୁ ବ୍ୟବସ୍ଥା କରାଯିବ। ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯିବ। ଏହି ଅଭ୍ୟର୍ଥନା କେନ୍ଦ୍ରରେ ଆକର୍ଷଣୀୟ ଆଲୋକ ସଜ୍ଜିତ ପ୍ରବେଶପଥ, ମୁଖ୍ୟତୋରଣ, ଶ୍ରଦ୍ଧାଳୁ ତଥା ଦର୍ଶକ ବସିବା ପାଇଁ ଗ୍ୟାଲେରୀ ଏବଂ ରମଣୀୟ ମଣ୍ଡପ, ସୁଦୃଢ ପାଚେରୀ ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ରହିଛି।

ଧବଳେଶ୍ବର ନବ ନିର୍ମିତ ପର୍ଯ୍ୟଟନ ଅଭ୍ୟର୍ଥନା କେନ୍ଦ୍ର ବିଶେଷତଃ ପର୍ଯ୍ୟଟକ ଓ ଯୁବପିଢିଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ। ମୋଟ ୪୬୯.୬୫ କୋଟି ଟଙ୍କା ଏଥିରେ ବ୍ୟୟ କରାଯାଇଛି। ଏହି ଅଭ୍ୟର୍ଥନା କେନ୍ଦ୍ରର ଚତୁପାର୍ଶ୍ବରେ ପ୍ରାୟ ୨ଶହ ଆଲୋକ ସଜ୍ଜିତ ଖୁଣ୍ଟି ରହିଛି। ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ. ଆଠଗଡ ଉପଜିଲାପାଳ ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସ୍ୱାଇଁ, ଜିଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ, ଆଠଗଡ ପଞ୍ଚାୟତ ସମତି ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ଆଚାର୍ଯ୍ୟ, ପୂଜକ ସମିତି ସଭାପତି ବିଷ୍ଣୁଚରଣ ପତ୍ରୀ, ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ ଓ ସ୍ଥାନୀୟ ନିର୍ବାଚିତ ଜନପ୍ରତିନିଧି, ପୂଜକ ସମିତି କାର୍ଯ୍ୟକର୍ତ୍ତା ଓ ପର୍ଯ୍ୟଟନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.