ଗୁଣ୍ଟୁରୁରୁ  ଘରକୁ ଫେରିଲେ ୩୩ଜଣ ଦାଦନ, ମୃତକ ପରିବାରକୁ ୧୦ଲକ୍ଷ ୩୦ହଜାର ଟଙ୍କା ସହୟତା ପ୍ରଦାନ

ଗୁଣପୁର: ଆନ୍ଧ୍ରର ଗୁଣ୍ଟୁରୁ ଜିଲା ନିକଟ ଲାଙ୍କାଭାନିଦିବା ଗ୍ରାମ ନିକଟରେ ଥିବା ଏକ ଚିଙ୍ଗୁଡି ବନ୍ଧ ଓ ଚିଙ୍ଗୁଡି ପ୍ରକ୍ରିୟାକରଣରେ କାମ କରିବାକୁ ଯାଇ ଗତ ଗୁରୁବାର ରାତ୍ର ୬ଜଣ ପ୍ରବାସୀ ଓଡିଆ ଶ୍ରମିକଙ୍କ ଜୀବନ ଯାଇଥିବା ଘଟଣାକୁ ରାଜ୍ୟସରକାରଙ୍କ ଅତି ଗୁରୁତର ଭାବେ ନେବା ସହ ମୃତକ ପରିବାରକୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିଛନ୍ତି। ଗତକାଲି ଆନ୍ଧ୍ରର ଅଘଟଣସ୍ଥଳକୁ ଯାଇ ବାସ୍ତବସ୍ଥିତି ଅନୁଧ୍ୟାନ କରିବା ସହ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ୩୩ଜଣ ଦାଦାନ ଶ୍ରମିକକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଆଜି ନିଜ ଗାଁରେ ଛଡାଯାଇଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ବିଧାୟକ ଓ ବିଜେଡି ନେତୃବର୍ଗ ଘଟଣାସ୍ଥଳକୁ ସେଠାକାର ପ୍ରଶାସନ ସହାୟତାରେ ମୃତଦେହର ବ୍ୟବଚ୍ଛେଦ ସାଙ୍ଗକୁ କ୍ଷତିପୂରଣ ପ୍ରଦାନ କରିଥିଲେ ଏବଂ ମୃତ ଦାଦନ ଶ୍ରମିକଙ୍କୁ ଉପଯୁକ୍ତ ନ୍ୟାୟ ଦେବାରେ ସକ୍ଷମ ହୋଇପାରିଛନ୍ତି। ଅନ୍ୟପକ୍ଷରେ ଯେଉଁ ଅସ୍ଥାୟୀ ଘରେ ୬ଜଣ ମୃତ୍ୟୁବରଣ କରିଥିଲେ ସେଥି ମଧ୍ୟରୁ ୪ଜଣ ନିଆଁ ଲାଗିବା ବେଳେ ପ୍ରାଣବିକଳରେ ଦୈଡି ବାହାରକୁ ଚାଲି ଆସିଥିଲେ। ସେମାନେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ଘଟଣା ଆଜି ଲୁହଭରା କଣ୍ଠରେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ସେସମୟରେ ଉପସ୍ଥିତ ଥିବା ଲୋକ ଆଚମ୍ବିତ ହୋଇପଡିଛନ୍ତି।
ଚିଙ୍ଗୁଡି ସଂସ୍ଥାରେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟରତ ୩୩ଜଣ ଦାଦାନ ଶ୍ରମିକକୁ ଏକ ସ୍ୱତନ୍ତ୍ର ବସ ଯୋଗେ ଗୁଣପୁରରେ ସାଢେ ୩ଘଣ୍ଟାରେ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପହଞ୍ଚିଥିଲେ। ଉକ୍ତ ୩୩ଜଣ ମଧ୍ୟରୁ ଗୁଣପୁର ବ୍ଲକର ୧୮ଜଣ ଥିବାବେଳେ ବାକି ୧୫ଜଣ ଗଜପତି ଜିଲା ରାୟଗଡା ବ୍ଲକର ଅଟେ। ସ୍ଥାନୀୟ ପୂତ୍ତଭବିଭାଗ ଠାରେ ମୃତକ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଘୋଷିତ ୨ଲକ୍ଷ, ରେଡକ୍ରସରୁ ୨୦ହଜାର ଓ ମୋ ପରିବାର ପକ୍ଷରୁ ୧୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୋ ପରିବାରର ରାଜ୍ୟ ଅଧିକ୍ଷ ଅରୂପ ପଟ୍ଟନାୟକ, ସଂଯୋଜକ ଅବନୀ ସାହୁ ଅତିଥି ଭାବେ ଯୋଗଦେଇ ଉକ୍ତ ଟଙ୍କା ପ୍ରଦାନ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାର ଉପଦେଷ୍ଠା ସୁଧିର ଦାଶ, ବିଧାୟକ ରଘୁନାଥ ଗମାଙ୍ଗ, ଜିଲା ଛାତ୍ର ବିଜେଡି ସଭାପତି ପିଙ୍କୁ ପଣ୍ଡା, ତହସିଲଦାର ଶରତ ଚନ୍ଦ୍ର ନାୟକ, ବିଡିଓ ଶ୍ରୀମତି ପ୍ରଧାନ, ବରିଷ୍ଠ ଆଇନଜୀବୀ ରାଜୁ ସାହୁ, ଦେବୀ ଆଚାର୍ଯ୍ୟ, ସହକାରୀ ଶ୍ରମ ନିୟୋଜନ ଅଧିକାରୀ ସ୍ୱାତିସୁଲଗ୍ନା ପାତ୍ରା ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ଗତକାଲି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩ଲକ୍ଷ ଓ ସଂପୁକ୍ତ ଚିଙ୍ଗୁଡିସଂସ୍ଥାର ମାଲିକ ପ୍ରତି ମୃତକ ପରିବାକୁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ମୋଟ ପ୍ରତି ମୃତକ ପରିବାର ୧୦ଲକ୍ଷ ୩୦ହଜାର ଟଙ୍କା ଆନ୍ଧ୍ର ଓ ଓଡିଶା ସରକାର ଓ ଚିଙ୍ଗୁଡି ସଂସ୍ଥା ମିଳିତ ଭାବେ ପ୍ରଦାନ କରିଛନ୍ତି। ଆଜ ସକାଳେ ଗୁଣପୁର ବିଡିଓ ଶାନ୍ତିପ୍ରଭା ପ୍ରଧାନ ମୃତକ ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାରଟଙ୍କା ପ୍ରଦାନ କରିଛନ୍ତି।


