ଅନୁକରଣୀୟ ଦୃଷ୍ଟାନ୍ତ

ଦାଦାଜୀ କୋଣ୍ଡଦେବ ମରହଟ୍ଟା ବୀର ଛତ୍ରପତି ଶିବାଜିଙ୍କ ପିତା  ଶାହାଜିଙ୍କର ଅତି ବିଶ୍ବସନୀୟ ଥିଲେ। ଦାଦାଜୀ ଥିଲେ ସଚ୍ଚା ରାଜଭକ୍ତ, ଦେଶପ୍ରେମୀ, ଦୟାଳୁ, ନ୍ୟାୟପ୍ରିୟ, ସଚ୍ଚୋଟ ଏବଂ ନିର୍ଭୀକ। ତାଙ୍କର ବିଶ୍ବସନୀୟତା ଓ ସଚ୍ଚୋଟତାରେ ମୁଗ୍ଧ ହୋଇ ଶାହାଜି ପୁନାରେ ଏକ ଜାଗିର ଦାୟିତ୍ବ ତାଙ୍କୁ ଅର୍ପଣ କରିଥିଲେ। ଶାହାଜି ପୁନାରେ ଏକ ବିଶାଳ ସାର୍ବଜନୀନ ଉଦ୍ୟାନ ତିଆରି କରିଥିଲେ। ପ୍ରତ୍ୟେ‌େ‌କ ଏହାକୁ ଶାହାବାଗ ବୋଲି କହୁଥିଲେ।  ଉଦ୍ୟାନଟି ଜାଗିରର ଅନ୍ତର୍ଭୁକ୍ତ ଥିଲା।

ଥରେ ଜଣେ ସେବାକାରୀ ଦାଦାଜୀଙ୍କ ନିମନ୍ତେ କିଛି ଫଳ ଆଣି ତାଙ୍କୁ ଖାଇବାକୁ  ଦେଇଥିଲା।  ଖାଇବା ପୂର୍ବରୁ ହଠାତ୍‌ ଦାଦାଜୀଙ୍କ ମନକୁ ଭିନ୍ନ କଥା ଆସିଥିଲା। କଟାଫଳକୁ ହାତରେ ଧରି ସେବାକାରୀଙ୍କୁ ପଚାରିଥିଲେ- ଏହି ଫଳ ତୁମେ କେଉଁଠାରୁ ଆଣିଲ? ଉଦ୍ୟାନରୁ ଆଣିଛି ବୋଲି  ସେବାକାରୀ କହିଥିଲେ। ଏହା ଶୁଣିଲା ମାତ୍ରେ ଦାଦାଜୀ କହିଥିଲେ- ‘ତୁମେ  ସେଠାରୁ ଫଳ ଆଣି ଠିକ୍‌ କରିନ। ଏହା ଖାଇଲେ ମୁଁ ଅପରାଧରେ ଭାଗି ହେବି। ଏହା ତ ଅନ୍ୟର ଦ୍ରବ୍ୟ, ମୋର ଏହା ଉପରେ କୌଣସି ଅଧିକାର ନାହିଁ।’ ଏହାକୁ ଗୁରୁତ୍ବ ନଦେଇ ସେବାକାରୀ କହିଥିଲେ- ‘ଏଥିରେ ଭଲା ଅପରାଧ କଥା ଉଠୁଛି କାହିଁକି? ଏହା ତ ଜାଗିରର ଅନ୍ତର୍ଭୁକ୍ତ ଓ ଆପଣ ଏହି ଜାଗିରର ପ୍ରମୁଖ। ଏଥିରେ ଦୋଷ ରହିଲା କେଉଁଠି?’

ଏହାଶୁଣି ଦାଦାଜୀ କହିଥିଲେ- ‘ତୁମେ ଯାହା ଭାବିଛ ତାହା ସଂପୂର୍ଣ୍ଣ ଭୁଲ। ମୁଁ ଜାଗିରର ଦେଖାରଖା ନିମିତ୍ତ ନିଯୁକ୍ତ ହୋଇଛି ଶାସକଙ୍କ ଦ୍ବାରା। ଏହା ମୋର କେବେ ନଥିଲା କି ଏବେ ବି ଏହା ଉପରେ ମୋର ଅଧିକାର ନାହିଁ। ଯାହା ନିଜର ନୁହେଁ ତା’ ଉପରେ ଅଧିକାର ସାବ୍ୟସ୍ତ କରିବା ଦୋଷାବହ। ଯାହାର ତତ୍ତ୍ବାବଧାରକ ଓ ଦେଖାରଖା ପାଇଁ ମୁଁ ନିଯୁକ୍ତ ହୋଇଛି ଭଲା ମୁଁ କିପରି ତାକୁ ଉପଯୋଗ କରିପାରିବି?’ ଏହା କହି ଫଳ ଖାଇ ନଥିଲେ।

ଦାଦାଜୀଙ୍କଠାରୁ ଏହା ଶୁଣି ସେବାକାରୀ ଚକିତ ହୋଇଯାଇଥିଲେ।  ତାଙ୍କର ଏତାଦୃଶ ସଚ୍ଚୋଟତା, ସାଧୁତା, ମହନୀୟତା ନିକଟରେ ତାଙ୍କର ମଥାସ୍ବତଃ ନତ ହୋଇଯାଇଥିଲା।

Comments are closed.