ସ୍ୱାଧୀନତାର ୭୪ବର୍ଷ ପରେ ଓର୍ଦା ଓ ଭଗୁଆରେ ଜଳିଲା ବିଦ୍ୟୁତ ଆଲୋକ

ଗୁରୁଡିଝାଟିଆ: ଜନଜାତି ଅଧ୍ୟୁଷିତ ଓର୍ଦା ଓ ଭଗୁଆରେ ସ୍ୱାଧୀନତାର ୭୪ବର୍ଷ ପରେ ପ୍ରଥମକରି ବିଦ୍ୟୁତ ଆଲୋକ ଜଳିଛି। ସ୍ଥାନୀୟ ବିଧାୟକ ତଥା ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଭଗୁଆ ଓ ଓର୍ଦାରେ ସ୍ଥାପିତ ହୋଇଥିବା ବିଦ୍ୟୁତ ଟ୍ରାନ୍ସଫର୍ମରକୁ ଉଦଘାଟନ କରିବାସହ ବଟନ ଟିପି ଆଲୋକ ପ୍ରଜ୍ୱଳନ କରିଥିଲେ। ଶ୍ରୀ ନବୀନ ପଟ୍ଟନାୟକ ଜନଜାତିଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ଏମାନଙ୍କ ଗାଁକୁ ରାସ୍ତା,ପଢିବା ପାଇଁ ବିଦ୍ୟାଳୟ ଓ ଆଲୋକିକରଣ ବ୍ୟବସ୍ଥା କରିଛନ୍ତି। ଯାହାର ଜ୍ୱଳନ୍ତ ନିଦର୍ଶନ ହେଉଛି ଓର୍ଦା ଓ ଭଗୁଆ। ଗ୍ରାମବାସୀଙ୍କ ଅନ୍ୟାନ୍ୟ ମୌଳିକ ସମାସ୍ୟାଗୁଡିକୁ ଖୁବଶୀଘ୍ର ପୂରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ଉଦଘାଟନ ସମୟରେ କହିଥିଲେ।

ଆଠଗଡ ଟିପିକଲର ନିର୍ବାହୀ ଯନ୍ତ୍ରୀ ଇଂ ପବିତ୍ର କୁମାର ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମନ୍ତରାୟ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟ, ସ୍ଥାନୀୟ ସରପଞ୍ଚ ପ୍ରଭାତ କୁମାର ଥାଟୋଇ, ସମିତିସଭ୍ୟ ସୁଜିତ କୁମାର ଜେନାଙ୍କ ସହିତ ଦୁଇଗାଁର ମୁରବୀମାନେ ଉପସ୍ଥିତ ରହିଥିଲେ। ଦିନ୍‍ ଦୟାଲ ଉପାଧ୍ୟାୟ ଗ୍ରାମୀଣ ବିଦ୍ୟୁତ୍‍ କରଣ ଯୋଜନାରେ ପ୍ରାୟ ୭୫ଲକ୍ଷ ଟଙ୍କା ବ୍ୟୟରେ ଗୋବରା ପଞ୍ଚାୟତର ସାନଭଗୁଆରେ ଗୋଟିଏ, ବଡଭଗୁଆରେ ଦୁଇଟି ଓ ଓର୍ଦାରେ ଗୋଟିଏ ବିଦ୍ୟୁତ୍‍ ଟ୍ରାନ୍ସଫର୍ମର ସ୍ଥାପନ କରାଯାଇ ୩୭୦ ପରିବାରକୁ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା କରାଯାଇଛି। ପ୍ରକାଶଯୋଗ୍ୟ ଓର୍ଦା ଓ ଭଗୁଆ ଅତ୍ୟନ୍ତ ଅବହେଳିତ ଜନଜାତି ଅଧ୍ୟୁଷିତ ଗାଁ ଅଟେ। ବିଦ୍ୟୁତ ଆଲୋକ ପାଇଁ ଗ୍ରାମବାସୀମାନେ ଦୀର୍ଘଦିନ ଧରି ଦାବି କରିଆସୁଥିଲେ। ସନ୍ଧ୍ୟା ହେଲେ ଅନ୍ଧକାର ଭିତରେ ବନ୍ୟଜନ୍ତୁଙ୍କ ଭୟରେ ଜୀବନ ବିତାଉଥିଲେ। ଦୁନିଆର କୌଣସି ଘଟଣା ଜାଣି ପାରୁନଥିଲେ। ଏବେ ବିଦ୍ୟୁତ୍‍ ଆଲୋକ ଆସିଥିବାରୁ ଦୁଇ ଗ୍ରାମବାସୀଙ୍କ ମନରେ ଖୁସି ଦେଖାଦେଇଥିବା ବେଳେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Comments are closed.