ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ, ନଭେମ୍ବର ୬ ତାରିଖ ବଡଓଷା

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡଓଷା ଯାତ୍ରା ପାଇଁ ଆଜି ପୀଠ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ୨ବର୍ଷ ପରେ ଶ୍ରଦ୍ଧାଳୁମାନେ ପ୍ରଭୁ ଧବଳେଶ୍ୱରଙ୍କୁ ଦର୍ଶନ ସହ ବଡଓଷା ବ୍ରତ ପୀଠରେ ପାଳିପାରିବେ। ନଭେମ୍ବର ୪ରୁ ପଞ୍ଚୁକ ଆରମ୍ଭ ହୋଇ ୮ ତାରିଖରେ ରାସପୂର୍ଣ୍ଣିମାରେ ସଂପୂର୍ଣ୍ଣ ହେବ। ୬ ତାରିଖରେ ପ୍ରଭୁଙ୍କ ବଡଓଷା ଓ ବଡସିଂହାର ବେଶ ଅନୁଷ୍ଠିତହେବ। ୭ ତାରିଖରେ ଗଜଭୋଗ ପ୍ରଭୁଙ୍କୁ ଅର୍ପଣ ପରେ ଶ୍ରଦ୍ଧାଳୁଙ୍କୁ ବିତରଣ କରାଯିବ। ୮ ତାରିଖ ପୂର୍ଣ୍ଣିମାରେ ଗ୍ରହଣ ଯୋଗ ରହିଛି। ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତ ରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସ୍ଥାନୀୟ ବିଧାୟକ ତଥା କୃଷି ଓ କୃଷକ ସଶକ୍ତକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇଥିଲେ। ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚକ ଓ ବଡ ଓଷାଯାତ୍ରାରେ ଶ୍ରଦ୍ଧାଳୁମାନେ ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ ପାଇଁ ପଦକ୍ଷେପ ନିଆଯିବା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ। ପରିମଳ, ପାନୀୟଜଳ ଯୋଗାଣ, ୨୪ଘଣ୍ଟିଆ ସ୍ୱାସ୍ଥ୍ୟସେବା, ବିଦ୍ୟୁତ ସେବା, ରାସ୍ତାଘାଟ ମରାମତି ଆଦି କାର୍ଯ୍ୟକ୍ରମ ଠିକଣା ଢଙ୍ଗରେ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ। ଝୁଲାପୋଲରେ ଯାତାୟାତ ପାଇଁ ୫ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ ଡଙ୍ଗାରେ ପାରଉତାର ପାଇଁ ଶ୍ରଦ୍ଧାଳୁମାନେ ଲାଇଫଜ୍ୟାକେଟ ପରିଧାନ ବାଧ୍ୟତାମୂଳକ କରାଯାଇଥିବା ବେଳେ ହୁଲିଡଙ୍ଗା ସଂପୂର୍ଣ୍ଣ ବାରଣ କରାଯାଇଛି। ଆବଶ୍ୟକତା ଠାରୁ ଅଧିକ ଶ୍ରଦ୍ଧାଳୁ ଡଙ୍ଗାରେ ଯାତାୟାତ ନକରିବେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବ। ଆପାତ କାଳୀନ ବ୍ୟବସ୍ଥା ସ୍ୱରୂପ ଓଡ୍ରାଫ୍ଟ, ଦମକଳବାହୀନି, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବାହୀନି ମୁତୟନ ରହିବେ। ଭୋଗ ମଣ୍ଡପ, ଝୁଲାପୋଲଠାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହିତ ସିସିଟିଭି ବ୍ୟବସ୍ଥା ଏବଂ ଲୁଟେରାଙ୍କୁ ଧରିବା ପାଇଁ ସାଧା ପୋଷାକରେ ଫୋର୍ସ ମୁତୟନ କରାଯିବ। ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଟ ବ୍ୟବସ୍ଥା, ଡଙ୍ଗାରେ ପାରଉତାର ପାଇଁ ଜେଟି, ମନ୍ଦିରର ସୌନ୍ଦର୍ଯ୍ୟକରଣ, ଫୁଲସଜ୍ଜା ସଂପର୍କରେ ବିଷଦଭାବେ ଆଲୋଚନା କରାଯାଇଥିଲା। ଆଠଗଡ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ହେମନ୍ତ କୁମାର ସ୍ୱାଇଁ ସଂଯୋଜନାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ କୃଷ୍ଣପ୍ରସାଦ ପଟ୍ଟନାୟକ, ତହସିଲଦାର ପ୍ରିୟବ୍ରତ ଦାଶ, ଧବଳେଶ୍ୱର ପୂଜକ ସମିତି ସଭାପତି ବିଷ୍ଣୁ ଚରଣ ପତ୍ରୀ, ସଂପାଦକ ନରେନ୍ଦ୍ର ପଣ୍ଡା, ଚୌଦ୍ୱାର ଏସଡିପିଓ ସତ୍ୟବ୍ରତ ଲେଙ୍କା, କମିସନରେଟ ପୋଲିସ ଏସିପି କୃଷ୍ଣଚନ୍ଦ୍ର ସେଠୀ, ରାସ୍ତା ଓ କୋଠାବାଡି ନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ମହାନ୍ତି, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀଯନ୍ତ୍ରୀ ସୋମନାଥ ପରିଡା, ପରିମଳ ଓ ପାନୀୟଜଳ ନିର୍ବାହୀ ଯନ୍ତ୍ରୀ କାଳୁ ଚରଣ ବେହେରା, ଜିଲା ପର୍ଯ୍ୟଟନ ଅଧିକାରୀ ସୁଜାତା ପଟ୍ଟନାୟକ, ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ପବିତ୍ର କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ବିଜୟ କୁମାର ମିଶ୍ର, ବ୍ରହ୍ମପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ, ଆଠଗଡ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାସ, ବିଧାୟକଙ୍କ ପ୍ରତିନିଧି ରଞ୍ଜନ କୁମାର ଆଚାର୍ଯ୍ୟ, ଗୁରୁଡିଝାଟିଆ ଥାନା ଅଧିକାରୀ ରଞ୍ଜନ କୁମାର ପ୍ରଧାନ, ଆଠଗଡ ଅଗ୍ନୀଶମ ଅଧିକାରୀ ଦୁଷ୍ମନ୍ତ କୁମାର ସ୍ୱାଇଁ, ମଞ୍ଚେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ପ୍ରିୟବ୍ରତ ସାହୁ, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, କଖଡି ସରପଞ୍ଚ କଳ୍ପନା ଛତାର ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.