ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ପରିସରରେ ୧୪୪ଧାରା ଜାରି, ନିୟମ ଭଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟ ଓ ସଂଲଗ୍ନ ଅଞ୍ଚଳରେ ୧୪୪ଧାରା ଜାରି କରାଯାଇଛି। ଜନସାଧାରଣ ଓ ଚିକିତ୍ସାଳୟକୁ ଆସୁଥିବା ରୋଗୀମାନେ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ୧୪୪ ଧାରାକୁ ସମ୍ମାନ ଜଣାଇ ସଂଘବଦ୍ଧ ଭାବରେ ୫ଜଣରୁ ଅଧିକ ନଯିବା ପାଇଁ ଖୁଣ୍ଟୁଣୀ ପୁଲିସ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ସଚେତନତା କରାଯାଇଛି। ୧୪୪ଧାରା ଭଙ୍ଗ କଲେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଚେତାବନୀ ଦେଇଛନ୍ତି।
ଚିକିତ୍ସାଳୟ ପରିସର ଓ ସଂଲଗ୍ନ ଅଞ୍ଚଳରେ ଶାନ୍ତିଭଙ୍ଗର ଆଶଙ୍କା ଥିବାରୁ ୧୬ ତାରିଖ ପର୍ଯ୍ୟନ୍ତ ୧୪୪ଧାରା ଜାରିକରାଯାଇଛି। ଥାନା ଅଧିକାରୀଙ୍କ ନେତୃତ୍ୱରେ ଆଜି ଚିକିତ୍ସାଳୟ ପରିସରରେ ଫୋର୍ସ ମୁତୟନ କରାଯାଇଛି। ଏପରିକି ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦିଆଯାଇଅଛି।
ପ୍ରକାଶଯୋଗ୍ୟ ସମାଜସେବୀ ଗୌରହରି ମହାନ୍ତି ରାଜ୍ୟ ସରକାରଙ୍କ ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ବହୁ ଶଯ୍ୟାବିଶିଷ୍ଟ କରି ଉନ୍ନତି କରିବାରେ କାଳକ୍ଷେପଣ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଦ୍ୱାରା ଖୁଣ୍ଟୁଣୀ ପ୍ରାଥମିକ ଚିକିତ୍ସାଳୟକୁ ଉନ୍ନତିକରଣ କରିବା ନିମନ୍ତେ ବିଚାରକୁ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏହା ମଧ୍ୟ କାର୍ଯ୍ୟକାରୀ ହେଉନାହିଁ। ଏପରିକି ୧୯୯୪ ମସିହାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଏହି ଚିକିତ୍ସାଳୟକୁ ବହୁଶଯ୍ୟା ବିଶିଷ୍ଟ କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ। ୨ ଦଶନ୍ଧି ବିତିଯାଇଥିଲେ ମଧ୍ୟ ତାହା ସରକାରଙ୍କ ନାଲିଫିତା ତଳେ ରହିଯାଇଛି। ବାଧ୍ୟ ହୋଇ ସମାଜସେବୀ ଶ୍ରୀ ମହାନ୍ତି ସରକାରଙ୍କ କାଳକ୍ଷେପଣ ନୀତି ଓ ଅବହେଳାକୁ ନେଇ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି, ସ୍ଥାନୀୟ ବିଧାୟକ ତଥା କୃଷିମନ୍ତ୍ରୀଙ୍କୁ ଲିଖିତ ଭାବରେ ଅବଗତ କରାଇଛନ୍ତି କି ସ୍ୱାଧୀନତା ଦିବସରେ ଚିକିତ୍ସାଳୟ ପରିସରରେ ଆତ୍ମାହୁତି ଦେବେ। ୧୨ ତାରିଖ ଓ ୧୩ ତାରିଖ ଅହୋରାତ୍ର ଧାରଣା, ୧୪ରେ ଅନାହାର ଧାରଣା ଓ ୧ ରେ ଆତ୍ମାହୁତି ଦେବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି। ପ୍ରଶାସନ ପୋଲିସ ଜରିଆରେ ଶ୍ରୀ ମହାନ୍ତିଙ୍କୁ ଆତ୍ମାହୁତି କାର୍ଯ୍ୟରୁ ନିବୃତ ରହିବା ପାଇଁ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଛି। ସେଥିପାଇଁ ଚିକିତ୍ସାଳୟ ଓ ସଂଲଗ୍ନ ଅଞ୍ଚଳରେ ୧୧ ତାରିଖ ଠାରେ ୧୬ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।

Comments are closed.