ପୁରୁଣାକଟକ-ସମ୍ବଲପୁର ରାସ୍ତା ଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ

ଗୁରୁଡିଝାଟିଆ: ମହାନଦୀରେ ବନ୍ୟାଜଳ ପ୍ରବାହିତ ଯୋଗୁଁ ପୁରୁଣାକଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡା ଓ ଚମ୍ପାପୁର ଠାରୁ ଦହିସରା ପର୍ଯ୍ୟନ୍ତ ରାସ୍ତାଉପରେ ୪ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ କଟକରୁ ପୁରୁଣା କଟକ-ସମ୍ବଲପୁର ରାସ୍ତା ଦେଇ ଆଠଗଡକୁ ଯୋଗାଯୋଗ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡିଛି । କଖଡି ଠାରୁ ବ୍ରାହ୍ମଣବସ୍ତ ଦେଇ କପୁରସିଂକୁ ସଂଯୋଗ କରୁଥିବା ରାସ୍ତାର ପାଟୁଳିଗାଡିଆ ଓ କଖଡି ଶଙ୍ଖଯୋର ଠାରେ ୩ ଫୁଟ ଉଚ୍ଚର ବନ୍ୟାଜଳ ଅତି ପ୍ରଖର ବେଗରେ ପ୍ରବାହିତ ହେଉଛି । ଫଳରେ ଏହି ରାସ୍ତାଦେଇ ମଧ୍ୟ ଯୋଗାଯୋଗ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି । କଖଡି ପଞ୍ଚାୟତ ଜଳବନ୍ଦୀ ଭିତରେ ରହିଥିବା ବେଳେ ଆଠଗଡ ତହସିଲ ଅନ୍ତର୍ଗତ ନିଧିପୁର ରାଜସ୍ୱ ନିରୀକ୍ଷକଙ୍କ ପରିସରଭୂକ୍ତ ୨୨ଟି ଗାଁ ବନ୍ୟାଜଳରେ ପ୍ରଭାବିତ ହୋଇଛି ।

ମହାକାଳବସ୍ତ, ଚମ୍ପାପୁର, ବୌଦ୍ଧପୁର, ଜେନାପୁର, ଗୋପାଳପ୍ରସାଦ, ଗଜାମ୍ବ ଓ କଖଡିରେ ବ୍ୟାପକ ପନିପରିବା ଫସଲ ବନ୍ୟାଜଳରେ ବୁଡିରହିଛି । ଶହଶହ ଏକର ଧାନଜମି ବନ୍ୟାପାଣିରେ ବୁଡିରହିଥିବାରୁ ଧୋଇଯିବାର ଆଶଙ୍କା ରହିଛି । ମଞ୍ଚେଶ୍ୱର, ଘଣ୍ଟିଖାଲ, ମହାକାଳବସ୍ତ, ଧୁରୁଷିଆ, ଅନନ୍ତପୁର, କଖଡି ଆଦି ପଞ୍ଚାୟତର ଧାନକ୍ଷେତ ବନ୍ୟାଜଳରେ ବୁଡିରହିଛି । ମହାନଦୀ ବନ୍ୟାଜଳରେ ଫୁଲିବା ଦ୍ୱାରା ସାପୁଆ ଉପନଦୀ ଦେଇ ରମ୍ପା ନିକଟରେ ବନ୍ୟାଜଳ ଗଜାମ୍ବ, ବାଲିସିଗିରି, ବୌଦ୍ଧପୁର ଦେଇ ପୁରୁଣା କଟକ-ସମ୍ବଲପୁର ରାସ୍ତାର ନିଧିପୁର ଗଡା ଠାରେ ପ୍ରବାହିତ ହେଉଛି । ସେହିଭଳି ଭାବରେ ଭୂୟାଁଯୋର ଓ ପାଇକରାପୁର ଠାରେ ମହାନଦୀର ଜଳ ମଧ୍ୟ ପୋଲ ଦେଇ ଚାଷଜମିକୁ ସଂପୂର୍ଣ୍ଣ ବୁଡାଇରଖିବା ସହ ଗାଁ ଗୁଡିକୁ ବନ୍ୟାଘେର ଭିତରେ ରଖିଅଛି । ବନ୍ୟାଜଳ ବୃଦ୍ଧି ପାଉଥିବା ବେଳେ ପୁଣି ମୁଣ୍ଡ ଉପରେ ଆଉଏକ ଲଘୁଚାପ ଥିବାରୁ ପ୍ରଭାବିତ ଲୋକମାନେ ଏବେ ପ୍ରବାଦ ଗଣିବା ଆରମ୍ଭ କଲେଣି । ଆଠଗଡ ତହସିଲଦାର ପ୍ରିୟବ୍ରତ ଦାସ ଓ ନିଧିପୁର ରାଜସ୍ୱ ନିରୀକ୍ଷକ ସୁଚନ୍ଦ୍ର ମହାନ୍ତି ବନ୍ୟା ପ୍ରବାହିତ ଅଞ୍ଚଳ ବୁଲି ଅନୁଧ୍ୟାନ କରିଛନ୍ତି ।

Comments are closed.