ଭିନ୍ନ ଏକ ପ୍ରଥା ଅନନ୍ୟ ପରମ୍ପରା: ଶହେ ବର୍ଷର ପରମ୍ପରାକୁ ବଜାୟ ରଖିଛନ୍ତି ଲିମାପଦର ଗ୍ରାମବାସୀ

ଗୁଣୁପୁର: ଉତ୍କୃଷ୍ଟ କଳା ଓ ସଂସ୍କୃତିର ରାଜ୍ୟ ଓଡିଶା। ଏଠାକାର କଳା, ସଂସ୍କୃତି, ପ୍ରଥା ଓ ପରମ୍ପରା ପାଇଁ ସାରା ବିଶ୍ୱରେ ବେଶ ପରିଚିତ। ଭାଗବତ ଟୁଙ୍ଗୀ ପ୍ରଥା ଆମ ରାଜ୍ୟରୁ ଧୀରେ ଧୀରେ ଲୋପ ପାଇବାକୁ ବସିଥିବା ବେଳେ ରାୟଗଡା ଜିଲ୍ଲା ରମାନଗୁଡା ବ୍ଳକ ଲିମାପଦର ଗ୍ରାମରେ ଶହେ ବର୍ଷ ହେଲା ଏହି ପ୍ରଥା ଆଜିବି ବଞ୍ଚି ରହିଛି।

ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ରମାନଗୁଡା ବ୍ଳକ ଲିମା ପଦର ଗ୍ରାମର। ଏଠାରେ ରହିଛି ସୀତା ରାମ ମନ୍ଦିର। ମନ୍ଦିରରେ ପୂଜା ପାଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ, ଜନକ ନନ୍ଦିନୀ ଦେବୀ ସୀତା ଅନୁଜ ଲକ୍ଷ୍ମଣ ଓ ପବନ ପୁତ୍ର ହନୁମାନ। ମନ୍ଦିର ସମ୍ମୁଖ ଭାଗରେ ପୂଜା ପାଉଛନ୍ତି ପ୍ରଭୁ ପତିତପାବନ। ପ୍ରତ୍ୟେକ ଦିନ ରୀତିନୀତି ଅନୁଯାୟୀ ଏଠାରେ ପ୍ରତିନିତ୍ୟ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥାଏ। ଏଠାକାର ମୁଖ୍ୟ ଆକର୍ଷଣ ହେଉଛି ପବିତ୍ର ଧର୍ମମାସ କାର୍ତ୍ତିକ ରେ ଭାଗବତ ପରାୟଣ ସପ୍ତାହ ମହା ସମାରୋହରେ ଅନୁଷ୍ଠିତ ହୋଇଥାଏ।

ଏଠାରେ କାର୍ତ୍ତିକ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ଦ୍ଵାଦଶୀ ତିଥୀ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପୀ ଭାଗବତ ପରାୟଣ ଗ୍ରାମବାସୀମାନେ ଅତ୍ୟନ୍ତ ନିଷ୍ଠାର ସହ ପାଳନ କରିଥାନ୍ତି। ଦୀର୍ଘ ଶହେ ବର୍ଷ ଧରି ଏହି ଗ୍ରାମରେ ଏହି ପରାୟଣ ଅନୁଷ୍ଠିତ ହେଉଥିବା ଗ୍ରାମବାସୀମାନେ କହିଛନ୍ତି। ଏଠାକାର ବିଶେଷତ୍ୱ ହେଉଛି ମାନସିକଧାରୀ ଅତ୍ୟନ୍ତ ନିଷ୍ଠାର ସହ ସପ୍ତରୁଷିଙ୍କ ଉଦ୍ଦେଶ୍ୟରେ ନିଜ ଶରୀରରେ ସପ୍ତ ଦୀପ ଧାରଣ କରି ଘଣ୍ଟା ଘଣ୍ଟା ସମୟ ଧରି ଠାକୁରଙ୍କ ଆଗରେ ବସି ରହନ୍ତି। ଦ୍ଵାଦଶୀ ତିଥିରେ ବଂଶଧାରା ନଦୀରେ ପରାୟଣ ବିସର୍ଜନ କରାଯାଇ ଗ୍ରାମବାସୀ ସାମୁହିକ ପ୍ରସାଦ ସେବନ କରିଥାନ୍ତି।

ଓଡିଶାରୁ ଧୀରେ ଧୀରେ ଭାଗବତ ପାଠ, ଟୁଙ୍ଗୀ ପରମ୍ପରା ଲୋପ ପାଇବାକୁ ବସିଥିବା ବେଳେ ଲିମାପଦର ଗ୍ରାମବାସୀଙ୍କ ଉଦ୍ୟମ ଓ ନିଷ୍ଠା ବାସ୍ତବିକ ପ୍ରଶଂସନୀୟ।

Comments are closed.