ଶୈଶବ ଖୋଜୁଛି ସାହାରା

ଗୁଣୁପୁର: ବିପଦରେ ଶୈଶବ। ବେସାହାରା ହେବା ପରେ ଏବେ ସାହାରା ଖୋଜୁଛି ଶୈଶବ। ରାୟଗଡା ଜିଲ୍ଲା ଗୁଣୁପୁର ବ୍ଳକ ସୌରା ପ୍ରଧାନୀଗୁଡା କଲୋନୀ ଗ୍ରାମରେ ଦୁଇ ଝିଅଙ୍କୁ ନେଇ ଅତି ଦୟନୀୟ ଜୀବନଯାପନ କରୁଥିଲେ ସରସ୍ୱତୀ ଶବର। ନିୟମିତ ଦୁଇଟି ଝିଅ ହେବାରୁ ସ୍ୱାମୀ ଦୀର୍ଘ ପାଞ୍ଚ ବର୍ଷ ଧରି ଛାଡି ଚାଲି ଯାଇଛନ୍ତି। ସ୍ଵାମୀ ପରିତ୍ୟକ୍ତl ହୋଇ ଦୁଇ ଝିଅକୁ ନେଇ କୁଲିନାଲି କରି ଏକ ଜରାଜୀର୍ଣ୍ଣ ଝୁମ୍ପୁଡି ଘରେ ଦୁର୍ବିସହ ଜୀବନ କାଟୁଥିବା ବେଳେ ଦାଉ ସାଧିଲା ଦଇବ। ଗତକାଲି ରାତିରେ ସରସ୍ୱତୀ ସୋଇଥିବା ଅବସ୍ଥାରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଫଳରେ ସ୍ଥାନୀୟ ଲୋକେ ତାଙ୍କୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପାରଳାଖେମୁଣ୍ଡି ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଯାଇଛି। ଏବେ ବାପା ମା’ ଛେଉଣ୍ଡ ହୋଇ ପଡିଛନ୍ତି ଦୁଇ ଝିଅ କୁନି ଶବର ଓ ଇସାନି ଶବର। ଏହି ଦୁଇ କଅଁଳ ଶିଶୁଙ୍କୁ ସହାୟତା ଯୋଗାଇ ଦେବା ସହ ସେମାନଙ୍କ ଯତ୍ନ ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.