ବୋରଝାଞ୍ଜିଦଳ ଉଜାଡିଦେଲା ଜୀବିକା, ଭୋକ ଉପାସରେ ୪୦ ମତ୍ସ୍ୟଜୀବୀ ପରିବାର

ଗୁରୁଡିଝାଟିଆ: ମାଛ ମାରିଲେ ପେଟ ପାଟଣା ପୋଷନ୍ତି। ଦୈନିକ ସକାଳୁ ଉଠି ଜାଲ ନେଇ ଶଙ୍ଖଯୋରକୁ ଗଲେ ଚୁଲି ଜଳିଥାଏ। ଶଙ୍ଖଯୋରରେ ବୋରଝାଞ୍ଜି ଦଳ ପରିପୂର୍ଣ୍ଣ ହୋଇଯାଇଛି। ମତ୍ସ୍ୟଜୀବୀଙ୍କ ପକ୍ଷରୁ ଏହାକୁ ସଫା କରିବା ମଧ୍ୟ ସମ୍ଭବ ନୁହେଁ। ନିଧିପୁର ନଈମୁହଁ ଠାରୁ କଖଡି ଶଙ୍ଖଯୋର ପ୍ରାୟ ୩ କିମି ପରିବେଷ୍ଟିତ ଶଙ୍ଖଯୋର ଉପରେ ଦଳ ମାଡିରହିଛି। ଦଳ ଏତେ ପରିମାଣର ରହିଛି ଯେ ମାଛ ମାରିବା ସମ୍ଭବ ହେଉନାହିଁ। ଫଳରେ କଖଡି ଗ୍ରାମର ମତ୍ସ୍ୟଜୀବୀ ପରିବାର ଏବେ ଭୋକ ଉପାସରେ ରହିଛନ୍ତି।
ପୁରୁଷ ପୁରୁଷ ଧରି ମାଛ ଧରି ଚଳୁଥିବା ମତ୍ସ୍ୟଜୀବୀମାନେ ପେଟପାଟଣା ପାଇଁ ବାଧ୍ୟ ହୋଇ ବେଉସା ଛାଡି ମୂଲ ଲାଗୁଛନ୍ତି। ଅଧିକାଂଶ ମତ୍ସ୍ୟଜୀବୀ ପରିବାରର ସଦସ୍ୟ ଜାଲଧରି ମାଛ ମାରିବା ଛଡା ଅନ୍ୟ କୌଣସି କାମ ସଠିକ୍ ଭାବରେ କରିପାରନ୍ତି ନାହିଁ। ହେଲେ କରିବେ କଣ? ଘରେ କେତେଦିନ ବସିବେ? ପିଲାଛୁଆ ଙ୍କ ପାଇଁ ଆହାର ତ ଯୋଗାଡ କରିବାକୁ ପଡିବ। ତେଣୁ ବାଧ୍ୟ ହୋଇ ମୂଲ ଲାଗିବାକୁ ଯାଉଛନ୍ତି ମତ୍ସ୍ୟଜୀବୀ ପରିବାର। ବିଶେଷତଃ ମହାନଦୀରେ ବଢି ଆସିଲେ ଜଳଉତ୍ସଗୁଡିକ ଫୁଲିଉଠେ। ମାଛ ମଧ୍ୟ ଭଲ ଜାଲରେ ପଡନ୍ତି। ଚଳିତବର୍ଷ ଅନୁକୂଳ ମାଛ ମାରିବା ପାଇଁ ଜଳ ଭଲ ଥିଲା। କିନ୍ତ୍ୁ ଶଙ୍ଖଯୋରରେ ବୋରଝାଞ୍ଜି ଦଳ ବୃତ୍ତିକୁ ଉଜାଡି ଦେଇଛି। ଯେଉଁ ଜାଲରେ ଫଳି, ମାଗୁର, ପୋବତା, ଗଡିଶା, ଶେଉଳ, କରାଣ୍ଡି, ମହୁରାଡି, କଉ, ଜିମିଖାଡି, ଶେରେଣା, ମିରିକାଳି, ଜହ୍ଲା ଆଦି ଦେଶୀମାଛ ହାଉଯାଉ ହେଉଥିଲା। ସେହି ଜାଲ ଏବେ ଟଙ୍ଗା ହୋଇ ରହୁଛି। ଖାଳେଇ ମଧ୍ୟ ସନ୍ତକ ଭାବେ ଟଙ୍ଗାଯାଇଛି। ଫଳରେ ୪୦ଟି ମତ୍ସ୍ୟଜୀବୀ ପରିବାର ର ୨ଶହ ଲୋକ ଜୀବିକା ହରାଇ ସାରିଲେଣି। ସରକାର ଲୋକମାନଙ୍କୁ କର୍ମ ସଂସ୍ଥାନ ଯୋଗାଇଦେବା ସହିତ ଭଲରେ ବଞ୍ଚିବା ପାଇଁ ବ୍ୟାପକ ପଦକ୍ଷେପ ନେଉଛନ୍ତି। କଖଡିର ମତ୍ସ୍ୟଜୀବି ପରିବାର ପାଇଁ କାମଧନ୍ଦା ଯୋଗାଇଦେଲେ ସେମାନେ ବେଶ ଉପକୃତ ହୋଇପାରନ୍ତେ। ଏହାଛଡା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ଗଢିଉଠିଥିବା ଶିଳ୍ପ ପ୍ରତିଷ୍ଠାନକୁ ପାରିପାଶ୍ୱର୍ିକ ଉନ୍ନୟନ ବାବଦରେ ବ୍ୟୟ କରିବାକୁ ଥିବା ଅର୍ଥର କିଛି ଅଂଶକୁ ଯଦି ମତ୍ସ୍ୟଜୀବି ଙ୍କ ପାଇଁ ଶଙ୍ଖଯୋରର ଦଳ ସଫେଇ କାର୍ଯ୍ୟରେ ବିନିଯୋଗ କରନ୍ତେ ତାହାଲେ ଯୋରର ଜଳଧାରଣ ଶକ୍ତି ବୃଦ୍ଧି ପାଇବା, ପରିଷ୍କାର ପରିଚ୍ଛନ୍ନ ରହିବା ସହ ମତ୍ସ୍ୟଜୀବି ପରିବାର ଏଥିରେ ନିଜର ଗୁଜୁରାଣ ମେଣ୍ଟାଇ ପାରନ୍ତେ। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି।

Comments
Loading...