କଅଁଳ ବୟସରେ ପେଟପାଇଁ ନାଟ

ଗୁଣପୁର: ପେଟ ଚାଖଣ୍ଡ ପାଇଁ ଦୁନିଆରେ ବିଭିନ୍ନ ଲୋକ ବିଭିନ୍ନ ପନ୍ତା ଅବଲମ୍ବନ କରନ୍ତି। କଅଁଳ ବୟସରେ ମଧ୍ୟ ନିଜ ଜୀବନକୁ ବାଜି ଲଗାଇ ପରିବାର ପ୍ରତିପୋଷଣ ପାଇଁ ବାପାମାଆଙ୍କ ବୋଝକୁ ନିଜ କାନ୍ଧରେ ଲଦି ବିଭିନ୍ନ ପଦକ୍ଷେପ ନେଇଥାନ୍ତି। କିଏ ପରିବାରକୁ ନେଇ କୁଲି ମଜୁରୀ କାମ କରେ ତ ଆଉ କିଏ ନିଜ ପରିବାରକୁ ନେଇ ବିଭିନ୍ନ ପ୍ରକାର ଖେଳ, ମେଜିକ ସୋ ଦେଖାଇ ନିଜ ପରିବାର ପ୍ରତିପୋଷଣ କରେ। ଏଭଳି ଏକ ଯାଯାବର ପରିବାରର କୁନି ଝିଅ ନିଜ ଜୀବନକୁ ବାଜି ଲଗାଇ ବିପଦ ସଂକୁଳ ଅବସ୍ଥାରେ ଭୂମି ଠାରୁ ପ୍ରାୟ ୨୦ଫୁଟ ଉଚ୍ଚତାରେ ବାଉଁଶ ରାଣୀ ଖେଳ ଦେଖାଇ କୁନି ଝିଅଟି ଦର୍ଶକଙ୍କୁ ମନମୁଗ୍ଧ କରାଏ। ଦର୍ଶକଙ୍କ ତାଳିରେ ବିଭୋର ହୋଇପଡେ କୁନି ଝିଅ। ପେଟ ଚାଖଣ୍ତ ପାଇଁ ପରିବାରର ମା’ ବାପା କଅଁଳ ବୟସରେ ତାକୁ ଏଭଳି କରିବା ପାଇଁ ବାଧ୍ୟ କରିବା ଦେଖିବାକୁ ମିଳିଥିଲା। ଯେଉଁ ବୟସରେ ସାଙ୍ଗ ସାଥି ମେଳରେ ପାଠପଡା ସହ ଖେଳିବୁଲି ଦିନ କଟିବାର ବେଳେ ସେହି ବୟସରେ ବାଉଁଶ ରାଣୀ ଖେଳ ଦେଖାଇ ଦୁଇ ପଇସା ରୋଜଗାର କରେ ଏହି ଛୋଟ ଝିଅଟି।

ଏକ ଦଉଡି ଉପରେ ବିଭିନ୍ନ ପ୍ରକାର ଖେଳ ସହ ବାଦ୍ୟର ତାଳେତାଳେ ନାଚି ଉଠେ ଏହି କଅଁଳ ବୟସର କନ୍ୟା। ସେ ଜାଣେ ନାହିଁ ଯେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନ ପ୍ରତି ବିପଦ ଅଛି। ପ୍ରତିଦିନ ବିଭିନ୍ନ ଗ୍ରାମ ବୁଲି ବୁଲି ଏହି ବାଉଁଶ ରାଣୀ ଖେଳ ଦେଖାଇ ଦର୍ଶକଙ୍କୁ ମନ ମୁଗ୍ଧ କରି କିଛି ଟଙ୍କା ରୋଜଗାର କରି ପରିବାର ପତିପୋଷଣ କରି ଥାନ୍ତି ଏହି ଯାଯାବର ପରିବାର। ଏମାନଙ୍କର ନିର୍ଦ୍ଦିଷ୍ଟ ଏକ ଗ୍ରାମର ପରିଚୟ ନଥାଏ। କରୋନାରେ ନିଜ ଜୀବିକା ହରାଇ ପରିବାର ପ୍ରତିପୋଷଣ ପାଇଁ ବାହାରି ପଡନ୍ତି ନିଜ ପରିବାରକୁ ସାଙ୍ଗରେ ନେଇ।

Comments are closed.