ଅନ୍ୟପକ୍ଷରେ ଗତ ଗୁରୁବାର ରାତ୍ର କାମଧନ୍ଦାରୁ ଫେରି ଅସ୍ଥାୟୀ କୁଡିଆରେ ଶୋଇଥିବାବେଳେ ହଠାତ୍‍ ସମସ୍ତ ଶ୍ରମିକ ମାନେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ୫ଜଣ ଗୁଣପୁର ଅଞ୍ଚଳରୁ ହୋଇଥିବା ବେଳେ ଜଣେ ଗଜପତି ଜିଲା ଜୀରାଙ୍ଗ ରାୟଗଡା ବ୍ଲକର ଅଟେ। ଅଗ୍ନିକାଣ୍ଡ ଘଟିଥିବା କଠୋରୀରେ ୧୦ଜଣ ଦାଦନ ନାବାଳକ ଶ୍ରମିକ ଶୋଇଥିବାବେଳେ ହଠାତ୍‍ ମଧ୍ୟରାତ୍ରରେ ପ୍ରବଳ ଧୂଆଁ ହୋଇ ନିଆଁ ହୁହୁ ହୋଇ ଜଳିଥିଲା। ସେସମୟରେ ଉକ୍ତ କଠୋରରୁ ପ୍ରାଣ ବିକଳରେ ଗଜପତି ଜିଲା ରାୟଗଡା ବ୍ଲକର ରାଉଳ ଶବର, ସୁନାମ କାର୍ଜୀ, ଅରୁଣ ଭୁଆଁ, ସନ୍ତୋଷ ଶବର ସେଠାରୁ ମୁକୁଲି ଯାଇଥିଲେ। ଆଖି ପିଛୁଲାକେ ଅନ୍ୟଜଣ ଜଣଙ୍କର ମୃତ୍ୟୁ ଘଟିଥିଲା। ଅଳ୍ପକେ ବର୍ତ୍ତି ଯାଇଥିବା ୪ଜଣ ମଧ୍ୟ ନାବାଳକ ଅଟନ୍ତି। ସେମାନେ ଆଜି ଗୁଣପୁରରେ ପହଞ୍ଚିବା ପରେ ଗୁରୁବାର ଭୟାଭୟ ଘଟଣା ସମ୍ପର୍କରେ କହି କାନ୍ଦି କାନ୍ଦି ପୁନଃଜନ୍ମ ପାଇଛୁ ବୋଲି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଫେରାନ୍ତ ଦାଦାନ ଶ୍ରମିକମାନେ ଚିଙ୍ଗୁଡି ସଂସ୍ଥାର କର୍ମକର୍ତ୍ତାମାନେ ନିର୍ଯ୍ୟାତନା ଦେବା ସହ ପ୍ରାଣରେ ମାରିଦେବାକୁ ଉଦ୍ୟାମ କରୁଥିଲେ ବୋଲି ପ୍ରକାଶ କରିଛନ୍ତି। ଏହି ଘଟଣାର ତଦନ୍ତ ପରେ ହିଁ ପ୍ରକୃତ କଥା ପଦାକୁ ଆସିବ।

Comments are closed.